ନୂଆଦିଲ୍ଲୀ; ୨୫/୧୨ (ସନ୍ଧାନ ନିୟୁଜ) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ରାଷ୍ଟପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ୱର୍ଗତ ବାଜପେୀୟଙ୍କ ୯୫ତମ ଜୟନ୍ତୀ ଅବସରରେ ‘ସଦୈବ ଅଟଳ ସ୍ମାରକ’ ସ୍ଥଳରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ବାଜପେୟୀଙ୍କ ସମାଧୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ବାଜପେୟୀଙ୍କ ଜୟନ୍ତୀ ଅବରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଲୋକାର୍ପଣ କରିବେ। ଲକ୍ଷ୍ନୌରେ ନାଗରିକତା ଆଇନ ବିରୋଧରେ ପ୍ରଦର୍ଶନକାରୀଙ୍କ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଅଟଳ ବିହାରୀ ବାଜପେୟୀ ଚିକିତ୍ସା ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାର ଏହି ବିଶ୍ଵବିଦ୍ୟାଳୟ ନିମନ୍ତେ ୫୦ ଏକର ଜମି ଯୋଗାଇ ଦେବେ।



