କୋରୋନା ଭୂତାଣୁ ମୁକାବିଲା ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Spread the love

ନୂଆ ଦିଲ୍ଲୀ, ୭/୩/୨୦ (ସନ୍ଧାନ ନିଉଜ) : ଶୁକ୍ରବାରଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ନୂଆଦିଲ୍ଲୀଠାରେ ନୋଭେଲ କୋରୋନା ଭୂତାଣୁ ମୁକାବିଲା ଓ ପରିଚାଳନା ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷାରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟର ପ୍ରତିନିଧି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଏ ସଂକ୍ରାନ୍ତ ସମସ୍ତ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରରେ କୋରୋନା ଭୂତାଣୁ ମୁକାବିଲା ଦିଗରେ ନିଆଯାଇଥିବା ଦୃଢ଼ ପଦକ୍ଷେପ ଏବଂ ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ସମୀକ୍ଷା ବୈଠକରେ ବୈଦେଶିକ ବ୍ୟାପାର, ଜାହାଜ ଚଳାଚଳ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଇମିଗ୍ରେସନ ବ୍ୟୁରୋର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଯାତ୍ରା ଓ ଜନସମାବେଶକୁ ନେଇ ଜାରି ହୋଇଥିବା ମାର୍ଗଦର୍ଶିକ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅବଗତ କରାଯାଇଥିଲା। ସମସ୍ତ ବିମାନ ବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବୀ ଯାଂଚ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିମାନବନ୍ଦର ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିମାନ ବନ୍ଦର ପରିଚାଳକଙ୍କ ସହିତ ସମନ୍ୱୟ ରକ୍ଷା କରିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଶଯ୍ୟା, ପୃଥକ ୱାର୍ଡ ଉପଲବ୍ଧତା ତଥା ଅଧିକ ନମୁନା ପରୀକ୍ଷା ଲାଗି ପରୀକ୍ଷାଗାର ସୁବିଧାର ସମୀକ୍ଷା କରିଥିଲେ। କର୍ତବ୍ୟ ସମ୍ପାଦନ ସମୟରେ ଆମର ସ୍ୱାସ୍ଥ୍ୟକର୍ମୀମାନେ ଯେପରି ସଂକ୍ରମଣଠାରୁ ଭଲ ଭାବେ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡ. ହର୍ଷ ବର୍ଦ୍ଧନ ଏହି ଅବସରରେ ସୂଚନା ଦେଇଥିଲେ ଯେ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସଂକ୍ରାନ୍ତରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏପରି ତାଲିମ କର୍ମଶାଳା ଆୟୋଜନ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଏପରି ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ କେତେକ ରାଜ୍ୟ ସୂଚନା ଦେଇଥିଲେ।

ସମସ୍ତ ଗଣମାଧ୍ୟମ ମଂଚ ଓ ସଂଚାର ପଦ୍ଧତି ଉପଯୋଗ କରି ମୌଳିକ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ଯେପରିକି, ହାତ ଧୋଇବା, ଅକାରଣ ଯାତ୍ରା ଏଡ଼ାଇବା, ଜ୍ୱର, କଫ କିମ୍ବା ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଲେ ସତର୍କ ରହିବା, ଟେବୁଲ, କମ୍ପୁଟର, ମୋବାଇଲ ସ୍କ୍ରିନ ଆଦି ସହଜରେ ସଂକ୍ରମିତ ହେଉଥିବା ସ୍ଥାନରେ ସ୍ୱଚ୍ଛତା ରକ୍ଷା କରିବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ସ୍ଥଳସୀମା ଏବଂ ବନ୍ଦରଗୁଡ଼ିକରେ କଡ଼ା ଯାଂଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ନିର୍ବାଚିତ ଜନପ୍ରତିନିଧି, ବିଧାୟକ, କର୍ପୋରେଟର, ମେୟର, ଜିଲ୍ଲାପାଳ ଓ ସାଂସଦମାନଙ୍କୁ ସାମିଲ କରି ସେମାନଙ୍କୁ ନୋଭେଲ କୋରୋନା ଭୂତାଣୁ ଏବଂ ମୌଳିକ ଜନସ୍ୱାସ୍ଥ୍ୟ ପଦକ୍ଷେପ ସମ୍ପର୍କରେ ସଚେତନ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଶେଷରେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Related Posts

About The Author

Add Comment