ସୁନ୍ଦରଗଡ ତା:୨୪/୧୦/୨୦୨୬(ସନ୍ଧାନ ନ୍ୟୁଜ) ପରିବାରର ଅଭାବ ଅନଟନ ଦୁର କରିବାକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଦୁଇ ମାସ ନ ପୁରୁଣୁ ଘରକୁ ଫେରିଲା ତାଙ୍କ ମୃତଦେହ। କର୍ଣ୍ଣାଟକର ମାଙ୍ଗାଲୋରରେ ସମୁଦ୍ରରେ ପଡ଼ି ମୃତ୍ୟୁବରଣ କରିଥିବା ତଲସରା ଥାନା ଅନ୍ତର୍ଗତ ଖମପୁର ଗ୍ରାମ ଖଡ଼ିଆପଡ଼ାର ପରମେଶ୍ୱର ନାଏକ (୩୩)ଙ୍କ ଶବ ଘରକୁ ଫେରିଛି। ସୂଚନା ଅନୁସାରେ, ପରମେଶ୍ୱର ନାଏକ ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ସାଙ୍ଗସାଥିଙ୍କ ସହ ଦୁଇ ମାସ ପୂର୍ବେ କର୍ଣ୍ଣାଟକର ମାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜେଡିଏସ୍ କମ୍ପାନୀରେ ମାଛ ଧରାଳି ଭାବେ କାମ କରୁଥିଲେ। ଗତ ୨୦ ତାରିଖ ମଙ୍ଗଳବାର ବୋଟ୍ରେ କାମ କରୁଥିବା ସମୟରେ ଗୋଡ଼ ଖସିଯିବାରୁ ସେ ସମୁଦ୍ରରେ ପଡ଼ିଯାଇଥିଲେ। ସାଥୀ ଶ୍ରମିକମାନେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଗତ ୨୨ ତାରିଖ ଗୁରୁବାର ସକାଳ ପ୍ରାୟ ୭ଟାରେ ସମୁଦ୍ରକୂଳରେ ତାଙ୍କ ମୃତଦେହ ଲାଗିଥିବା ଅନ୍ୟ ବୋଟ୍ର ଶ୍ରମିକମାନେ ଦେଖି ସୂଚନା ଦେଇଥିଲେ। ପରେ ସାଥୀ ଶ୍ରମିକମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଆର୍ଥିକ ଅଭାବ ଯୋଗୁଁ ପରିବାରଲୋକେ ମାଙ୍ଗାଲୋର ଯାଇ ମୃତଦେହ ଆଣିବାକୁ ଅସମର୍ଥ ହୋଇଥିଲେ। ଶେଷରେ କମ୍ପାନୀ ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଆର୍ଥିକ ସହାୟତା ଯୋଗାଡ଼ କରାଯାଇ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ଅଣାଯାଇଥିଲା। ତାଙ୍କ ପରିବାର ମୋଟ ୧୨ ଜଣ ସଦସ୍ୟ ଥିବାବେଳେ ତାଙ୍କ ବାପା ସୁଧର ନାଏକ(୭୦) ଙ୍କ ଚାରି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ପୁଅ ଓ ଝିଅଙ୍କ ବିବାହ ସରିଛି। ସାନପୁଅ ପରମେଶ୍ୱର ଅବିବାହିତ ଥିଲେ। ସୁଧର ତାଙ୍କ ସାନ ପୁଅ ପରମେଶ୍ୱର ନାଏକଙ୍କ ସହ ରହୁଥିଲେ। ପରିବାରର ନିଜସ୍ୱ ଚାଷଜମି ପ୍ରାୟ ନଥିବାବେଳେ ମାତ୍ର ସାତ ଡିସିମିଲ ଘରବାରି ଜମି ରହିଛି। ସରକାରୀ ସହାୟତା କହିଲେ କେବଳ ରାସନ ଚାଉଳ ମିଳୁଥିବାବେଳେ ଏଯାଏଁ ପରିବାରକୁ ଆବାସ ଗୃହ ମଧ୍ୟ ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଏହି ଗ୍ରାମର ଦୀପକ ପ୍ରଧାନ ମଧ୍ୟ ଗତ ବର୍ଷ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହ ମଧ୍ୟ ଗାଁକୁ ଫେରିଥିଲା। ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ଯୁବକମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଗ୍ରାମବାସୀ କହିଛନ୍ତି। ସେଠାରେ କାମ କରୁଥିବା ସମୟରେ ବିଭିନ୍ନ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ରୋକିବାକୁ ପ୍ରଶାସନ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ସହ ଯୁବକଯୁବତୀଙ୍କୁ ସ୍ଥାନୀୟ ସ୍ତରରେ କାମ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଉକ୍ତ ଅସହାୟ ପରିବାରକୁ ସରକାରୀ ସହାୟତ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଥିବା ଜଣାପଡ଼ିଛି ।
ଦାଦନ ଖଟିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକର ମୃତ୍ୟୁ, କମ୍ପାନୀ ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଫେରିଲା ଶବ
|
October 24, 2026 |



