ସୁନ୍ଦରଗଡ ତା:୧୨/୫/୨୦୨୬( ସନ୍ଧାନନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳରେ ଏବେ ବେଧଡ଼କ ଚାଲିଛି ଜୁଆ ଖେଳ। ପୋଲିସ ଆଖିରେ ଧୂଳି ଦେଇ ଜୁଆଡ଼ିମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏଠାକୁ କେବଳ ସ୍ଥାନୀୟ ଲୋକ ନୁହନ୍ତି, ବରଂ ଦୁଇ ପଡ଼ୋଶୀ ରାଜ୍ୟର ସୀମାନ୍ତ ଅଞ୍ଚଳରୁ ମଧ୍ୟ ଖେଳାଳିଙ୍କ ସୁଅ ଛୁଟୁଛି। ସନ୍ଧ୍ୟା ସମୟରୁ ଜମୁଛି ଆସର, ଆଉ ଲକ୍ଷ ଲକ୍ଷ ଟଙ୍କାର ହେଉଛି କାରବାର। ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ତଳସରାରେ ଏବେ ଜୁଆ ଖେଳ ଏକ ସାଧାରଣ କଥା ହୋଇଗଲାଣି। ଜଙ୍ଗଲ ପାର୍ଶ୍ୱ କିମ୍ବା ନିଛାଟିଆ ସ୍ଥାନରେ ଡେରା ପକାଉଛନ୍ତି ଜୁଆଡ଼ି। ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବାରୁ ଏଠାରେ ବାହାର ରାଜ୍ୟର ଖେଳାଳିଙ୍କ ଭିଡ଼ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଏହି ଜୁଆ ଖେଳ ଯୋଗୁଁ ଅଞ୍ଚଳରେ ଅପରାଧିକ ମାମଲା ବଢିବାରେ ଲାଗିଛି। ବାହାରୁ ଆସୁଥିବା ଅଜଣା ବ୍ୟକ୍ତିଙ୍କ ଗହଳି ଚଳପ୍ରଚଳକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି। କେବଳ ରାତି ନୁହେଁ, ବେଳେବେଳେ ଦିନ ଦ୍ୱିପ୍ରହରରେ ମଧ୍ୟ ଏହି ବେଆଇନ କାରବାର ଚାଲୁଥିବା ଅଭିଯୋଗ ହେଉଛି।
ପ୍ରଶ୍ନ ଉଠୁଛି, ପୋଲିସର ନାକ ତଳେ ଏତେ ବଡ଼ ବେଆଇନ କାରବାର ଚାଲିଛି କିପରି? କାହିଁକି ଏହି ଜୁଆଡ଼ିମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ଏହି ଜୁଆ ଖେଳରେ ଅଞ୍ଚଳର କିଛି ପ୍ରଭାବଶାଳୀ ଲୋକ ସହିତ ଶିକ୍ଷକ ଓ ପୋଲିସ କର୍ମଚାରୀ ସଂପୃକ୍ତି ଥିବା ସୂତ୍ରରୁ ଜଣାପଡୁଛି । ଏହି ଜୁଆ ଖେଳ କାରଣରୁ ଅଞ୍ଚଳରେ ଅନେକ ପରିବାର ସର୍ବହରା ହେଉଥିବା ବେଳେ ଆଗାମୀ ଯୁବପିଢି ଙ୍କ ଭବିଷ୍ୟତ ସଙ୍କଟରେ ଥିବା ଚର୍ଚ୍ଚା ହେଉଛି । ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି ।
ତଳସରା ଗ୍ରାମରେ ଜମୁଛି ଜୁଆ ଆଡ୍ଡା
|
May 12, 2026 |



