ବାରିପଦା(ସନ୍ଧାନ ନ୍ୟୁଜ୍)୧୨/୦୭- : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ହାତୀପଲ କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡ଼ି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି ।
ରବିବାର ରାତିରେ ପୁଣି ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି । ଚମ୍ପୁଆ ଏନଏସି ୨ନଂ ୱାର୍ଡର ପାଞ୍ଚ ପୋଖରୀଆ ଅଞ୍ଚଳରେ ଗୋଠଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ପାଞ୍ଚପୋଖରୀଆ ମୁଣ୍ଡା ସାହିର ୬୦ ବର୍ଷିୟା ରାଜେଶ୍ୱରୀ ସର୍ଦ୍ଧାର । ରବିବାର ବିଳମ୍ବିତ ରାତିରେ ଶୌଚ ପାଇଁ ଅଗଣାକୁ ଯାଇଥିବା ବେଳେ ଏକ ଗୋଠ ଛଡା ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ଟେକି କଚାଡି ଦେଇଥିଲା ଦନ୍ତା । ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କେନ୍ଦୁଝର ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।


