ଟ୍ରେଡିଂ ଆପରେ ଟଙ୍କା ଲଗାଇ କାଙ୍ଗାଳ ହେବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

Spread the love

ଝାରସୁଗୁଡ଼ା/କେନ୍ଦ୍ରାପଡ଼ା/ସନ୍ଧାନ ନ୍ୟୁଜ୍: ଟ୍ରେଡିଂ ଆପରେ ଟଙ୍କା ଲଗାଇ କାଙ୍ଗାଳ ହେବା ପରେ ଅନ୍ୟ କିଛି ବାଟ ନପାଇ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ଝାରସୁଗୁଡ଼ାରେ । ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ାରେ । ରେଜଗାର ପାଇଁ ଘରର ଭେଣ୍ଡିଆ ପୁଅ କେନ୍ଦ୍ରାପଡ଼ାରୁ ଝାରସୁଗୁଡ଼ା ଯାଇଥିବା ବେଳେ ଏବେ ବୁଢ଼ା ବାପା ପୁଅର ମୃତଦେହ ଧରି ଘରକୁ ଫେରିଛନ୍ତି । ଘଟଣା ଝାରସୁଗୁଡ଼ା ରେଳ ଷ୍ଟେସନରେ ଘଟିଛି । ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ାରେ ବୋଲି ଜଣାପଡ଼ିଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଅଚ୍ୟୁତାନନ୍ଦ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ । ଏଥିସହ ସେ କଲର ଟ୍ରେଡିଂ ଗେମ୍ବଲିଂ ଆପରେ ଟଙ୍କା ଲଗାଇଥିଲେ । ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ । ସେଥିରୁ ମୁକୁଳିବାକୁ ସେ ଆଉ ୨୦ରୁ ୨୫ ଲକ୍ଷର ରଣ ବି କରି ଦେଇଥିଲେ । ମାତ୍ର ତାହା ବି ବୁଡ଼ିଗଲା । ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ । ଋଣ କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି । ଫଳରେ ସବୁଆଡ଼ୁ ନିରାଶ ହେବା ପରେ ସେ ଜୀବନ ହାରିବାକୁ ଶେଷ ନିଷ୍ପତ୍ତି ନେଇଯାଇଥିଲେ । ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି । ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି । ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ । ତାହା ମୁଁ ସହି ପାରି ନଥାନ୍ତି । ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି । କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ । ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେସନରୁ କିଛି ଦୂରରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ପୋଲିସ୍‌ ଓ ରେଳବାଇ ପୋଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାପରେ ମୃତଦେହ ଧରି ପରିବାର ଲୋକେ ଘରକୁ ଫେରିଥିବା ଜଣାଯାଇଛି ।

Related Posts

About The Author

Add Comment