ଚଣ୍ଡିଖୋଲ, ୨୨/୪ (ସନ୍ଧାନ ନିୟୁଜ) ଦୈତାରୀ-ପାରାଦ୍ୱୀପ ତ୍ୱରିତ ରାଜପଥ ନିର୍ମାଣ ହେବାକୁ ଇତିମଧ୍ୟରେ ପ୍ରାୟ ୫୫ବର୍ଷ ବିତି ଗଲାଣି ! ଏହି ରାସ୍ତାଟି କିନ୍ତୁ କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣି, ସୁକିନ୍ଦା ଓ ଦୈତାରୀ ଅଞ୍ଚଳର କ୍ରୋମାଇଟ ଖଣି, ତାଳଚେର କୋଇଲା ଖଣି ଏବଂ କଳିଙ୍ଗନଗରରୁ ଚଣ୍ଡିଖୋଲ ହୋଇ ପାରାଦ୍ଵୀପ ବନ୍ଦରକୁ ସଡ଼କ ପଥରେ ମାଲ୍ ପରିବହନ କରିବାର ଏକ ପ୍ରମୁଖ ମାଧ୍ୟମ ହୋଇଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାର ଚଣ୍ଡିଖୋଲ-ଡୁବୁରୀ ଖଣ୍ଡକୁ ୫୩ନମ୍ବର ଜାତୀୟ ରାଜପଥରେ ସାମିଲ କରାଯାଇଛି । ରାସ୍ତାରେ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଗର୍ତ୍ତ ସବୁର ତ ମଝିରେ ମଝିରେ ମରାମତି ସହ ପ୍ରତି ବର୍ଷ ମଧ୍ୟ ଗୋଟିଏ କୋଟ୍ ପିଚୁ ବିଛା ହୋଇ ଆସୁଥିଲା । କିନ୍ତୁ ରାସ୍ତାରେ ରହିଥିବା ବ୍ରିଜ୍ ଗୁଡ଼ିକ କେବେ କେଉଁଠି ଭାଙ୍ଗିରୁଜି ଗଲେ ତାହାର ମରାମତି ବା ରକ୍ଷଣାବେକ୍ଷଣ ଦିଗରେ କେବେ ବି ସେମିତି ପଦକ୍ଷେପ ଗ୍ରହଣ କରାଯାଇ ନ ଥାଏ । ତେଣୁ ଏହି ରାସ୍ତାରେ ରାତିଦିନ ହଜାର ହଜାର ଭାରିଯାନ ହେବା ଫଳରେ ବ୍ରିଜ୍ ଗୁଡ଼ିକ ଇତିମଧ୍ୟରେ ଅତ୍ୟନ୍ତ ଋଗ୍ଣ ଓ ବିପଦ ସଙ୍କୁଳ ହୋଇ ରହି ଆସିଛି । ଅନ୍ୟପଟେ ବିଗତ କିଛି ବର୍ଷ ହେଲା ଏହି ଖଣ୍ଡର ଚାରି ଲେନ୍ ପାଇଁ ସମ୍ପ୍ରସାରଣ କାର୍ଯ୍ଯ ଚାଲିଛି । ହେଲେ ଏହି ସମ୍ପ୍ରସାରଣ କାର୍ଯ୍ଯ ଆରମ୍ଭ ହେବା ପରଠାରୁ ଆଉ ସେଭଳି ରକ୍ଷଣାବେକ୍ଷଣ କାର୍ଯ୍ୟ ହେଉ ନ ଥିବା ପରିଲକ୍ଷିତ ହେଉଛି । ଫଳରେ ରାସ୍ତାରେ ସୃଷ୍ଟି ହେଉଥିବା ଗର୍ତ୍ତ, ରାସ୍ତାର ଉଭୟ ପାର୍ଶ୍ବରେ ରହିଥିବା ପାଦଚଲା ରାସ୍ତା ଉଚ୍ଚା ଖାଲ ଓ ଆବୁଡ଼ା ଖାବୁଡ଼ା ହୋଇ ପଡିରହିବା ଏବଂ ପୁରୁଣା ପୋଲ ସବୁରୁ ପାଦଚଲା ସ୍ଲାବ୍ ଓ ବାଡ଼ା ଭାଙ୍ଗିରୁଜି ଯାଇ ଦୁର୍ଘଟଣାକୁ ଆମନ୍ତ୍ରଣ କରି ଚାଲିଛି । ସମ୍ପ୍ରସାରଣ କାର୍ଯ୍ୟରେ ନିଯୁକ୍ତ ଠିକା ସଂସ୍ଥାର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ହିଁ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ମଟର ଓ ପଥଚାରୀ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ବହୁ ଧନଜୀବନ ହାନି ହେଉଛି !
ସେହି କ୍ରମରେ ୫୫ବର୍ଷ ଏଇ ପୁରୁଣା ଖୋସାଲପୁର ବ୍ରିଜର ଦୂରବସ୍ଥା ଏବେ ଟିକେ ଦେଖନ୍ତୁ ! ପୋଲର ଉଭୟ ପାର୍ଶ୍ୱରେ ରହିଥିବା ବାଡ଼ା ସମ୍ପୂର୍ଣ୍ଣ ପ୍ରାୟ ଭାଙ୍ଗିରୁଜି ଯାଇ ଗାଡ଼ିମଟରକୁ ତାହା ଆବଶ୍ୟକତା ବେଳେ ସୁରକ୍ଷା ଦେବା ପରିବର୍ତ୍ତେ ଏବେ ଦୁର୍ଘଟଣା ପାଇଁ ସତେ ଯେମିତି ଆମନ୍ତ୍ରଣ କରୁଛି ! କୌଣସି ଆସନ୍ନ ଦୁର୍ଘଟଣାକୁ ଏଡାଇବା ପାଇଁ ବ୍ରିଜ ତଳେ ଯାଇଥିବା ରେଳଧାରଣା ସିଧାରେ ବ୍ରିଜ୍ ବାଡ଼ାରେ ରେଳ ବିଭାଗ ପକ୍ଷରୁ ଲୁହା ଜାଲି ସବୁ ବନ୍ଧା ଯାଇଥିଲା । ଗତକାଲି ରାତିରେ କୌଣସି ଅଜଣା ଗାଡ଼ି ସେଥିମଧ୍ୟରୁ ଗୋଟିଏ ଜାଲି ସହିତ ଧକ୍କା ଖାଇବା ଯୋଗୁଁ ସେହି ଜାଲି ସହ ତାହା ବନ୍ଧା ହୋଇଥିବା ବାଡ଼ାକୁ ଭାଙ୍ଗି ରାସ୍ତା ଉପରକୁ ଟାଣି ଆଣିଛି ! ସେହି ଲୁହା ଜାଲି ଓ ଭଙ୍ଗା ବାଡ଼ା ରାସ୍ତା ଉପରକୁ ଝୁଲି ରହିଥିବା ଯୋଗୁଁ କୌଣସି ମୁହୂର୍ତ୍ତରେ ସେଥିପାଇଁ ସେଠାରେ ନିଶ୍ଚିତ ଦୁର୍ଘଟଣା ଘଟିବାର ଏବେ ଆଶଙ୍କା ରହିଛି ! କେବଳ ସେତିକି ନୁହେଁ ଏହି ବ୍ରିଜ୍ ଇତିମଧ୍ୟରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିବା କାରଣରୁ ବଡ଼ ବଡ଼ ଭାରି ଯାନ ଯାତାୟାତ କରୁଥିବା ବେଳେ ପୋଲଟି ଅତି ମାତ୍ରାରେ ଥରୁଥିବା ମଧ୍ୟ ପରିଲକ୍ଷିତ ହେଉଛି ! ସ୍ଥିତି ଏଭଳି ଅନୁଭବ ହେଉଛି ଯେ କୌଣସି ମୁହୂର୍ତ୍ତରେ ଗାଡ଼ି ସହ ଏହି ବ୍ରିଜଟି ଭାଙ୍ଗି ତଳକୁ ଖସି ପଡ଼ିଲେ ସେତେବେଳେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ନାହିଁ ! ତେବେ ସେଥିପ୍ରତି ନା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅବା ଚାରି ଲେନ୍ ପାଇଁ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଠିକା ସଂସ୍ଥା ଆସନ୍ନ ବିପଦକୁ ଏଡ଼ାଇବା ପାଇଁ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନ କରି ଏଠାରେ କଣ ଏକ ଦୁର୍ଘଟଣା ଘଟିବା ପର୍ଯ୍ୟନ୍ତ ଅପେକ୍ଷାରେ ଅଛନ୍ତି କି ?
ସାଧାରଣତଃ ଯେଉଁ ଠିକା ସଂସ୍ଥା ହାତରେ ସମ୍ପ୍ରସାରଣ କାର୍ଯ୍ଯ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ ସେହି ସଂସ୍ଥା ପୁରୁଣା ରାସ୍ତାକୁ ଆବଶ୍ୟକ ସ୍ଥଳେ ମରାମତି କରି ସର୍ବଦା ଗମନାଗମନ ଉପଯୋଗୀ କରି ରଖିବା ପାଇଁଁ ହିଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଏକ ଚୁକ୍ତିନାମା କରିଥାନ୍ତି । ଏକ୍ଷେତ୍ରରେ ମଧ୍ୟ ସେଭଳି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । କିନ୍ତୁ ସେହି ଠିକା ସଂସ୍ଥା ତାହାକୁ ଆଦୌ ଅନୁପାଳନ କରୁନାହିଁ । ମାତ୍ର ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ଵ ନେଇଥିବା ଠିକା ସଂସ୍ଥାକୁ ସେଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାଧ୍ୟ କରିବାକୁ ସତେ ଯେମିତି କର୍ତ୍ତୃତ୍ୱ ନଥିବା ପରି ମନେ ହେଉଛି । ଯଦି ରହିଥାନ୍ତା ସେହି ସଂସ୍ଥା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ତେବେ ପଛଘୁଞ୍ଚା ରହିଛି ତାହା ବୁଝା ପଡୁନି ! ଅନ୍ୟପକ୍ଷରେ ଏବେ ଚାରି ଲେନ୍ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଆଗକୁ ପୁଣି ଏହି ରାସ୍ତାକୁ ଛ’ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମଧ୍ୟ ଅନୁମୋଦନ ପ୍ରଦାନ କରି ସାରିଛି । Source- Udaynath Sahu
ଅତ୍ୟନ୍ତ ବିପଦ ସଙ୍କୁଳ ସ୍ଥିତିରେ ୫୩ନମ୍ବର ଜାତୀୟ ରାଜପଥରେ ୫୫ବର୍ଷ ପୁରୁଣା ଖୋସାଲପୁର ବ୍ରିଜ୍ !
|
April 22, 2021 |



