ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ ।*

Spread the love
ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ ।*

*ସେମାନେ ହେଲେ, ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣି, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ଓ ରେବତୀ ।*

*ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ। ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ*

*କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ। କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ତର ହେଲା । ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍‌କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘ଯକ୍ଷ୍ମା’ ହେଉବୋଲି ଅଭିଶାପ ଦେଲେ । ଯକ୍ଷ୍ମାରେ ପୀଡ଼ିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ‌। ବହୁ ଯାଗଯଜ୍ଞଦ୍ୱାରା ମଧ୍ୟ କିଛି ସୁଫଳ ମିଳିଲାନାହିଁ ।*

*ଔଷଧମାନଙ୍କର ଅଧିପତି ଚନ୍ଦ୍ରଙ୍କର ଜ୍ୟୋତି ଓ ଶକ୍ତିହୀନତା ଯୋଗୁଁ ଔଷଧୀୟବୃକ୍ଷ ତଥା ସମଗ୍ର ଉଦ୍ଭିଦଜଗତ ରୋଗନାଶକ ଶକ୍ତି ହରାଇ ବସିଲେ । ସମଗ୍ର ସଂସାରରେ ହାହାକାର ପଡ଼ିଗଲା । ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ ।*

*ଚନ୍ଦ୍ରଙ୍କୁ ପ୍ରଭାଯୁକ୍ତ କରି ସରସ୍ୱତୀ ତୀର୍ଥ ‘ପ୍ରଭାସ’ ତୀର୍ଥ ନାମରେ ଖ୍ୟାତି ଅର୍ଜନ କରିଛି । କିନ୍ତୁ, ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ । ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା ।*

*ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ। ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ । ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ। ବିଷ୍ଣୁ ତାଙ୍କୁ ସେହିବର ଦେଲେ । ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ । ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା ।*

*ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍‌ଧ ହେଲେ । ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ । ଏହିକର୍ମଦ୍ୱାରା ଚନ୍ଦ୍ରଙ୍କର ଦେବତ୍ୱ ହ୍ରାସ ଘଟେ ।*

*ଚନ୍ଦ୍ରଙ୍କର ତାରାଙ୍କ ସହିତ ଅବୈଧପ୍ରେମକୁ ନେଇ ଅନ୍ୟଏକ କଳଙ୍କମୟ ପୌରାଣିକ ପ୍ରବାଦ ରହିଛି । ଚନ୍ଦ୍ରକଳାର ହ୍ରାସବୃଦ୍ଧି ଅନୁସାରେ କୃଷ୍ଣଚତୁର୍ଦ୍ଦଶୀ ଦିନ ଚନ୍ଦ୍ରଙ୍କର କିଛି ଅବଶେଷ ରହେନାହିଁ ।*

*ପୁରାଣ ବର୍ଣ୍ଣନା ଅନୁସାରେ ଅମାବାସ୍ୟା ଦିନଟି ଚନ୍ଦ୍ର ଲୋକଲୋଚନରୁ ଲୁକ୍‌କାୟିତ ରହି ଦେବଗୁରୁ ବୃହସ୍ପତିଙ୍କ ଗୃହରେ ବିଦ୍ୟାର୍ଥୀରୂପେ ଅବସ୍ଥାନ କରନ୍ତି । ଗୁରୁଙ୍କ ଅନୁମତିରେ ମାସରେ ଏକଦିନ ଚନ୍ଦ୍ର ଗୁରୁଙ୍କ ଗୃହରେ ଆସି ଲୁକ୍‌କାୟିତ ଅବସ୍ଥାରେ ରହନ୍ତି ଏବଂ ଅମାବାସ୍ୟା ଓ ପ୍ରତିପଦାରେ ଲୋକଲୋଚନରେ ଦର୍ଶନରେ ଆସନ୍ତି ।*

*ସୌମ୍ୟକାନ୍ତ ଚନ୍ଦ୍ରଙ୍କ ଦର୍ଶନରେ ଗୁରୁପତ୍ନୀ ତାରା ମୁଗ୍‌ଧ ହୋଇ ପ୍ରେମ ନିବେଦନ କରନ୍ତି । ଚନ୍ଦ୍ର ରୂପସୀ ତାରାଙ୍କ ପ୍ରେମଭିକ୍ଷାକୁ ପ୍ରତ୍ୟାଖ୍ୟାନ ନକରି ନିଜର ସମ୍ମତି ପ୍ରଦାନ କରନ୍ତି ଏବଂ ନିତି ଅମାବାସ୍ୟାରାତିରେ ତାରାଙ୍କ ସହିତ ଅଭିସାର ରଚନ୍ତି। ଏହି ପରକୀୟା ସମ୍ପର୍କରୁ ଚନ୍ଦ୍ର ‘ତାରାପତି’ ନାମରେ ବିଦିତ ।*

*ଯଥାସମୟରେ ତାରାଙ୍କର ଏକ ପୁତ୍ରସନ୍ତାନ ପ୍ରସୂତ ହୁଏ । ଜାତକ ଗଣନାଦ୍ୱାରା ବୁଧ ଅବୈଧ ସନ୍ତାନ ବୋଲି ବୃହଷ୍ପତି ଜାଣିପାରନ୍ତି । ତେଣୁ ଚନ୍ଦ୍ରଙ୍କୁ ଅଭିଶାପ ଦିଅନ୍ତି, ଫଳରେ ଚନ୍ଦ୍ରଙ୍କ ଦେହରେ ଚିରଦିନ ରହିଯାଏ କଳଙ୍କ । ଗୁରୁପତ୍ନୀଙ୍କ ସହିତ ପ୍ରଣୟ ଶାସ୍ତ୍ରନିଷିଦ୍ଧ । ଏଣୁ ପୁରାଣ ବର୍ଣ୍ଣନାକୁ ଆଧାର କରି ଚତୁର୍ଦ୍ଦଶୀରେ ଚନ୍ଦ୍ରଙ୍କ ଗୁରୁଗୃହକୁ ଆସିବା ଓ ପ୍ରତିପଦାଯାଏ ରହଣି ସମୟକୁ, ଅର୍ଥାତ୍ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦାଦି ତିଥି ତ୍ରୟକୁ ବିଦ୍ୟାଧ୍ୟୟନ ପାଇଁ ନିଷେଧ କରାଯାଇଛି ।*

Related Posts

About The Author

Add Comment