ଅଙ୍ଗନବାଡ଼ି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା: ଶିଶୁଙ୍କ ଜୀବନ ସହ ଖେଳୁଛି ପ୍ରଶାସନ, ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Spread the love

ଯାଜପୁର/୨୪/୦୪/ (ସନ୍ଧାନ ନ୍ୟୁଜ):କୋମଳମତୀ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ବରୀ ବ୍ଲକ ଅଞ୍ଚଳରେ ଏହାର ଏକ ବିପରୀତ ଚିତ୍ର ସାମ୍ନାକୁ ଆସିଛି। ସରକାରୀ ଅର୍ଥକୁ ହରିଲୁଟ୍ କରିବା ସହ ନିମ୍ନମାନର କାର୍ଯ୍ୟ କରି ଶିଶୁଙ୍କ ଜୀବନକୁ ବିପଦକୁ ଠେଲି ଦେବା ଭଳି ସଂଗୀନ ଅଭିଯୋଗ ଉଠିଛି।ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ଇଚ୍ଛାପୁର ୱାର୍ଡରେ ନିର୍ମାଣଧୀନ ନୂତନ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ଏହି ଗୃହ ପାଇଁ ଉନ୍ନତ ମାନର ସିମେଣ୍ଟ, ଲୁହା ଛଡ଼ ଓ ଇଟା ବ୍ୟବହାର ହେବାର ନିୟମ ଥିଲେ ହେଁ, ଏଠାରେ ସବୁ ନିୟମକୁ ଫୁ’ କରି ଉଡାଇ ଦିଆଯାଉଛି। କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଥିବା ଏହି କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ନିମ୍ନମାନର ନିର୍ମାଣ: ପତଳା ବାଲି ବ୍ୟବହାର ଓ ପ୍ଳିଣ୍ଟ ସ୍ତରରେ ରହିଥିବା ତ୍ରୁଟି ଯୋଗୁଁ ଗୃହର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
​ଯନ୍ତ୍ରୀଙ୍କ ଅନୁପସ୍ଥିତି: ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କାମ ହେବା କଥା, କିନ୍ତୁ କାର୍ଯ୍ୟସ୍ଥଳରେ ତାଙ୍କର ଦେଖା ନଥିବା ଅଭିଭାବକମାନେ କହିଛନ୍ତି।
​ଶିଶୁଙ୍କ ଜୀବନ ସହ ସାଲିସ୍: ନିମ୍ନମାନର ଢଳାଇ ଯୋଗୁଁ ଭବିଷ୍ୟତରେ କୋଠା ଭୁଶୁଡ଼ିବା ଭଳି ଦୁର୍ଘଟଣା ଘଟିପାରେ, ଯାହା ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ଗ୍ରାମବାସୀ ଶୁକ୍ରବାର ଦିନ ବରୀ ଏ-ବିଡ଼ିଓ ମହେଶ୍ୱର ସେଠୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। “ଯଦି କାମ ସଠିକ ଭାବରେ ନହୁଏ, ତେବେ ଆମେ ଆମ ପିଲାଙ୍କୁ ଏଠାକୁ ଛାଡ଼ିବୁ ନାହିଁ” ବୋଲି ସେମାନେ ରୋକଠୋକ୍ ଶୁଣାଇ ଦେଇଛନ୍ତି।
ଅଭିଯୋଗ ଗ୍ରହଣ କରିବା ପରେ ଏ-ବିଡ଼ିଓ ଶ୍ରୀ ସେଠୀ ଘଟଣାର ତଦନ୍ତ କରି କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ଏବଂ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Posts

About The Author

Add Comment