ଯାଜପୁର, : ୨୯/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକଙ୍କୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ବିଭିନ୍ନ ସହାୟତା ରାଶି ସେପ୍ଟେମ୍ୱର ମାସ ପାଇଁ ପ୍ରଦାନ କରାଯାଇଛି l ଏଥିପାଇଁ ଅୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶ୍ରମିକ ତଥା ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ମନୋନୀତ ହିତାଧିକାରୀଙ୍କୁ ଡମି ଚେକ ମାଧ୍ୟମରେ ସାନ୍ତ୍ଵନାମୂଳକ ଅର୍ଥ ରାଶି ପ୍ରଦାନ କରାଯାଇଛି l ଶିକ୍ଷା ସହାୟତା ବାବଦରେ 110 ଜଣଙ୍କୁ 19,12,400/,ବିବାହ କାଳୀନ ସହାୟତା 92 ଜଣଙ୍କୁ 46 ଲକ୍ଷ ଟଙ୍କା, ପ୍ରସୂତି କାଳୀନ ସହାୟତା 19 ଜଣଙ୍କୁ 1,90,000/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦରେ 41 ଜଣଙ୍କୁ 1 କୋଟି 22 ଲକ୍ଷ ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ 40 ଜଣଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି l କାର୍ଯ୍ୟକ୍ରମ ପରେ ପରେ ତୁରନ୍ତ ଡିବିଟି ମାଧ୍ୟମରେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ରାଶି ଛାଡିଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ, ଯାଜପୁର ରେଞ୍ଜ ଶ୍ରୀ ଶିବ ଶଙ୍କର ମିଶ୍ର,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଯାଜପୁର ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ) ଶ୍ରୀ ସୁଧିର କୁମାର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ) ଶ୍ରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଡମି ଚେକ ପ୍ରଦାନ କରିଥିଲେ l ଆବେଦନ ଗୁଡିକ ସମସ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ଵାରା ଅନୁସନ୍ଧାନ କରିବା ପରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଙ୍କ ଦ୍ଵାରା ଜିଲ୍ଲାପାଳ ମହୋଦୟଙ୍କ ଅନୁମୋଦନ ନିମନ୍ତେ ପଠାଯାଇ ଅନୁମୋଦିତ ହୋଇଥିଲା l କାର୍ଯ୍ୟକ୍ରମର ସୁପରିଚାଳନାରେ ନାରାୟଣ ଚନ୍ଦ୍ର ନନ୍ଦ ସହଯୋଗ କରିଥିଲେ l



