ନୂଆଦିଲ୍ଲୀ, ୫/୨/୨୦ (ସନ୍ଧାନ ନିଉଜ) : ମାରାତ୍ମକ କରୋନାଭାଇରସ୍ ଏବେ ଦ୍ରୁତଗତିରେ ବ୍ୟାପିବାକୁ ଲାଗିଛି। ଉହାନ୍ ସହରରେ ଜନ୍ମ ହେବାର ମାତ୍ର ୩୦ଘଣ୍ଟା ଭିତରେ ଏକ ଶିଶୁ ଶରୀରରେ କରୋନାଭାଇରସ ଚିହ୍ନଟ ହୋଇଥିବା ବୁଧବାର ଚୀନର ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଜନ୍ମର ୩୦ଘଣ୍ଟା ମଧ୍ୟରେ ଶିଶୁ ଶରୀରରେ କରୋନାଭାଇରସ୍ ଚିହ୍ନ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
ସେହିପରି ଗତସୋମବାର ଏହି କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣେ ମା’ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଶିଶୁର ଶରୀର ଯାଞ୍ଚ ପରେ କରୋନାଭାଇରସ୍ ସଂକ୍ରମିତ ହୋଇ ନଥିବା ଉକ୍ତ ରିପୋର୍ଟରୁ ପ୍ରକାଶ ପାଇଥିଲା।
ବିଶେଷଜ୍ଞଙ୍କ କହିବାନୁସାରେ, ଗର୍ଭବସ୍ଥାରେ କିମ୍ବା ପ୍ରସବ ପରେ ମା’ ଠାରୁ ଶିଶୁକୁ ଏହି କରୋନାଭାଇରସ୍ ସଂକ୍ରମଣ ହୋଇଥାଇ ପାରେ। ଏହା ‘ଭର୍ଟିକାଲ ଟ୍ରାସମିସନ୍’ ଘଟଣା ବୋଲି ଅନୁମାନ କରାଯାଉଛି। ମା’ ଶିଶୁକୁ ଜନ୍ମ ଦେବା ପୂର୍ବରୁ ତାଙ୍କ ଶରୀରରେ କରୋନାଭାଇରସ୍ ଅଛି କି ନାହିଁ ତାହା ପରୀକ୍ଷଣ କରାଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ବି ଆସିଥିଲା।
କୁହାଯାଉଛି କି ଏହି ଭାଇରସ୍ ଗତ ଡିସେମ୍ବରରେ ଉହାନ୍ ବଜାରରୁ ସଂକ୍ରମଣ ହୋଇଛି। କାରଣ ଏହି ବଜାରରେ ଜଙ୍ଗଲି ପଶୁପକ୍ଷୀଙ୍କୁ ବିକ୍ରି କରାଯାଇଥାଏ। ଏଠାରୁ ହିଁ ଏହି ଭାଇରସ୍ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଜାନୁଆରି ମାସ ନୂଆବର୍ଷ ଥିବାରୁ ଏହି ଅବସରରେ ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରିଥିଲେ। ଫଳସ୍ୱରୂପ ଏହି ଭାଇରସ୍ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଦ୍ରୁତଗତିରେ ବ୍ୟାପି ଯାଇଥିଲା।
ମଙ୍ଗଳବାର ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ପ୍ରକାଶ, ଏହି କରୋନାଭାଇରସ୍ରେ ସଂକ୍ରମଣ ହୋଇ ମୃତ୍ୟୁ ହେଉଥିବା ଲୋକଙ୍କ ମଧ୍ୟରେ ୮୦ପ୍ରତିଶତ ଲୋକଙ୍କ ବୟସ ୬୦ବର୍ଷରୁ ଅଧିକ ଥିବା ଜଣାପଡ଼ିଛି।