ସ୍ତ୍ରୀ ସମ୍ଭାଳିଛି ପରିବାର ବୋଝ, ସରକାରୀ ଉପେକ୍ଷା

Spread the love

ରାଉରକେଲା,୩୦/୦୬ (ସନ୍ଧାନ ନିଉଜ) : ସହରତଳି ଅଂଚଳରେ ବାଟବଣା ହୋଇ ପଡ଼ିଛି ସରକାରୀ ଯୋଜନା । ଗରିବ ହିତାଧିକାରୀଙ୍କ ରାସନ କାର୍ଡ ଅଛି, ମାତ୍ର ତାହା କାମରେ ଆସୁନି । ସରକାରୀ ସୁବିଧାରୁ ବଂଚିତ ହୋଇ ରାମ ଭରୋସେ କାଳ କାଟୁଛନ୍ତି ଦକ୍ଷିଣ ରାଉରକେଲାର ଏକ ପରିବାର ।ସତରେ ସମୟର ଚକ୍ର ବଡ଼ ବିଚିତ୍ର । ଖରା ଛାଇର ଖେଳ ପରି ବିବର୍ତମାନ କାଳ ଚକ୍ର କେତେବେଳେ କାହାକୁ କେଉଁ ଆସନରେ ବସାଉଛି ତାହା ବିଧି ନିର୍ଦ୍ଧାରିତ, ମଖମଲ୍ଲ ତ୍ରୀତଳ ପ୍ରାସାଦ ଶୂନ୍ୟ ରହୁଥିବା ବେଳେ, ଜୀବନରେ ସବୁ କିଛି ହରାଇ ସାରିଥିବା ବେସାହାରା ମଣିଷଟିଏ ମୁଣ୍ଡ ଗୁଂଜିବାକୁ ଛାତଟିଏ ନପାଇବା ଭଗବାନଙ୍କ ଉପହାସ ଅବା ସରକାରଙ୍କ ଉପେକ୍ଷା ବୋଲି ବିବେଚନା କରାଯାଇ ପାରେ, ଯାହାର ଚାକ୍ଷୁସ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଟାଙ୍ଗରପାଲୀ ପାତ୍ର ବସ୍ତି ଅଂଚଳରେ । ଏଠାରେ ବାସ କରନ୍ତି ଭିନ୍ନକ୍ଷମ ଜଗମୋହନ ପାତ୍ର । ଦୂରରୁ ହେଉ କିମ୍ବା ନିକଟରୁ ସେମାନେ ରହୁଥିବା କୁଡ଼ିଆଟି ଏକ ପରିତ୍ୟକ୍ତ କବାଡ଼ିଖାନା ପରି ମନେହୁଏ, ଛିଣ୍ଡା ପାଲ ପରିବେଷ୍ଟିତ ଜରାଜୀର୍ଣ୍ଣ ଘରେ ଜଗମୋହନଙ୍କ ସହ ସ୍ତ୍ରୀ ମୀନା, ନାବାଳକ ପୁଅ ସୁରେଶ ଏବଂ ସାନ ଝିଅ ଶିବାନୀ । ଆର୍ଥିକ ସମ୍ବଳହୀନ ଏହି ପରିବାରର ଦୁଃଖ ଦୂର କରିବା ପାଇଁ ବଡ଼ ଝିଅ ସୁବାସିନୀ ଦାଦନ ଖଟିବାକୁ ଚାଲି ଯାଇଛି ସୂଦୂର ଦିଲ୍ଲୀକୁ । ପଇସାତ ଦୂର କଥା, କେବଳ ଝିଅର ବାହୁଡ଼ା ପଥକୁ ଚାହିଁ  ବସିଥିବା ପରିବାରର ଭରଣପୋଷଣ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ପତ୍ନୀ ମୀନା । ସ୍ୱାମୀଙ୍କର କୌଣସି କାମଧନ୍ଧା ନଥିବାରୁ ଶେଷରେ ମୀନା ନିକଟସ୍ଥ ଆଇଡ଼ିଏଲ ଜଙ୍ଗଲରୁ ଜାଳେନି କାଠ ସଂଗ୍ରହ କରି ବିକ୍ରୟ ଓ ପର ଘରେ ବାସି ପାଇଟି କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଇଥିରେ ଚାଲୁଛି ତେଲ ଲୁଣର ସଂସାର । ପାଖରେ ଅଛି ରାସନ କାର୍ଡ, ମାତ୍ର ମିଳୁନାହିଁ ସରକାରଙ୍କ ଦ୍ୱାରା ପ୍ରଦତ ଏକ ଟଙ୍କିଆ ଚାଉଳ କିମ୍ବା ଅନ୍ୟାନ ସରକାରୀ ସହାୟତା । ସରକାରଙ୍କ ସମସ୍ତ ଯୋଜନା, ମାଳମାଳ ନେତା ତଥା ଅସଂଖ୍ୟ ସମାଜସେବୀ ଦରିଦ୍ର ନାରାୟଣର ଦୁଃଖ ଦୂର କରିବା ଦିଗରେ ସର୍ବଦା ଚେଷ୍ଟାରତ ବୋଲି ଡିଣ୍ଡିମ ପିଟୁଥିବା ବେଳେ, କ’ଣ ପାଇଁ ଏ ସବୁଥିରୁ ମୀନା ଓ ତାଙ୍କ ପରିବାର ବଂଚିତ ବୋଲି କୋହଭରା କଣ୍ଠରେ ପ୍ରକାଶ କରିବା ସହ ଦକ୍ଷିଣ ରାଉରକେଲାର ସାମାଜିକ କର୍ମୀ ସନ୍ତୋଷ ଦାସ  କିଛି ଖାଦ୍ୟପେୟ ତାଙ୍କ ପରିବାରକୁ ପ୍ରଦାନ କରିଥିଲେ ବୋଲି ସେ କହିଥିଲେ । ଝାଟିମାଟି କୁଡ଼ିଆ ଖଣ୍ଡକ ଏହି ପରିବାର ପାଇଁ ସାତ ସପନ! ଛିଣ୍ଡା ପାଲ ପରିବେଷ୍ଟିତ ଏକ ଅସ୍ୱାସ୍ଥ୍ୟକର ଶିବିର ସଦୃଶ୍ୟ ଆଶ୍ରୟସ୍ଥଳରେ ବାସ କରୁଥିବା ଏହି ନିଷ୍ପେଷିତ ପରିବାର ଓ ଦୁନିଆକୁ ବୁଝି ପାରି ନଥିବା ଦୁଇ କୋମଳ ମତି ଶିଶୁଙ୍କର ନିଷ୍ପାପ ଆଖିକୁ ଚାହିଁ ଦେଲେ ନିଷ୍ଠୁର ହୃଦୟ ମଧ୍ୟ ତରଳି ଯିବ । ତେଣୁ  ସରକାରୀ କଳ ଏ ଦିଗରେ ତୁରନ୍ତ ତଦନ୍ତପୂର୍ବକ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଂଚଳରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment