ଆଗାମୀ ଫେବୃଆରୀ ୨୦୨୭ରେ ହେବାକୁ ଥିବା ଅଭିଯାନକୁ ଶତପ୍ରତିଶତ ସଫଳ କରିବାକୁ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଆହ୍ୱାନ
ଯାଜପୁର, : ୨୯/୧୧/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ପାଇଁ ଆଗାମୀ ଫେବୃଆରୀ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ‘ସାମୂହିକ ଔଷଧ ସେବନ’ କାର୍ଯ୍ୟକ୍ରମ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଯାଜପୁର ଜିଲ୍ଲାର କାର୍ଯ୍ୟକାରୀ ୟୁନିଟ୍ ଏବଂ ଜିଲ୍ଲାରେ ଥିବା ବର୍ତ୍ତମାନର ଫାଇଲେରିଆ ବା ବାତଜ୍ୱର ରୋଗୀଙ୍କ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଲ୍ଲାରେ MMDP କିଟ୍ ବଣ୍ଟନର ସ୍ଥିତି, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନବ ସମ୍ବଳ ସ୍ଥିତି ଏବଂ ଅଗଷ୍ଟ ୨୦୨୫ରେ ହୋଇଥିବା ଏମଡିଏ ଅଭିଯାନରେ ବଡ଼ଚଣାର ଉପକେନ୍ଦ୍ରୱାରୀ ସଫଳତା ଓ ଯେଉଁ ଅଞ୍ଚଳରେ ଲୋକମାନେ ଔଷଧ ଖାଇବାକୁ ମନା କରିଥିଲେ ସେ ବିଷୟରେ ସମୀକ୍ଷା କରାଯାଇଥିଲା। ଆଗାମୀ ଫେବୃଆରୀ ୨୦୨୭ ଅଭିଯାନକୁ ସଫଳ କରିବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରାଯାଇଛି। ଔଷଧର ସଠିକ୍ ମାତ୍ରା ସହିତ ବିଭିନ୍ନ ମାଧ୍ୟମ ଯେପରିକି ଘରକୁ ଘର ବୁଲି ଔଷଧ ସେବନ, ବୁଥ୍ ମାଧ୍ୟମରେ, ଏମଡିଏ କର୍ଣ୍ଣର, ଡ୍ରଗ୍ ଡିପୋ ଏବଂ ଗୋଷ୍ଠୀଗତ ଆଭିମୁଖ୍ୟ ଜରିଆରେ କିଭଳି ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଔଷଧ ଖୁଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସହଯୋଗୀ ବିଭାଗର ଭୂମିକା, ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଏବଂ ଆବଶ୍ୟକୀୟ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କର ଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ଗ୍ରାମସଭା ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ବୈଠକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯାନକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ସଠିକ୍ ଭାବରେ ନିର୍ଦ୍ଦେଶ ଦେବାକୁ ସିଡିପିଓ ମାନଙ୍କୁ କୁହାଯାଇଥିବା ବେଳେ, ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏସଏମସି ବୈଠକ କରିବାକୁ ସିଆରସିସି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲ୍ଲାପାଳ ଏହି ଅଭିଯାନର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, “ଏହି ଅଭିଯାନକୁ ନେଇ ସମାଜରେ ଏକ ସକାରାତ୍ମକ ମାହୋଲ ସୃଷ୍ଟି ହେବା ଆବଶ୍ୟକ। ଅଭିଭାବକମାନେ ନିଶ୍ଚିତ ଭାବରେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାନ୍ତୁ, ଯେପରି ସେମାନେ ମଧ୍ୟାହ୍ନ ଭୋଜନ କରିବା ସହିତ ସୁରକ୍ଷିତ ଭାବରେ ଫାଇଲେରିଆ ନିରାକରଣ ଔଷଧ ସେବନ କରିପାରିବେ।” ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ ଏବଂ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ହିଁ ଆମେ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରି ଏକ ବଡ଼ ପରିବର୍ତ୍ତନ ଆଣିପାରିବା ବୋଲି ବୈଠକ ଶେଷରେ ବାର୍ତ୍ତା ଦିଆଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ରନାଥ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରଶ୍ମି ରଞ୍ଜନ ସାହୁ ଏବଂ ଡା. ରାମଚନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଯାଜପୁର ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ
|
November 29, 2026 |



