ବାରିପଦା, 11.02.2021 (ସନ୍ଧାନ ନିଉଜ୍):- ଓଏଲଏକ୍ସରେ ଓ୍ବାସିଂ ମେସିନ୍ ବିକୁ ବିକୁ ଆକାଉଣ୍ଟରୁ ସଫା ହୋଇଗଲା ୧୯ହଜାର ଟଙ୍କା । ଗତକାଲି ପୋଲିସ କମିଶନର ପ୍ରେସମିଟ୍ କରି ଲୋକଙ୍କୁ ସଚେତନ କରୁ କରୁ ହେଲେ ଆଜି ରାଜଧାନୀରେ ସାଇବର ଠକାମିର ଶିକାର ହୋଇଛନ୍ତି ଜଣେ ଅଧ୍ୟାପିକା । ସେପଟେ ଭାଇ-ଭଉଣୀର ସମ୍ପର୍କ ଯୋଡ଼ି ଯୁବତୀଙ୍କ ଠାରୁ ୩୦ହଜାର ଟଙ୍କା ଓ ଏଟିଏମ୍ କାର୍ଡ଼ ଲୁଟି ନେଇଛି ଜଣେ ଦୁର୍ବୃତ୍ତ । ପୁଣି ଚକ୍ମା ଦେଖାଇ ଟଙ୍କା ଲୁଟିଲେ ସାଇବର ଠକ । OLXରେ ଓ୍ବାସିଂ ମେସିନ୍ ବିକୁ ବିକୁ ଆକାଉଣ୍ଟରୁ ସଫା ହୋଇଗଲା ୧୯ହଜାର ଟଙ୍କା । ଜଣେ ଅଧ୍ୟାପିକା ତାଙ୍କର ପୁରୁଣା ଓ୍ବାସିଂ ମେସିନ୍ ବିକ୍ରି କରିବାକୁ ଓଏଲଏକ୍ସରେ ଆଡ୍ ଦେଇଥିଲେ । ତେବେ ଜଣେ ସାଇବର ଲୁଟେରା ମାଡାମଙ୍କ ଠାରୁ ଓ୍ବାସିଂ ମେସିନ୍ କିଣିବାକୁ ଫୋନ କରିଥିଲା। ଶେଷରେ ଓ୍ବାସିଂ ମେସିନ୍ ପାଇଁ ୯ହଜାର ୫୦୦ଟଙ୍କାରେ ହୋଇଥିଲା ଡିଲ୍ । ଏହାପରେ ପେମେଣ୍ଟ ପାଇଁ ମାଡାମଙ୍କ ପାଖକୁ କ୍ୟୁଆର କୋଡ ପେ ଲିଙ୍କ ପଠାଇଥିଲା ଲୁଟେରା ଜଣକ । ବିଶ୍ବାସ ଜନ୍ମାଇବାକୁ ମାଡାମଙ୍କ ଆକାଉଣ୍ଟକୁ ୫ଟଙ୍କା ବି ପଠାଇଥିଲା ଠକ ଜଣକ । ଏହାପରେ ମାଡାମଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କ’ଣ ଓଲଟା ଦୁଇ ଥରରେ ୧୯ହଜାର ଟଙ୍କା କଟିଯାଇଥିଲା । ଏଭଳି ଠକାମୀର ଶିକାର ହେବାପରେ ଏବେ ଅଧ୍ୟାପିକା ଜଣକ ଥାନାରେ ଅଭିଯୋଗ କରିବା ସହ ସାଇବର ହେପ୍ଲ ଡେସ୍କକୁ ମଧ୍ୟ ଜଣାଇଛନ୍ତି । ଅଧ୍ୟାପିକାଙ୍କ ଅଭିଯୋଗ ପରେ ତନାଘନା କରୁଛି ପୋଲିସ । ସେହିଭଳି ରାଜଧାନୀରେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବତୀ । ଯୁବତୀଙ୍କ ସରଳତାର ସୁଯୋଗ ନେଇ ୩୦ହଜାର ଟଙ୍କା ଓ ଏଟିମ୍ କାର୍ଡ଼ ଥିବା ବ୍ୟାଗ୍ ଧରି ଛୁ ମାରିଛି ଜଣେ ଯୁବକ । ପ୍ରଥମେ ରାମମନ୍ଦିରରେ ରାକ୍ଷୀ ବାନ୍ଧି ଯୁବତୀଙ୍କୁ ଧରମ ଭଉଣୀ କରିଥିଲା ଯୁବକ ଜଣକ ।ଆଉ ତାଙ୍କୁ ସ୍କୁଟିରେ ବସାଇ ନେଉଥିବା ବେଳେ କଳ୍ପନା ଛକରେ ହେଲମେଟ୍ ଚେକିଂ ଆଳ ଦେଖାଇ ରାସ୍ତାରେ ଓହ୍ଳାଇ ଦେବା ସହ ଯୁବତୀଙ୍କ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲା । ଏବେ ଲୋକଙ୍କୁ ଠକିବାକୁ ନୂଆ ନୂଆ ତରିକା ଆପଣାଉଛନ୍ତି ଲୁଟେରା । ଆଉ ଏଭଳି ଠକଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ଲୋକଙ୍କୁ ପୋଲିସ ଉପରେ ଭରସା କରିବା ଅପେକ୍ଷା ନିଜେ ସତର୍କ ଓ ସଚେତନ ହେବା ଜରୁରି ହୋଇପଡ଼ିଛି ।
OLXରେ ଓ୍ବାସିଂ ମେସିନ୍ ବିକୁ ବିକୁ ଆକାଉଣ୍ଟରୁ ସଫା ହୋଇଗଲା ୧୯ହଜାର ଟଙ୍କା
|
February 11, 2021 |



