କବାଟବନ୍ଧ ରଣାସାହିରେ ଶନିଶ୍ଚରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା: ପୂର୍ଣ୍ଣାହୁତିରେ ଉଛୁଳୁଛି ଆଧ୍ୟାତ୍ମିକତାର ପରିବେଶ

Spread the love

ଜେନାପୁର (ସନ୍ଧାନ ନ୍ୟୁଜ), ୨୬/୪:ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ରଣାସାହିରେ ଏକ ନୂତନ ଆଧ୍ୟାତ୍ମିକ ଅଧ୍ୟାୟ ଯୋଡ଼ି ହୋଇଛି। ଗ୍ରାମ ରଣା ସାହିର ଦୀର୍ଘ ଦିନର ଶ୍ରଦ୍ଧା ଓ ପ୍ରଚେଷ୍ଟାର ଫଳସ୍ୱରୂପ ପ୍ରଭୁ ଶନିଶ୍ଚର ଦେବଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅତି ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। ଚଳିତ ମାସ ୨୨ ତାରିଖ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଶନିବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପ୍ରଦାନ ସହ ସଫଳତାର ସହ ଶେଷ ହୋଇଛି।

ଉତ୍ସବର ପ୍ରାରମ୍ଭରେ ଏକ ବିଶାଳ କଳସ ଯାତ୍ରା ପରିବେଶରେ ପବିତ୍ରତା ଭରି ଦେଇଥିଲା। ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଅଙ୍କୁରା ରୋପଣ, ଗୋ-ପୂଜା, ସୂର୍ଯ୍ୟ ପୂଜା ଏବଂ ନବ ଯୌବନ ଦର୍ଶନ ପରି ପ୍ରତିଟି ନୀତିକାନ୍ତି ପଣ୍ଡିତଙ୍କ ବେଦମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହୋଇଥିଲା। ନବନିର୍ମିତ ମନ୍ଦିରରେ ପ୍ରଭୁଙ୍କ ବିଗ୍ରହ ସ୍ଥାପନ ସମୟରେ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ଏକ ବୈକୁଣ୍ଠଧାମର ଭ୍ରମ ସୃଷ୍ଟି କରିଥିଲା।

ଏହି ଚାରି ଦିନିଆ ଧର୍ମୀୟ ଯଜ୍ଞରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସାଙ୍ଗକୁ ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା। ଉତ୍ସବର ଅନ୍ୟତମ ବିଶେଷତ୍ୱ ଥିଲା ‘ଆନନ୍ଦ ବଜାର’। ଏହି ଅନ୍ନ ଯଜ୍ଞରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସହସ୍ରାଧିକ ଭକ୍ତ ଏକତ୍ର ହୋଇ ପ୍ରସାଦ ସେବନ କରିଥିଲେ। ଏହି ବ୍ୟବସ୍ଥା ଭକ୍ତଙ୍କ ମନରେ ଏକ ଅପୂର୍ବ ଶାନ୍ତି ଭରିଦେବା ସହ ସମାଜରେ ଭାତୃଭାବ ଓ ଏକତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଥିଲା।

ରଣାସାହିର ଆବାଳବୃଦ୍ଧବନିତାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଶୃଙ୍ଖଳିତ ସେବା ମନୋଭାବ ଯୋଗୁଁ ଏହି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଶନିଶ୍ଚରଙ୍କ ଏହି ନବନିର୍ମିତ ପୀଠ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପାଇଁ ଶ୍ରଦ୍ଧା ଓ ବିଶ୍ୱାସର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Related Posts

About The Author

Add Comment