ଯୋଡ଼ା,୨୭/୧୨ (ସନ୍ଧାନ ନିୟୁଜ): ଗ୍ରାମୀଣ ଯୁବବର୍ଗମାନଙ୍କ ମଧ୍ୟରେ ନେତୃତ୍ୱ ଓ ଦଳଗତ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଯୋଡ଼ା ଓ ଏହା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଯୁବବର୍ଗଙ୍କ ନିମନ୍ତେ ଜାମସେଦପୁରଠାରେ ଏକ ବାହ୍ୟ ନେତୃତ୍ୱ ଶିବିର ଆୟୋଜିତ ହୋଇଯାଇଛି । କୁଡ଼ାପୋଶି, ବେଣୁଆପାଣି, ଯୋଡ଼ା, ଖୁଣ୍ଟପାଣି, ଯଜାଙ୍ଗ, କମଳପୁର, କୁନ୍ଦୁରପାଣି, ବାମେବାରୀ, କୋଇଲା ହଟିଂ, ସହିଦ ନଗର, ବିଛାକୁଣ୍ଡି, ହୁଡ଼ିସାହୀ ଏବଂ କ୍ୟାମ୍ପ ହଟିଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ୨୪ ଜଣ ବାଳିକା ଓ ୨୫ ଜଣ ବାଳକଙ୍କୁ ମିଶାଇ ମୋଟ ୪୯ ଜଣ ଯୁବବର୍ଗ ଏହି ୩ ଦିନିଆ ଶିବିରରେ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ପ୍ରତିଯୋଗୀମାନଙ୍କୁ ନିଜ ନେତୃତ୍ୱ ଓ ଦଳଗତ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପାହାଡ଼ ଆରୋହଣ, ଅବରୋଧ ଦୌଡ଼ ପ୍ରତିଯୋଗିତା, ଫ୍ଲାଇଂ ଫକ୍ସ, ରାପଲିଂ, ପଏଣ୍ଟ-ଟୁ-ପଏଣ୍ଟ ନେଭିଗେସନ୍, କେଭିଂ ଏବଂ ଟ୍ରେକିଂ ଭଳି ବିଭିନ୍ନ ଟାସ୍କ ଦିଆଯାଇଥିଲା । ଏହାସହିତ ସେମାନଙ୍କୁ ଏକ ଭଲ ବ୍ୟକ୍ତି ଭାବେ ଗଢି ତୋଳିବାରେ ସହଯୋଗ କରିବା ପାଇଁ ପାରସ୍ପରିକ କୌଶଳ ବୃଦ୍ଧି କରିବାର ଉପାୟ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା । ବିଶେଷଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଅଧିବେସନର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ନିଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍ଆଇଏନ୍ଏଲ୍) ର ଚିଫ୍ ଶ୍ରୀ ରାଜେଶ କୁମାରଙ୍କ ଦ୍ୱାରା ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଟିଏସ୍ଏଫ୍ ଯୋଡା ୟୁନିଟ୍ ମୁଖ୍ୟ ରବିନ୍ଦ୍ର କୁମାର, ଟିଏସ୍ଏଫ୍ ଖଣ୍ଡବନ୍ଧର ୟୁନିଟ୍ ଲିଡ଼ ବିନୋଦ କୁମାର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଶିବିର ବିଷୟରେ ନିଜର ଅଭିଜ୍ଞତାକୁ ନେଇ ଯଜାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ପ୍ରିୟଙ୍କା ନାୟକ କହିଛନ୍ତି ଯେ, ତାଙ୍କୁ ଏଭଳି ଉଚ୍ଚମାନର ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିବ ବୋଲି ସେ କେବହେଲେ ଭାବିନଥିଲେ । ବାଳିକାମାନେ ମଧ୍ୟ ବାଳକମାନଙ୍କ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ସେ ଏଠାରେ ଶିକ୍ଷା ହାସଲ କରିଛନ୍ତି । କେବଳ ଆମ ନିକଟରେ ଇଛା ଶକ୍ତି ରହିବା ଆବଶ୍ୟକ । ତେବେ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ସେ ଟିଏସ୍ଏଫ୍ କୁ କୃତଜ୍ଞତା ଜଣାଇଛନ୍ତି । ଚମ୍ପା କୁଦର ଗ୍ରାମର ସଲମାନ ମୁଣ୍ଡା କହିଛନ୍ତି ଯେ, “ଏଭଳି ଶିକ୍ଷଣୀୟ ଶିବିରରେ ମୁଁ ପ୍ରଥମ ଥର ପାଇଁ ଭାଗ ନେଇଛି । ଦଳଗତ କାର୍ଯ୍ୟ ସଫଳତା ପ୍ରଦାନ କରିଥାଏ ବୋଲି ମୁଁ ଏଠାରେ ଜାଣିବାକୁ ପାଇଲି । ଆମ ଅଞ୍ଚଳର ସମସ୍ତ ଗଠନମୂଳକ କାର୍ଯ୍ୟ ନିମନ୍ତେ ଏକ ଭଲ ଦଳ ଗଠନ ପାଇଁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିପାରିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି ।”ନିଜ ପ୍ରତିବଦ୍ଧତାର ଅଂଶବିଶେଷ ଭାବେ ସମାଜରେ ଉଚ୍ଚମାନର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧକୁ ବିକଶିତ କରିବା ଏବଂ ଯୁବବର୍ଗଙ୍କୁ ନିଜର ଅନ୍ତର୍ନିହିତ ଗୁଣଗୁଡ଼ିକର ପରିପ୍ରକାଶ ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟିଏସ୍ଏଫ୍ ପକ୍ଷରୁ ଟାଟା ଷ୍ଟିଲର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ନିୟମିତ ବ୍ୟବଧାନରେ ଏଭଳି ଶିବିରମାନ ଆୟୋଜନ କରାଯାଉଛି ।
ଯୋଡ଼ା ଯୁବବର୍ଗଙ୍କ ଦକ୍ଷତାର ବିକାଶ କରୁଛି ଟିଏସ୍ଏଫ୍ ର ‘ବାହ୍ୟ ନେତୃତ୍ୱ ଶିବିର’
|
December 27, 2022 |
