ବାଲିଗୁଡା, ୨୭/୦୧/୨୪: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ ସହ ସକାଳ ୭ଟା ରେ ଟାଉନର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପରେ ପରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଟାଉନରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୂଜ୍ୟପୂଜା ସହ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ବାଧିନତା ପାଇବା ବହୁତ କଷ୍ଟକର କିନ୍ତୁ ସ୍ବାଧିନତାକୁ ସାଇତି ରଖିବା, ସ୍ବାଧିନତାକୁ ସୁରକ୍ଷିତ ରଖିବା ଏବଂ କିଛି ଦିନ ପରେ ସ୍ବାଧୀନତାକୁ ଆଉ କାହାକୁ ଦେବା ଅଧିକ କଷ୍ଟକର” ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟ ରେ କହିଥିଲେ ।ଉକ୍ତ ସାମୁହିକ ପ୍ୟାରେଡ଼ରେ ୩୦ ଗୋଟି ପ୍ୟାରେଡ ଦଳ ଭାଗ ନେଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ମଧ୍ୟାହ୍ନରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅନ୍ତଃରୋଗୀ ମାନଙ୍କୁ ଫଳ ବଣ୍ଟନ, ସ୍ଥାନୀୟ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ବନବାସୀ ସେବା ସମିତିଠାରେ ହିମାଂଶୁ ଶେଖର ଦାସଙ୍କ ପ୍ରଦତ୍ତ ଫଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବନ୍ଧୁମିଳନର ଆୟୋଜନ ହୋଇଥିଲା l ଏତଦ ବ୍ୟତୀତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା l ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟଶ ପ୍ରତାପ ଶ୍ରୀମଲ ଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍କା ପରିଚାଳନା କରିଥିବା ବେଳେ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମୀରଞ୍ଜନ ମହାରଣା, ତୀର୍ଥବାସୀ ଘଡାଇ, ବ୍ରଜବନ୍ଧୁ ସାହାଣି ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ
|
January 28, 2024 |



