ଧର୍ମଶାଳା, ୦୬/୦୨/୨୧ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକର ପ୍ରମୁଖ ପେଣ୍ଠସ୍ଥଳୀ କୁହାଯାଉଥିବା ଜାରକା ଅସ୍ଥାୟୀ ବସ୍ ଷ୍ଟାଣ୍ଡର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉଦ୍ବେଗଜନକ ସ୍ଥିତି ଧାରଣ କରୁଛି । ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ଚାଲୁଥିବା ଦୃଷ୍ଟିରୁ ସର୍ଭିସ ରୋଡଟି ସମ୍ପ୍ରତି ରାଜପଥର କାର୍ଯ୍ୟ ତୁଲାଉଛି । ରାସ୍ତାରେ ଏତେ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି ଯେ, ସର୍ଭିସ ରୋଡରେ ସବୁ ବେଳେ ପଛକୁ ପଛ ଗାଡି ଲାଇନ୍ ଲାଗୁଛି । କେତେ ନେତା, ମନ୍ତ୍ରୀ, ଭିଆଇପି ଏହି ରାସ୍ତାରେ ଦୈନଦିନ ଯାତାୟତ କରୁଛନ୍ତି । କିନ୍ତୁ କିଛି ବି ପ୍ରଭାବ ପଡୁନି ରାଜପଥ କର୍ତ୍ତୁପକ୍ଷଙ୍କ ଉପରେ । ଦିନେ ଦିନେ ଏତେ ଜାମ ହେଉଛି ଯେ, ସେମାନଙ୍କ ଗାଡି ହେଉ ବା ଆମ୍ବଲାନ୍ସ ଆଗକୁ ଗଡିବା ଅସମ୍ଭବ । କଲିକତାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାତାୟତ କରୁଥିବା ଯାନାବାହନ ରାତି ପାହିଲେ ଏହି ରାସ୍ତା ଉପରେ ନିର୍ଭରଶୀଳ । ସେମାନଙ୍କ ପାଇଁ ଏହା ଲାଇଫ୍ ଲାଇନ୍ ରାଜପଥ କହିଲେ ଅତୁ୍ୟକ୍ତି ହେବ ନାହିଁ । ୫ ମିନିଟ୍ ବିଳମ୍ବ ଘଟିଲେ କାହାର ଜୀବନ ଚାଲିଯିବାର ସମ୍ବାବନା ରହିଛି । ଏହାବାଦ୍ ଧର୍ମଶାଳାବାସୀ ମଧ୍ୟ ଏହି ବିପଦପୂର୍ଣ୍ଣ ରାଜପଥ ଉପରେ ସର୍ବଦା ନିର୍ଭରଶୀଳ । ସର୍ଭିସ ରୋଡ ଉପରେ ଏବେ ଚାଲିଛି ଜାରକା ବସ ଷ୍ଟାଣ୍ଡ । ଜାରକାରୁ କଟକ-ଭୁବନେଶ୍ୱର ଆଦି ଗନ୍ତବ୍ୟସ୍ଥଳକୁ ଲୋକମାନଙ୍କୁ ଯିବା ପାଇଁ ରାସ୍ତା ଉପରେ ଅପେକ୍ଷା କରିବାକୁ ପଡୁଛି । ପାଶ୍ୱର୍ରେ କୌଣସି ଜାଗା ନଥିବାରୁ ଯାତ୍ରୀମାନଙ୍କୁ ନେବା ପାଇଁ ବସଟିଏ ରାସ୍ତା ଉପରେ ଟିକେ ଛିଡା ହୋଇଗଲେ ସାଙ୍ଗେ ସାଙ୍ଗେ ପଛକୁ ପଛ ଗାଡିମଟରର ଲମ୍ବା ଲାଇନ ଲାଗି ଯାଉଛି । ସର୍ଭିସ ରୋଡଟି କମ୍ ଚଉଡା ହୋଇଥିବାରୁ ପ୍ରତିଦିନ ଗାଡିକି ଗାଡି ଧକ୍କା ଲାଗୁଛି । ରାସ୍ତା ଅପର ପାଶ୍ୱର୍କୁ ସ୍ଥାନୀୟ ଲୋକେ ଯିବାକୁ ଡରିଲେଣି । ପାଦେ ପାଦେ ବିପଦ । ଟିକେ ଅସାବଧାନତା ହେଲେ ଜୀବନ ଚାଲିଯିବାର ଭୟ । ଏବେ ସ୍କୁଲ କଲେଜ ଖୋଲୁ ଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜପଥ ପାର ହେବା ବଡ ସମସ୍ୟା ଉପୁଜିଛି । ଜାରକା ଗଳିପୋଲଟି ସ୍ଥାନୀୟ ଲୋକମାନଙ୍କର ଯାତାୟତ ପାଇଁ ମୁଖ୍ୟରାସ୍ତା ଥିବା ବେଳେ ରାସ୍ତା କାର୍ଯ୍ୟ ପାଇଁ ଗତ ବର୍ଷେ ହେଲା ବନ୍ଦ ହୋଇପଡିଛି । ବସ୍ ଷ୍ଟାଣ୍ଡ୍ରେ ଦୁଇ ଜଣ ପୁଲିସ ଜଗୁଥିଲେ ମଧ୍ୟ ଗାଡି ଗୁଡିକର ବେପାରୁଆ ଗାଡି ଚାଳନା ଅନେକ ସମୟରେ ଦୁର୍ଘଟଣା ଘଟାଇବା ନଜିର ରହିଛି । ତେବେ ରାସ୍ତା କାର୍ଯ୍ୟ ସରୁନଥିବାରୁ ଆହୁରି କେତେ ମାସ ଲୋକେ ଏମିତି ବିପଦରେ ଯାତାୟତ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜାରକା ସର୍ଭିସ ରୋଡ ତୁଲାଉଛି ରାଜପଥର କାର୍ଯ୍ୟ; ରାସ୍ତା ଉପରେ ବସ ଷ୍ଟାଣ୍ଡ
|
February 6, 2021 |