ବାଲେଶ୍ଵର,୧୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗାନ୍ଧା ସ୍ମୃତିଭବନ । ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କି ନାଟକ ମହୋତ୍ସବ , କିମ୍ବା ପୁସ୍ତକ ମେଳା , ସବୁ କାର୍ଯ୍ୟକ୍ରମ ପାଇଁ ଲୋଡା ପଡେ ଏହି ପ୍ରେକ୍ଷାଳୟ ଗାନ୍ଧୀ ସ୍ମୃତିଭବନକୁ ନୂଆ ରୂପ ଦେବା ପାଇଁ ଭିନ୍ନ ଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏହାର ଚିତ୍ର ବଦଳୁନି । ଏବେ ପ୍ରାୟ ୧୭ଲକ୍ଷ ଟଙ୍କା ବ୍ୟୟରେ ପ୍ରୋକ୍ଷାଳୟର ଆଭ୍ୟନ୍ତରୀଣ ସାଜସଜ୍ଜା କାମ ଚାଲିଛି । ଏହି ନବୀକରଣ ପୁଣି କେତେ ବର୍ଷ ତିଷ୍ଠିବ ତାହା ଏକ ପ୍ରଶ୍ନବାଚୀ ।
୧୯୫୭ ମସିହାରେ ୨ ଏକର ପରିମିତ ଜମିରେ ଛିଡ଼ା ହୋଇଥିଲା ଗାନ୍ଧୀ ସ୍ମୃତିଭବନ ଏଥିପାଇଁ ରାଜା ବୈକୁଣ୍ଠନାଥ ଦେ ଭୂସମ୍ପତ୍ତି ଦାନ କରିଥିଲେ । ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ସାଂସଦ ପାଣ୍ଠିରୁ ପ୍ରାୟ ୩୨ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ କରାଯିବା ପରେ ୨୦୦୨ରେ ଏହାକୁ ଉଦଘାଟନ କରାଯାଇଥିଲା । ତେବେ ନବୀକରଣଙ୍କୁ ୧୦ବର୍ଷ ନପୂରୂଣୁ ପ୍ରେକ୍ଷାଳୟ ଭାଙ୍ଗିଯିବା ସାଧାରଣରେ ଚର୍ଚ୍ଚର ବିଷୟ ହୋଇଥିଲା । ପୂର୍ବତନ ପୈାରାଧ୍ୟକ୍ଷ ଆଲୋକ କୁମାର ସାହୁଙ୍କ ସମୟରେ ହିଁ ଗାନ୍ଧୀ ସ୍ମୃତି ଭବନର ମଞ୍ଚଟି ଭାଙ୍ଗି ତଳକୁ ଗଳିପଡିଥିଲା । ସେଥିରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଥିଲେ । ପରେ ମରାମତି ପାଇଁ ପୁଣି ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୧୫ ମସିହା ଅଗଷ୍ଟ ମାସରେ ଗାନ୍ଧୀ ସ୍ମୃତିଭବନ ଖୋଲାମଞ୍ଚର ପୁନବିନ୍ୟାସ ଓ ଆଧୁନିକୀକରଣ ବାବଦରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୮ ଲକ୍ଷ ଟଙ୍କା । ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଶୀତତାପ ନିୟନ୍ତ୍ରିତ ଅଭିଟୋରିୟମ ପାଇଁ ପ୍ରସ୍ତାବ ଦେଇଥିଲେ । ସେଥିପାଇଁ ଜିଲ୍ଲା ସ୍କୁଲ ପରିସରରେ ଜାଗା ମଧ୍ୟ ଚିହ୍ନଟ ହୋଇଥିଲା । ହେଲେ ପୈରପାଳିକାକୁ ଜାଗା ହସ୍ତାନ୍ତର ହୋଇ ନ ପାରିବାରୁ ଅଡିଟୋରିୟମ କାମ ବି ଅକିଗଲା ।
ଏବେ ପୈାରପାଳିକା ଗାନ୍ଧୀ ସ୍ମୃତିଭବନଙ୍କୁ ଭଡାସୂତ୍ରରେ ଦେଇଛି । ବାଣୀଜ୍ୟକ ଉଦ୍ଦେଶ୍ୟରେ ୫ ହଜାର ଏବଂ ସରକାରୀ କାର୍ଯ୍ୟକ୍ରମ ପାଇଁ ୨ ହଜାର ଟଙ୍କା ଭଡା ନିଆଯାଉଛି । ଭଡାସୂତ୍ରରୁ ୨୦୧୭-୧୮ରେ ୪ଲକ୍ଷ ୪୦ ହଜାର ୭୦ , ୨୦୧୮-୧୯ରେ ୪ଲକ୍ଷ ୬୮ହଜାର ୭୭୦ ଓ ୨୦୧୯-୨୦ରେ ୩ଲକ୍ଷ ୯୭ହଜାର ଆୟ ହୋଇଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ଵେ ସ୍ମୃତିଭବନର ଅବସ୍ଥାରେ କୈାଣସି ପରିବର୍ତ୍ତନ ହେଉନଥିବା ଏବଂ ଭଡା ଅନୁସାରେ ସେତିକି ସୁବିଧା ମିଳୁନଥିବା କଳାକାର ସଭାପତି ସୁରଞ୍ଜନ ଦାସ ମହାପାତ୍ର ଓ ସ୍ରଷ୍ଟାର ସାଧାରଣ ସମ୍ପାଦକ ହେମେନ୍ଦ୍ର ମହାପାତ୍ର କ୍ଷେଦୋକ୍ତି ପ୍ରକାଶ କରିଛନ୍ତି । ଏଯାବତ ପ୍ରେକ୍ଷାଳୟଟି ଶୀତତାପ ନିୟନ୍ତ୍ରିତ ହୋଇ ନପାରିବା ଅବହେଳାର ଜ୍ଵଳନ୍ତ ଦୃଷ୍ଟାନ୍ତ । ପଡୋଶୀ ଜିଲ୍ଲା ବାରିପଦାରେ ଅତ୍ୟାଧୁନିକ ହଲଟିଏ ହୋଇପାରିଲା ,ଅଥଚ ସାହିତ୍ୟ, କଳା ସଂସ୍କୃତିକର ପ୍ରାଣକେନ୍ଦ୍ର ବାଲେଶ୍ଵରରେ ଆଜି ବି ଭଲ ପ୍ରେକ୍ଷାଳୟଟିଏ ସ୍ବପ୍ନ ହୋଇ ରହିଛି ବୋଲି ସଂସ୍କୃପ୍ରେମୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।



