ନିଯୁକ୍ତି ଯୋଗାଇବାରେ ବିଫଳତା ପ୍ରତିବାଦରେ ବିଧାନସଭା ଘେରାଓ କରି ରାଜ୍ୟ ସରକାରଙ୍କୁ ଜବାବ୍ ମାଗିଲା ଯୁବମୋର୍ଚ୍ଚା

Spread the love

ବୁଢା ବାଘର କଙ୍କଣ କାହାଣି ଭଳି କାଳିଆ ଓ ଯୁବ ବାହିନୀ ଗଠନ କରି ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି ନବିନ ବାବୁ : ଯୁବମୋର୍ଚ୍ଚା

– ପୋଲିସର ଏ ବର୍ବରତା ବ୍ରିଟିଶ ଶାସନର ଗୁଣ୍ଡାରାଜଠାରୁ ବଳି ଯାଇଛି
– ପୋଲିସ ମାଡରେ ଗୁରୁତର ଭାବେ ଆହତ କାର୍ଯ୍ୟକର୍ତା ଡାକ୍ତରଖାନାରେ ଚିକିତ୍ସିତ
– ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବାଧକ ସାଜିଛନ୍ତି ନବୀନବାବୁ
– ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨, ୫୭, ୦୦୦ ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬, ୪୫୦ ଜଣଙ୍କୁ। ନିଯୁକ୍ତି ହାର ମାତ୍ର ୧%
– ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତି କେତେ ବାଟ ଯାଇଛି ?

ଭୁବନେଶ୍ୱର, ୭ /୨(ସନ୍ଧାନ ନିୟୁଜ) : ମୁଖ୍ୟମନ୍ତ୍ରୀ ନବିନବାବୁଙ୍କ ସରକାର ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବାଧକ ସାଜୁଛନ୍ତି। ନିଜେ ସରକାର ତ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇଦେବାରେ ବିଫଳ ହୋଇଛନ୍ତି। ତାହା ସହ ଯାହା ବି ଘରୋଇ କମ୍ପାନୀ ରାଜ୍ୟକୁ ଆସି ପୁଂଜି ନିବେଶ କରି ନିଯୁକ୍ତି ଯୋଗାଇବା ପାଇଁ ଚାହୁଁଛନ୍ତି ତାଙ୍କୁ ବି ଅଟକାଉଛନ୍ତି। ଆଉ ଆଜି ଯେତେବେଳେ ଭାରତୀୟ ଜନତା ଯୁବମୋର୍ଚ୍ଚା ନେତୃତ୍ୱରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ନିଯୁକ୍ତି ମାଗିବା ପାଇଁ ବିଧାନସଭାକୁ ଶାନ୍ତିପୁର୍ଣ୍ଣଭାବେ ଘେରି ସରକାରଙ୍କୁ ପ୍ରତିବାଦ ଜଣାଇବା ପାଇଁ ଯାଉଥିଲେ, ପୋଲିସ ସରକାରୀ ଗୁଣ୍ଡାସାଜି ଆକ୍ରମଣ କରିଛି। ପୋଲିସର ଏ ବର୍ବରତା ବ୍ରିଟିସ ଶାସନର ଗୁଣ୍ଡାରାଜଠାରୁ ବଳି ଯାଇଛି। ପୋଲିସର ଆକ୍ରମଣରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିସ୍ତ୍ରା ହେଉଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି।

ନବିନ ସରକାରଙ୍କଠାରୁ ବେକାର ଯୁବକାମାନେ ଆଜି ଜବାବ ମାଗିବା ପାଇଁ ଚାହୁଁଛନ୍ତି। ଏ ସରକାର ନିଯୁକ୍ତିର ହତ୍ୟା କରିଛନ୍ତି। ଏ ସରକାର ଏବେ ବୁଢା ବାଘର କଙ୍କଣ କାହାଣି ଭଳି କାଳିଆ ଆଉ ବିଜୁ ଯୁବ ବାହିନୀର ଯୋଜନା କରି ଓଡିଆ ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ବିଜେପି ବିଧାୟକ ଦଳର ନେତା ଶ୍ରୀ କେ.ଭି.ସିଂହଦେଓ ଆଜି ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତରରେ ସରକାର ଉତରକୁ ଆଧାର କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ନିଯୁକ୍ତି ମିଳିଛି ମାତ୍ର ୨୬, ୪୫୦ ଜଣଙ୍କୁ। ନିଯୁକ୍ତି ହାର ମାତ୍ର ୧%। ତଥାପି କଣ ମୁଖ୍ୟମନ୍ତ୍ରୀ କହିବେ କି ଆପଣ ମାନେ ଖୁସି ତ !

୨୦୦୯ରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ସେହିପରି କୁଶଳି କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ। ହେଲେ ଏ ସରକାର ବଡ କାରଖାନା ଯାହା ବି ଅଛି ଏ ରାଜ୍ୟରେ ତାଙ୍କ ସହିତ ସଲାସୁତୁରା କରି ପିସି କାରବାର କରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି। ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ନିଯୁକ୍ତି ପାଉଛନ୍ତି ଅଣଓଡିଆ ବୋଲି ଟଙ୍କଧର କହିଛନ୍ତି।

ସେହିପରି ସରକାର ମଧ୍ୟ ଯାହା ନିଯୁକ୍ତି ସରକାରୀ କ୍ଷେତ୍ରରେ ବିଭିନ୍ନ ସରକାରୀ ଅଫିସରେ ରହିବା କଥା ତାହା ଦେଉନାହାନ୍ତି। ରାଜ୍ୟର ୭୦ ଭାଗ ସରକାରୀ ପଦବୀ ଖାଲି। ରାଜ୍ୟରେ ଥିବା ସରକାରୀ କଲେଜରେ ଥିବା ସମୁଦାୟ ୨୩୦୬ଟି ଅଧ୍ୟାପକ ଅଧ୍ୟାପିକ ପଦବୀରୁ ୧୨୬୭ଟି ପଦବୀ ଖାଲି ପଡିଛି। ସରକାର ସରକାରୀ ଶିକ୍ଷକ ପଦବୀବି ପୁରଣ କରୁନାହାନ୍ତି। ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ଆଜି ନିଯୁକ୍ତି ନପାଇ ବେକାର ହୋଇ ବସିଥିଲାବେଳେ ସରକାର ନିଯୁକ୍ତି ଦେଉନାହାନ୍ତି। ସେହିପରି ସରକାରୀ ଏଡେଡ କଲେଜମାନଙ୍କରେ ବି ସ୍ଥିତି ଅତି ସଙ୍ଗୀନ। ସମୁଦାୟ ୬୩୬୪ଟି ଅଧ୍ୟାପିକା ଅଧ୍ୟାପକ ପଦବୀରୁ ୧୮୨୪ ଖାଲି। ରାଜ୍ୟର ଅଧା ଡାକ୍ତର ପଦବି ଖାଲି। ୬୫୩୬ ମଜୁଂରିପଦବୀରୁ ୩୧୩୩ଟି ପଦବୀ ଖାଲି ପଡିଛି। ଏ କେବଳ ଦୁଇଟି ବିଭାଗର କଥା। ସରକାରଙ୍କ ସମସ୍ତ ବିଭାଗରେ ଆଜି ସମାନ ଅବସ୍ଥା ବୋଲି ଟଙ୍କଧର କହିଛନ୍ତି।

ନୁଆ ଶିଳ୍ପ ପ୍ରତିଷ୍ଠା ଏବଂ ନୁଆ ବ୍ୟବସାୟ ସ୍ଥାପନା କରିବା ପାଇଁ ଓଡିଶା ଘରୋଇ କମ୍ପାନୀ ମାନଙ୍କର ଆସ୍ଥାଭାଜନ ହୋଇପାରୁନାହିଁ। ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର୍ୟାଙ୍କରେ କ୍ରମାଗତ ଭାବେ ଖସୁଛି ଓଡିଶା। ୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବା ବେଳେ ୨୦୧୬ରେ ଏହା ଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରି ଖସି ୧୪ତମ ସ୍ଥାନକୁ ଖସି ଗଲାଣି। ରାଜ୍ୟରେ ଯୁବକ ବେକାରୀ ସମସ୍ୟାରେ ଜର୍ଜରିତ ଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରମୁଖ ଭୂମିକା ରଖୁଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଶୋଇଛନ୍ତି ବୋଲି ଶ୍ରୀ ତ୍ରିପାଠି କହିଛନ୍ତି।

ଶ୍ରୀ ତ୍ରିପାଠି କହିଛନ୍ତି ଯେ, ୨୦୦୦ରୁ ୨୦୧୬ ମଧ୍ୟରେ ରାଜ୍ୟରେ ମାତ୍ର ୨୧ଟି ମଧ୍ୟମ ଶିଳ୍ପ ସ୍ଥାପିତ ହୋଇଛି। ସେଥିରୁ ବର୍ତମାନ ୩ଗୋଟି ଅଚଳ ଅବସ୍ଥାରେ ଅଛି। ସ୍ୱର୍ଗତ ବିଜୁ ବାବୁଙ୍କ ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ୧୪୭ ପଂଚାୟତ ସମିତି ଶିଳ୍ପ ମଧ୍ୟରୁ ୧୩୨ ଟି ପୁରା ବନ୍ଦ ହୋଇ ପଡିଛି। ଏହା ଉପରେ ନିର୍ଭରଶୀଳ ଶହ ଶହ ପରିବାର ମଧ୍ୟରୁ କେତେକ ଗୁଜୁରାଣ ମେଂଟାଇବା ପାଇଁ ମଜୁରି ଲାଗୁଛନ୍ତି ତ ଆଉ କେତେକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି।

ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ୪୮୭୭ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଥିବା ବେଳେ ଏଥିରୁ ୩୦୬୭ଟି ରୁଗ୍ଣ ହୋଇଛି। ରାଜ୍ୟରେ ପଂଜୀକୃତ ୧୫, ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୧୦୬୧ ଏହିପରି ଶିଳ୍ପ ବନ୍ଦ ହୋଇ ଯାଇଥିବା ସରକାର ସ୍ୱୀକାର କରିଛନ୍ତି। ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି।

୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତି କେତେ ବାଟ ଯାଇଛି ? ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କର କାମର ସ୍ଥିତି କଣ ? ଓଡିଶା କନକ୍ଲେଭରେ କେତେ ଟଙ୍କାର ପୁଂଜି ନିବେଶ ହେଲାଣି ବୋଲି ଶ୍ରୀ ତ୍ରିପାଠି ପ୍ରଶ୍ନ କରିଛନ୍ତି।

ଯୁବମୋର୍ଚ୍ଚାର “ଜବାବ୍ ମାଗୁଛି ଯୁବକ” କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପ୍ରତିନିଧି ଭାବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୈାରଭ ଚୈାଧୁରୀ ଯୋଗ ଦେଇଥିଲେ। ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ, ଅଂଶୁମାନ ସବୁଜ ମହନ୍ତ, ସମରଜିତ୍ ପାତ୍ର, ସତ୍ୟବାଦୀ ଚଇନି, ରାଜ୍ୟ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର, ବିଶ୍ୱରଂଜନ ବଡଜେନା, ରାଜ୍ୟ ସଂପାଦକ ଦୀପକ ଗୋଚ୍ଚାୟତ, ଓମ୍ ପ୍ରକାଶ ମିଶ୍ର, ଅର୍ପିତା ବଡଜେନା, ରାଜ୍ୟ ସଂଯୋଜକ ହିତେଶ ସାହୁ, ବିଶ୍ୱଜିତ୍ ଷଡଙ୍ଗୀ, କାମାକ୍ଷା ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇ ବିଧାନସଭା ଘେରାଓ କରିଥିଲେ।

 

odiapua

Related Posts

About The Author

Add Comment