ଯାଜୁପୁର, ୨୮/୦୩/୨୧ (ସନ୍ଧାନ ନିଉଜ) : ଯାଜୁପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରରେ ମାଫିଆରାଜ ଦିନକୁ ଦିନ ସମସ୍ତ ସୀମା ପାର ହେବାରେ ଲାଗିଛି । ଏହାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସୁରକ୍ଷା ତଥା ସହଯୋଗ କରାଯିବା ଲୋକତନ୍ତ୍ର ପାଇଁ ଅତ୍ୟନ୍ତ ବିପଦ ଜନକ । ସୂଚନା ଅଧିକାର କର୍ମୀ ତଥା ବି.ଜେ.ପି ନେତା ସର୍ବେଶ୍ୱର ବେଉରାଙ୍କୁ ଯେଭଳି ଭାବେ ଆକ୍ରମଣ କରାଗଲା ତାହା ଚରମ ପାଶବିକତାର ନମୁନା । ଏଭଳି ହୀନ କାର୍ଯ୍ୟ ତଥା ମାଫିଆରାଜ ଆମ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟ । ତେଣୁ ପୋଲିସ ଏବଂ ପ୍ରଶାସନ ଏ କ୍ଷେତ୍ରରେ ସତର୍କ ହୋଇ ଖୁବଶିଘ୍ର ସଂପୃକ୍ତଙ୍କ ସହ ମୂଳ ଚକ୍ରାନ୍ତକାରୀଙ୍କୁ ଗିରଫ କରି ନବୀନ ସରକାରର ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଉଜ୍ଜ୍ୱଳ କରିବାକୁ ବି.ଜେ.ଡି ନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ସତୀଶ କହିଛନ୍ତି ଯେ, ଅହିଂସାକୁ ସମ୍ବିଧାନର ମୁଖବନ୍ଦରେ ସ୍ଥାନ ଦେବାକୁ ଦାବି କରି ଆମ ମୁଖ୍ୟମନ୍ତ୍ରୀ ସମଗ୍ର ବିଶ୍ୱରେ ଜଣେ ବିଶିଷ୍ଟ ଗାନ୍ଧୀବାଦୀର ପରିଚୟ ସୃଷ୍ଟି କରିଛନ୍ତି । ବିଜୁ ପରିବାର ଗାନ୍ଧୀ ଆଦର୍ଶର ମହାନ ସମର୍ଥକ ଓ ପ୍ରଚାରକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ନବୀନବାବୁ ବାରମ୍ବାର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଗଣତନ୍ତ୍ରରେ ଭିନ୍ନମତ ରହିଥାଏ ଏବଂ ଭିନ୍ନମତକୁ ସମ୍ମାନ ଦେବା ମଧ୍ୟ ସୁସ୍ଥ ପରମ୍ପରା । ଧର୍ମଶାଳାର ଲୋକେ ବିଜୁ ଆଦର୍ଶ ଓ ନବୀନବାବୁଙ୍କୁ ଦୀର୍ଘଦିନ ଧରି ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି । ହେଲେ ଏଠାରେ ମାଫିଆରାଜକୁ ଅଧିକ ସୁରକ୍ଷିତ କରିବାକୁ ବାରମ୍ବାର ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି, ନେତା, ସାମ୍ବାଦିକ, ସୂଚନା ଅଧିକାର କର୍ମୀ ମାନଙ୍କୁ ଆକ୍ରମଣ କରାଯାଉଛି । ଅତୀତରେ ଡଙ୍କାରୀର ମାଫିଆମାନେ ଜିଲ୍ଲାର କେତେକ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ସେହିପରି ଅତୀତରେ ଧର୍ମଶାଳାର ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ଗୌରବ ଆଣି ଦେଇଥିବା ରମାକାନ୍ତ ଜେନାଙ୍କ ନାମରେ ମିଥ୍ୟା କେସ କରାଯାଇ ଗଣମାଧ୍ୟମର କଣ୍ଠରୋଧ କରାଯାଇ ଥିଲା । ଏପରିକି ଧର୍ମଶାଳାର ନିଷ୍ଠାପର ସାମ୍ବାଦିକଙ୍କ ପେଷାଗତ କାର୍ଯ୍ୟରେ ମଧ୍ୟ ବ୍ୟାପକ ପଥରୋଧ କରାଯାଇଛି । ଏହା ସମସ୍ତେ ଜାଣନ୍ତି । ସର୍ବେଶ୍ୱରଙ୍କୁ ଆକ୍ରମଣ ଘଟଣାରେ ସତୀଶ କହିଛନ୍ତି ଯେ, ଯିଏ ଭୁଲ କରିଥାଏ ତାର ପ୍ରତିକ୍ରିୟାଶୀଳ କିମ୍ବା ପ୍ରତିଶୋଧ ପରାୟଣ ହେବାର କୌଣସି ଅଧିକାର ନାହିଁ । ଯିଏ ଭୁଲ କରି ନଥାଏ ତାର କୌଣସି ସୂଚନା ଅଧିକାରୀ କର୍ମୀଙ୍କୁ ଡରିବାର କିମ୍ବା ତାଙ୍କ ବିରୋଧରେ ଯିବାର କୌଣସି ନୀତିଗତ ଅଧିକାର ନାହିଁ । ସର୍ବେଶ୍ୱରଙ୍କ କୌଣସି କାର୍ଯ୍ୟ ଯଦି କାହାକୁ କଷ୍ଟ ଦେଇଥାଏ ତେବେ ଏହାର ପ୍ରତିବାଦ କରିବାକୁ ଅନେକ ଫୋରମ ରହିଛି । ହେଲେ ଏଭଳି କାର୍ଯ୍ୟ କେବଳ ପାଶବିକତା ନୁହେଁ ବରଂ ଭୀରୁ ଏବଂ କାପୁରୁଷତାର ପରିଚୟ ।
ଧର୍ମଶାଳାର ମାଫିଆରାଜ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟ
|
March 28, 2021 |


