ନୀଳଗିରି, 30.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):– ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁର ଦଶାହକର୍ମ ସରିନି ଚାଲିଗଲା ଆଉ ଜଣଙ୍କ ଜୀବନ। ୧୦ ଦିନ ଭିତରେ ଲିଭିଗଲା ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଦୀପ। ଜେଜେବାପାଙ୍କ ଦଶାହକର୍ମ ଚାଲିଥିଲା। ହେଲେ ବିଧାତାର ବିଡମ୍ଵନା ଏମିତି ଜେଜେବାପାଙ୍କ ଶ୍ରାଦ୍ଧ କର୍ମ ଚାଲିଥିବା ବେଳେ ପାଣିରେ ବୁଡି ଚାଲିଗଲା ନାତିଙ୍କ ଜୀବନ। ଏମିତି ଦୁଃଖଦାୟକ ଏବଂ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଜେଜେବାପାଙ୍କ ଦଶାହକର୍ମ ବେଳେ ପାଣିରେ ବୁଡି ନାତିର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ସ୍ଥିତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କର ଆଜି ଦଶାହକର୍ମ ସ୍ଥାନୀୟ ଗାଡ଼ିଆରେ ହେଉଥିଲା। ପରିବାର ଓ ସମ୍ପର୍କୀୟ ମାନେ ଖିଅର ହୋଇ ଗାଧୋଉଥିଲେ। ତାଙ୍କର ନାତି ୨୦ ବର୍ଷୀୟ ଓଁକାର ବୁଡ ପକାଉଥିଲେ। ହେଲେ ଗୋଡ ଖସିଯିବାରୁ ଏବଂ ପହଁରା ଜାଣି ନଥିବାରୁ ଗାଡିଆରେ ବୁଡି ଯାଇଥିଲେ। ଓଁକାର ହେଉଛନ୍ତି ସଞ୍ଜୀବ କୁମାର ମହାପାତ୍ରାଙ୍କ ବଡ ପୁଅ। ତାଙ୍କୁ ଖୋଜାଖୋଜି କରି ପାଣି ଭିତରୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲକୁ ଅଣା ଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ମେଧାବୀ ଛାତ୍ର ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଜେଜେବାପାଙ୍କ ଶ୍ରାଦ୍ଧ କର୍ମ ଚାଲିଥିବା ବେଳେ ପାଣିରେ ବୁଡି ଚାଲିଗଲା ନାତିଙ୍କ ଜୀବନ
|
January 30, 2021 |



