ଭୋଗରାଇ, ୨୨/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): କେନ୍ଦ୍ର ସରକାର ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଗୁରୁତ୍ବ ଦେଉଥିଲା ବେଳେ ସମସ୍ତ ଭିତ୍ତିଭୂମି ଥାଇ ବି ଭୋଗରାଇ ବ୍ଲକ ଗୋପୀନାଥପୁର ସ୍ଥିତ ଏକମାତ୍ର ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଅବହେଳିତ ଅବସ୍ଥାରେ ରହିଛି । କେନ୍ଦ୍ର ସରକାର ଏହି ଚିକିତ୍ସାଳୟକୁ “ହେଲଥ ଏଣ୍ଡ ୱେଲନେସ ସେଣ୍ଟର’ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଏଠାରେ ଡାକ୍ତର ନଥିବା ଦର୍ଶାଇ ଏହାକୁ ପ୍ରଥମ ପର୍ଯ୍ୟାୟରେ ସ୍ଥଗିତ ରଖି ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେଣୁ ତୁରନ୍ତ ଏହି ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଏହାକୁ ହେଲଥ ଏଣ୍ଡ ଓ ଲିନେସ ସେଣ୍ଟର’ ଘୋଷଣା କରି ବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ସରକାରଙ୍କ ଠାରେ ଦାବି ଜଣାଇବେ ବୋଲି କହିଛନ୍ତି । ୧୯୬୭ ମସିହାରେ ସ୍ଥାପିତ ଭୋଗରାଇ ବ୍ଲକରେ ଏହି ଏକମାତ୍ର ସରକାରୀ ଆୟୁର୍ବେଦ ଚିକିତ୍ସାଳୟଟି ହଜାର ହଜାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଆସୁଛି । ମାତ୍ର ବିଭିନ୍ନ ସମୟରେ ସରକାର ଏହାର ଗୁରୁତ୍ଵକୁ ବିବେଚନା ନ କରି ଔଷଧ ଯୋଗାଣ ବନ୍ଦ କରିବା ସହ ଏଠାକାର ନିଯୁକ୍ତ ଡାକ୍ତରଙ୍କୁ ଡେପୁଟେସନରେ ଅନ୍ୟ ସ୍ଥାନକୁ ପଠାଉଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ନିଯୁକ୍ତ ଥିବା ଡାକ୍ତର ହରିଶ କୁମାର ପାଣିଗ୍ରାହୀଙ୍କୁ ପଦୋନ୍ନତି ଦେଇଥିବାରୁ ଏକ ପ୍ରକାର ଏହି ଚିକିତ୍ସାଳୟ ଡାକ୍ତର ଶୂନ୍ୟ ହୋଇଛି । ଅନ୍ୟପକ୍ଷରେ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା “ହେଲଥ ଏଣ୍ଡ ଓ ଲନେସସେଣ୍ଟର’ ଯୋଜନାରେ ଏହି ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇଥିଲା । ଏହା ହୋଇଥିଲେ ଡାକ୍ତରଙ୍କ ସହ ଜଣେ ସହାୟକ, ୨ଜଣ ଯୋଗ ଶିକ୍ଷକ, ଜଣେ ଡାଟା ଏଣ୍ଡି ଅପରେଟର ସହିତ ଡାକ୍ତରଖାନା ପରିସରରେ ହର୍ବଲ ଗାର୍ଡେନ, ପଞ୍ଚ କର୍ମ ଚିକିତ୍ସା ପଦ୍ଧତି, ନିଦାନ ବିଭାଗ ତଥା ଆବଶ୍ୟକ ମୁତାବକ ଔଷଧ ମହଜୁଦ ଭଳି ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହି ଥା’ ତା । ମାତ୍ର ଏଠାରେ ଡାକ୍ତର ନ ଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ଚିକିତ୍ସା ବିଭାଗ (ଆୟୁର୍ବେଦ) ଅନ୍ୟ ଏକ ବ୍ଲକରେ ଥିବା ଡାକ୍ତରଖାନାର ନାମ ପ୍ରସ୍ତାବ ଦେଇଥିବାଜଣାପଡ଼ିଛି । ଦୀର୍ଘ ଦିନ ଧରି ଚିକିତ୍ସା ସେବା ଯୋଗାଇ ଆସୁଥିବା ଏହି ଆୟୁର୍ବେଦ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଏହାକୁ “ହେଲଥ ଏଣ୍ଡ ୱେଲନେସ ସେଣ୍ଟର’ ଘୋଷଣା କରିବାକୁ ଶିକ୍ଷାବିତ୍ ପଙ୍କଜାକ୍ଷ ପଣ୍ଡା, ମହେଶ ରଞ୍ଜନ ମିଶ୍ର, ମୁରାରୀ ମୋହନ ଗିରି, ଗୋପୀନାଥପୁର ସରପଞ୍ଚ ସୁମିତା ସିଟ, ଜୟରାମପୁର ସରପଞ୍ଚ ଦୀପ୍ତିମୟୀ ମିଶ୍ର, ସମାଜସେବୀ ଅମଳେନ୍ଦୁ ଦାସ, ହୀରାଚାନ୍ଦ ଦାସ, ରାଜୀବ ଘୋଷ, ଅମର ମହାନ୍ତି, ବିଶ୍ଵ ର ଦାସ, ପୂର୍ବତନ ସରପଞ୍ଚ ଜଗନ୍ନାଥ ପରିଡ଼ା, ଜିଲ୍ଲା ପରିଷଦ ଅଧକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଦାବି ଜଣାଇଛନ୍ତି । ଏନେଇ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ ମଧ୍ୟ ସରକାରଙ୍କ ନିକଟରେ ଦାବି କରିବେ ବୋଲି ଜଣାଇଛନ୍ତି ।