ଯାଜପୁର, ୨୫/୦୫/୨୦୨୧ (ସନ୍ଧାନ ନିଉଜ) : ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏକ ସୁନ୍ଦର ପଦକ୍ଷେପ ହେଉଛି ଓଡିଶା ଜୀବିକା ମିଶନ । ଏହାର ଅନ୍ତରାଳରେ ଚାଲିଛି ଭୟଙ୍କର ଆପତ୍ତି ଜନକ କାର୍ଯ୍ୟ । ଯାଜପୁର ଜିଲ୍ଲାର ଧର୍ମଶାଳାରେ ଏଭଳି ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଏଠାରେ ଯୋଜନାରେ ବେଆଇନ ନିଯୁକ୍ତି ପାଇଁ ମହାସଂଘର କର୍ମକର୍ତ୍ତାଙ୍କୁ ବ୍ଲାକମେଲ କରାଯାଉ ଥିବାର ଲେଖାଯୋଖା ଅଭିଯୋକୁ ନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନକରି ମାଡି ବସିଛି ଖୋଦ ପ୍ରଶାସନ । ଓଡିଶା ଜୀବିକା ମିଶନ ଜରିଆରେ ମହିଳା ସଶକ୍ତିକରଣର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପବଦ୍ଧ । ହେଲେ ଏହାର କାର୍ଯ୍ୟକାରିତା ପାଇଁ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ଖାତିର ନକରି ନିଜ ସ୍ୱାର୍ଥ ପାଇଁ ଏହି ଯୋଜନାକୁ ବାଟବଣା କରି ଚାଲିଛନ୍ତି । ଧର୍ମଶାଳାର କମାଗଡ ମହାସଂଘର ସଂପାଦିକା ପ୍ରମିଳା ସ୍ୱାଇଁ ଓଡିଶା ଜୀବିକା ମିଶନର ଯାଜପୁର ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କ ନିକଟରେ କରିଥିବା ଅଭିଯୋଗ ଏହି ଯୋଜନାରେ ଚାଲିଥିବା ଭ୍ରଷ୍ଟାଚାରର ବିସ୍ପୋରକ ରୂପକୁ ପ୍ରମାଣିତ କରିଛି । ତାଙ୍କର ଅଭିଯୋଗ ଅନୁସାରେ କମାଗଡରେ ଏମ.ବି.କେ ଭାବେ ନିଯୁକ୍ତି ପାଇଥିବା ଜଣେ ଆବେଦନକାରୀଙ୍କ ନିଯୁକ୍ତି ସପକ୍ଷରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଇ ଥିଲା । ତାଙ୍କର ଘରେ କେହି ନଥିବା ବେଳେ ଏଭଳି ଉଦ୍ୟମ କରାଯିବା ସହ ଦସ୍ତଖତ ନଦେଲେ ସେ ଘର କରି ରହୁଥିବା ଜମିରୁ ତାଙ୍କୁ ଉଠାଇ ଦିଆଯିବ ଏବଂ ଉକ୍ତ ଜମି ଉପରେ ବାଡ ପକାଯିବ ବୋଲି ଧମକ ଦେଇଥିଲେ । ଗତ ୧୦ ତାରିଖରୁ ଏହି ଅଭିଯୋଗ କରାଯାଇ ଥିଲେ ମଧ୍ୟ ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କ ତରଫରୁ ଏଥିନେଇ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ । ଏଥିରୁ ଏହି ବ୍ଲାକମେଲ ଅନ୍ତରାଳରେ ଖୋଦ ଜିଲ୍ଲାର ଏହି ଅଧିକାରୀ ସଂପୃକ୍ତ ବୋଲି ପ୍ରମାଣିତ ହୋଇଛି । ଏଠାରେ ଏହି ପଂଚାୟତରେ ବେଆଇନ ଭାବେ ହୋଇଥିବା ଏମ.ବି.କେ ନିଯୁକ୍ତିକୁ ଆଇନସିଦ୍ଧ କରିବା ପାଇଁ ଏହି ବ୍ଲାକମେଲ କରାଯାଉ ଥିଲା । ଏଥିରେ କମାଗଡ ଏମ.ବି.କେ ନିଯୁକ୍ତିରେ ବେଆଇନ ହୋଇଥିବାର ସ୍ପଷ୍ଟ ହେଉଛି ।
ସରକାରଙ୍କ ଗାଇଡ ଲାଇନର ସିଧାସଳଖ ଉଲଂଘନ କରାଯାଇ କମାଗଡରେ ଏମ.ବି.କେ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ମଧ୍ୟ ଯାଜପୁର ଜିଲ୍ଲାପାଳ ଏବଂ ଧର୍ମଶାଳା ବି.ଡି.ଓଙ୍କ ନିକଟରେ ତଥ୍ୟଭିତ୍ତିକ ଅଭିଯୋଗ ଯଥାକ୍ରମେ ମେ ୬ ତାରିଖ ଏବଂ ୧୨ ତାରିଖରେ କରାଯାଇଛି । ଏହି ଅଭିଯୋଗର ଦୁଇ ସପ୍ତାହ ବିତିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅଭିଯୋଗରୁ ପ୍ରକାଶ, କମାଗଡ ପଂଚାୟତ ମହାସଂଘର ଗାୟତ୍ରୀ ଆଞ୍ଚଳିକ ମଂଚର ବେତମାଳିଶାସନ ଗ୍ରାମର ସୁଷମା ଜେନା ଦୀର୍ଘ ୯ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସେ ମଧ୍ୟ ନିଜର କାର୍ଯ୍ୟଧାରାରେ ଆଞ୍ଚଳିକ ମଂଚର ପ୍ରତ୍ୟେକ ସଦସ୍ୟଙ୍କ ବିଶ୍ୱାସ ଭାଜନ ଓ ଗ୍ରହଣୀୟ ହୋଇ ରହିଛନ୍ତି । ତାଙ୍କର କାର୍ଯ୍ୟଧାରା ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ତରଫରୁ କେବେ ବି ପ୍ରଶ୍ନବାଚୀ ହେବାର ନଜିର ନାହିଁ । ଓଡିଶା ଜୀବିକା ମିଶନର ବ୍ୟବସ୍ଥା ଅନୁସାରେ ସି.ଆର.ପି ଭାବେ କାର୍ଯ୍ୟ କରିଥବା ସୁଷମାଙ୍କୁ ୧୦ ନଂବର ମିଳିବା ପରିବର୍ତ୍ତେ ୫ ନଂବର ଦିଆଯାଇଛି । ଏପରିକି ସୁଷମା ଥିବା ଗାୟତ୍ରୀ ଆଞ୍ଚଳିକ ମଂଚରୁ କୌଣସି ଇ.ସି ସଭ୍ୟଙ୍କୁ ଏହି ନିଯୁକ୍ତି ପାଇଁ କରାଯାଇ ଥିବା ସ୍କିନିଂ କମିଟିର ସଭ୍ୟ ଭାବେ ନିଆଯାଇ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଚାକିରୀ ପାଇଁ ସୁଷମା ସବୁଠାରୁ ଅଧିକ ଯୋଗ୍ୟ ଏବଂ ଦକ୍ଷ ବୋଲି ବିଭାଗୀୟ ଅଧିକାରୀ ମାନେ ଜାଣିଥିଲେ । ବିଧି ବ୍ୟବସ୍ଥା ଅନୁସାରେ କମାଗଡର ଏମ.ବି.କେ ନିଯୁକ୍ତି ଦିଆଗଲେ ସୁଷମାଙ୍କୁ ନିଯୁକ୍ତି ମିଳିବ । ତେଣୁ ବିଭାଗୀୟ ଅଧିକାରୀ ମାନେ ନିଜ ପସନ୍ଦର ଆଶାୟୀଙ୍କୁ ନିଯୁକ୍ତି ଦେବାକୁ ଏହି ଚକ୍ରାନ୍ତ କରାଯାଇ ଥିଲା ।
ଏତିକିରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଚକ୍ରାନ୍ତର ଶେଷ ହେଉନାହିଁ । ଏହି ପଦବୀରେ ଯାହାଙ୍କୁ ନିଯୁକ୍ତି ମିଳିଛି, ସେ ମଧ୍ୟ କମାଗଡ ପଂଞ୍ଚାୟତ ମହାସଂଘର ସଭ୍ୟ ନୁହନ୍ତି । ନିଯୁକ୍ତି ପାଇଥିବା ମହିଳା ଜଣକ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ଉକ୍ତି ଗୋଷ୍ଠି ମଧ୍ୟ ଆଞ୍ଚଳିକ ମଂଚ କିମ୍ବା ପଞ୍ଚାୟତ ମହାସଂଘରେ ସାମିଲ ହୋଇନାହିଁ । ଓଡିଶା ଜୀବିକା ମିଶନର ଗାଇଡ ଲାଇନର ଏହା ଉଲଂଘନ । ସୁଷମାଙ୍କ ନିଯୁକ୍ତି କରାଇ ନଦେବା ପାଇଁ ଏଥିନେଇ ହୋଇଥିବା ମୌଖିକ ପରୀକ୍ଷାରେ ତାଙ୍କୁ ବିଷୟବସ୍ତୁ ବାହାରେ ଅଧିକ ପ୍ରଶ୍ନ ପଚରା ଯାଇଥିଲା । ଏହାପରେ ମଧ୍ୟ ବିଧି ବ୍ୟବସ୍ଥା ଅନୁସାରେ ସି.ଆର.ପି ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ୧୦ ନଂବର ପ୍ରଦାନ କରାଯାଇ ଥିଲେ ସୁଷମା ନିଯୁକ୍ତି ପାଇଥାନ୍ତେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମାଗଡରେ ବେଆଇନ ନିଯୁକ୍ତି ନେଇ କମାଗଡ ମହାସଂଘ ସଭ୍ୟମାନେ ଗତ ମେ ୬ ତାରିଖରେ ଧର୍ମଶାଳା ବି.ଡି.ଓ ଙ୍କ ନିକଟରେ ଲିଖିତ ଅଭିଯୋଗ କଲେ । ଏଥିରେ ସଭ୍ୟ ମାନଙ୍କ ତରଫରୁ ନିଯୁକ୍ତିରେ କରାଯାଇଥିବା ଅନିୟମିତତା ଏବଂ ନିଯୁକ୍ତି ପାଇଥିବା ମହିଳାଙ୍କ ଏହି କାର୍ଯ୍ୟ ପରିଚାଳନା ପାଇଁ କୌଣସି ଅଭିଜ୍ଞତା ନଥିବାର ଦର୍ଶାଯାଇଥିଲା । କମାଗଡରେ ବେଆଇନ ଭାବେ ନିଯୁକ୍ତି ନେଇ ମଧ୍ୟ ଗତ ୧୬ ତାରିଖରେ ବୈଠକରେ ଆଲୋଚନା ହୋଇ ବୈଠକ ବିବରଣୀରେ ଉଲ୍ଲେଖ ହୋଇଛି । ଏଥିନେଇ ପ୍ରଶାସନ ତୁରନ୍ତ ସରକାରଙ୍କ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆନେ୍ଦାଳନ ହେବା ସହ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଯୋଜନା ଚାଲିଛି ।
ଧର୍ମଶାଳାରେ ଓଡିଶା ଜୀବିକା ମିଶନରେ ମହିଳାଙ୍କୁ ବ୍ଲାକମେଲ
|
May 25, 2021 |



