ସିଭିଲକୁ କ୍ରିମିନାଲ ମାମଲାର ରୂପ ଦେବା ପ୍ରକ୍ରିୟା ବନ୍ଦ ହେଉ

Spread the love

ବାରିପଦା, ୧୬/୦୭/୨୦ (ସନ୍ଧାନ ନିଉଜ) : ଦେଓ୍ବାନି (ସିଭିଲ) ମାମଲାକୁ ଅପରାଧିକ (କ୍ରିମିନାଲ) ମାମଲାର ରୂପ ଦିଆଯାଉଛି । ରାୟକୁ ନିଜ ସପକ୍ଷରେ ନେବା ପାଇଁ ଏହି ବିବାଦରେ ପକ୍ଷଭୁକ୍ତ ବ୍ୟକ୍ତି ଏଭଳି ଘଟଣା ଘଟାଉଛନ୍ତି । ଏଥିରେ ଆଇନଗତ ପ୍ରକ୍ରିୟାର ଦୂରୁପଯୋଗ ହେଉଛି । ଏଭଳି ଘଟଣା ଉପରେ ଅଙ୍କୁଶ ଲାଗିବା ଉଚିତ । ଚୁକ୍ତି ସଂପର୍କିତ ବିବାଦ ବା ଦେଓ୍ବାନି ମାମଲାକୁ ଅପରାଧ ମାମଲାରେ ବଦଳାଇବା ଭଳି ଘଟଣାରେ ଏତଲା ଦାୟର ପୂର୍ବରୁ ପୋଲିସ ପ୍ରାଥମିକ ତଦନ୍ତ କରିବା ବାଧ୍ୟତାମୂଳକ ହେବା ଅତି ଆବଶ୍ୟକ ହୋଇପଡିଛି । ତାହେଲେ ଯାଇ ଆଇନର ଅପବ୍ୟବହାର ଉପରେ ଅଙ୍କୁଶ ଲାଗିପାରିବ । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏକ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏସ. ରଂଜନ ରାଜୁଙ୍କ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେବା ସହିତ ଏଭଳି ଗୁରୁତ୍ବପୂର୍ଣ୍ଣ ଟିସ୍ପଣୀ ରଖିଛନ୍ତି । ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ନ୍ୟାସନାଲ ମିସନ୍ ଫର ଜଷ୍ଟିସ ଡେଲିଭରି କାଉନସେଲିଂ ସ୍ପଷ୍ଟ କରିଥିଲା ଯେ ଦେଶର ବିଭିନ୍ନ ନିମ୍ନ ଅଦାଲତରେ ବିଚାରାଧୀନ ୧୮.୬ ନିୟୁତ ମାମଲା ଗୁରୁତର ଅପରାଧ ସଂପର୍କିତ । ଦେଓ୍ବାନି ବିବାଦକୁ ପ୍ରତିଶୋଧ ପରାୟଣ ହୋଇ ଅପରାଧିକ ମାମଲାରେ ପରିଣତ କରାଯିବା ଦ୍ବାରା ଏପରି ଅପରାଧିକ ବିବାଦ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଏଭଳି ଉଦ୍ୟମ ବନ୍ଦ ହେବା ଉଚିତ । ଯାହା ଦ୍ବାରା ଅପରାଧିକ ମାମଲା ବିଚାର କରୁଥିବା ଅଦାଲତ ସମାଜକୁ ପ୍ରଭାବିତ କରୁଥିବା ଗୁରୁତର ଅପରାଧ ପ୍ରସଂଗ ଉପରେ ଅଧିକ ଦୃଷ୍ଟି ଦେଇପାରିବେ । ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରତ୍ବର ସହିତ ଗ୍ରହଣ କରି କରିଛନ୍ତି । ଦେଓ୍ବାନି ଆଇନ ସଂପର୍କିତ ପ୍ରକ୍ରିୟା ଅଧିକ ସମୟ ସାପେକ୍ଷ ହୋଇଥିବା ଭାବି ଲୋକମାନେ ଅପରାଧିକ ମାମଲା ରୁଜୁ କରିବାକୁ ଗୁରୁତ୍ବ ଦେଉଛନ୍ତି । ପାରିବାରିକ ବିବାଦ କ୍ଷେତ୍ରରେ ଏଭଳି ଧାରା ଦେଖିବାକୁ ମିଳୁଥିବା ବେଳେ ଏହା ବିବାହ ସଂପର୍କ ଭାଙ୍ଗିଥାଏ । ଯଦି କୌଣସି ବ୍ୟକ୍ତିକୁ କୈାଣସି ପ୍ରକାର ଅପରାଧିକ ମାମଲାରେ ସଂପୃକ୍ତ କରି ଦିଆଯାଏ ତେବେ ଅନ୍ୟ ବିବାଦର ତୁରନ୍ତ ସମାଧାନର ସମ୍ଭାବନା ରହିଛି ବୋଲି ଅଧିକାଂଶ ଲୋକଙ୍କ ଧାରଣା ରହିଛି । ଏଭଳି ଚିନ୍ତାଧାରାକୁ ପ୍ରତିହିତ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ଏଥିସହିତ , ଅପରାଧିକ ଆଇନର ମେସିନାରି ବ୍ୟବହାର କରି ଦେଓ୍ବାନି ବିବାଦର ସମାଧାନ କରିବାକୁ ଚାହୁଁଥିବା ମୋକଦ୍ଦମାକାଳୀଙ୍କ ଦ୍ବାରା ଆଇନ୍ ପ୍ରକ୍ରିୟାର ଅପବ୍ୟବହାର ହେବାର ଉଦାହରଣ ଏବେ ନିୟମିତ ଦେଖିବାକୁ ମିଳୁଛି । ଫଳରେ , ଗୁରୁତ୍ବପୂର୍ଣ୍ଣ ଆପରାଧିକ ମାମଲା ଉପରେ ଧ୍ୟାନକୈନ୍ଦ୍ରିତା କରାଯାଇପାରୁନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ , କଲାକୁରି ଗୋଲା ବାବୁ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଫ୍ଲାଟ ଦେବାକୁ କହି ଆବେଦନକାରୀ ତାଙ୍କ ନିକଟରୁ ଟଙ୍କା ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀ ତାଙ୍କୁ ଫ୍ଲାଟ୍ ଦେଇ ନଥିଲେ । ୨୦୨୦ , ଜାନୁଆରୀ ୨୨ ସଂଧ୍ୟାରେ ଏହି ପ୍ରସଂଗକୁ ନେଇ ଅଭିଯୋଗକାରୀ ଓ ଆବେଦନକାରୀଙ୍କ ମଧ୍ୟରେ ଚଣ୍ଡିଖୋଲ ପେଟ୍ରୋଲ ପମ୍ପ ନିକଟରେ ବଚସା ହୋଇଥିଲା । ଆବେଦନକାରୀ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗକାରୀ ଦର୍ଶାଇ ଏକ କଂପ୍ଲେନ୍ କେସ୍ କରିଥିଲେ । ସିଆରପିସିର ଧାରା ୧୫୬(୩) ରେ ଏହି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚଣ୍ଡିଖୋଲ ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏ ନେଇ ବଡ଼ଚଣା ଥାନା ପୋଲିସ ଏକ ମାମଲା ରୁଜୁ କରି ଆବେଦନକାରୀଙ୍କୁ ୨୦୨୦ , ଫେବୃଆରୀ ୧୨ ରେ ଗିରଫ କରିଥିଲା । ଫେବୃଆରୀ ୨୦ ରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ସୋଇଥିଲେ । ଅଭିଯୋଗକାରୀ ଓ ତାଙ୍କ ମଧ୍ୟରେ ୧୫ ବର୍ଷରୁ ଅଧିକର ବ୍ୟାବସାୟିକ ସଂପର୍କ ରହିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମୋକଦ୍ଦମା ରୁଜୁ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଯାଇଥିଲେ । ଖଣ୍ଡପୀଠ ମାମଲାରେ ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତାରୋପ କରି ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Related Posts

About The Author

Add Comment