ରାଉରକେଲା, ୦୬/୦୧/୨୧ (ସନ୍ଧାନ ନିଉଜ) : ଆଜି ପୂର୍ବାହ୍ନରେ ରାଉରକେଲା ଇସ୍ପାତ କାରଖାନାର କୋଲ କେମିକାଲ ବିଭାଗରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଫଳରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଥିବା ଖବର ମିଳିଛି । ଏହି ଘଟଣାରେ ଆରଏସପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୨ ଜଣ ଡିଜିଏମ ନଭେନ୍ଦୁ ଦାଶ ଓ ଗୋପବନ୍ଧୁ ବାରିକଙ୍କୁ କର୍ତବ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଥିôବା ଖବର ମିଳିଛି । ଗ୍ୟାସ ଲିକରେ ୪ ମୃତକ ମାନଙ୍କ ମଧ୍ୟରୁ ଦୁଇ ଜଣ ବ୍ୟକ୍ତି ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ମୃତକ ମାନେ ହେଲେ ସେକ୍ଟର-୫ କବିସମ୍ରାଟପଲୀର ବ୍ରହ୍ମାନନ୍ଦ ପଣ୍ଡା(୫୧), ଲାଠିକଟା ଅଂଚଳର ଅଭିମନ୍ୟୁ ପାଲ(୩୩), ସାରନଗରୀ କନଷ୍ଟ୍ରକସନ କଲୋନୀର ରବୀନ୍ଦ୍ର ସାହୁ(୫୯) ଓ ଗଣେଷ ଚନ୍ଦ୍ର ପାଇଲୋ(୫୫) । ଏହି ଘଟଣା ପ୍ରଚାରିତ ହେବା ପରେ ରାଉରକେଲା ସମେତ ସାରନଗରୀ କନଷ୍ଟ୍ରକସନ କଲୋନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ୟାସଲିକରେ ଗୁରୁତର ଅସୁସ୍ଥ ମାନଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତି କରାଯାଇଥିଲା । ଚିକିତ୍ସା କାଳରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ପରିବାର ବର୍ଗର ଜଣଙ୍କୁ ଅନୁକମ୍ପାମୂଳକ ଚାକିରୀ ଦେବାକୁ ମୃତକଙ୍କ ପରିବାରବର୍ଗ ମାନଙ୍କ ପକ୍ଷରୁ ଦାବି ହୋଇଛି ।
ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ, ୪ ମୃତ, ଦୁଇ ଡିଜିଏମ ନିଲମ୍ବିତ
|
January 6, 2021 |