ବାରିପଦା, 16/10 (ସନ୍ଧାନ ନ୍ୟୁଜ୍) :- ବିଷାକ୍ତ ଦ୍ରବ୍ୟ ଖୁଆଇ ସ୍ବାମୀ ଅରୁଣ ଖଣ୍ଡେଲୱାଲା(୩୧)ଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଆଲାଦିନୀ ନାଏକ (୨୯)ଙ୍କ ଲିଖୁତ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ଆଜି ୭୦୭/୨୦ ନମ୍ବରର ଏକ ନରହତ୍ୟା ମାମଲା ୩୦୨ ଓ ୩୪ ଦଫାରେ ରୁଜୁ ହୋଇଥିବା ଟାଉନ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କଠାରୁ ପ୍ରକାଶ । ମୃତକଙ୍କ ଘର ବାରିପଦା ୯ ନମ୍ବର ୱାର୍ଡ ମଧୁବନ ଅଂଚଳ ଏବଂ ଅଭିଯୋଗକ୍ରମେ ମୃତକଙ୍କର ପିତା, ମାତା, ଭାଇ ଓ ଭଉଣୀ ପ୍ରମୁଖଙ୍କ ସମେତ ୮ ଜଣ ଅଭିଯୁକ୍ତ ଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀ ଆଲାଦିନୀ ନାଏକଙ୍କ ୨୦୧୯ ଜାନୁଆରୀ ୨୨ ତାରିଖରେ ମୃତକ ଅରୁଣ ଖଣ୍ଡେଲୱାଲାଙ୍କର ସେମାନଙ୍କ ସାମାଜିକ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଥିଲା ଏବଂ ବିବାହର ଦୁଇ ମାସ ପର୍ଯ୍ୟନ୍ତ ସେ ଶ୍ୱଶୁରଙ୍କ ଘରେ । ରହିଥିଲେ । ପରବର୍ତ୍ତୀ ସମୟରେ ପରିବାରରେ ବିବାଦ ପରିସ୍ଥିତି ସୃଷ୍ଟି ହେବାରୁ ସେ ଓ ତାଙ୍କ ସ୍ୱାମୀ ଉଭୟେ ସମ୍ବଲପୁର ଜିଲାର ଧନୁପାଲି ଥାନା ଅଂଚଳରେ ତାଙ୍କ ପିତାଙ୍କ ଘରେ ରହୁଥିଲେ। କିନ୍ତୁ ୨୦୨୦ ମେ ୧୮ ତାରିଖରେ ଶାଶୁଙ୍କଠାରୁ ଫୋନ ଯୋଗେ ଖବର ପାଇ ତାଙ୍କ ସ୍ବାମୀ ବାରିପଦାଠାରେ ପରିବାରଙ୍କ ସହ ରହୁଥିବା ସହିତ ସ୍ୱାମୀଙ୍କ ସହିତ ନିୟମିତ ଫୋନରେ ଯୋଗାଯୋଗ ରହିଥିଲା। ତାଙ୍କ ସ୍ବାମୀଙ୍କର ମୃତ୍ୟୁ ସଂପର୍କରେ ଫୋନ ଯୋଗେ ଗତ ୧୪ ତାରିଖ ବୁଧବାର ସନ୍ଧ୍ୟା ୫ଟାରେ ଖବର ପାଇବା ପରେ ସେ ଓ ତାଙ୍କ ପରିବାର ବାରିପଦାଠାରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କ ସ୍ବାମୀଙ୍କ ଅନ୍ତେଷ୍ଟିକ୍ରିୟାରେ ସାମିଲ ହେବାକୁ ଦିଆଯାଇ ନ ଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପୁଲିସ ପକ୍ଷରୁ ଏହି ମୃତ୍ୟୁ ନେଇ ବାରିପଦା ଟାଉନ ଥାନାରେ ଗତ ୧୪ ତାରିଖ ବୁଧବାର ୧୫୩/୨୦ ନମ୍ବର ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପଞ୍ଚନାମା କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ଏଠାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରି ରହିଥିବାର ପ୍ରକାଶ । ଏହି ମୃତ୍ୟୁ ଘଟଣା ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସ୍ତ୍ରୀ ଅଭିଯୋଗରେ ସ୍ବାମୀ ପରିବାରର ଜଣଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ
|
October 16, 2020 |