ଭୁବନେଶ୍ୱର, ୧୮/୧୨ (ସନ୍ଧାନ ନିଉଜ) : ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବୁଧବାରଠାରୁ ରାଜଧାନୀର ବିଭିନ୍ନ ବିଦ୍ୟାଳୟମାନଙ୍କରେ ସଡ଼କ ସୁରକ୍ଷା ସଚେତନତା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୪ଟି ଅଗ୍ରଣୀ ବେସରକାରୀ ସଂସ୍ଥା ଓଡ଼ିଶା କଲିଂ ଫାଉଣ୍ଡେସନ୍, ଶ୍ରୀ ସେବା ଚାରିଟେବଲ ଟ୍ରଷ୍ଟ, ସୋସିଆଲ୍ ଆସୋସିଏଶନ୍ ଫର୍ ଏଭ୍ରିୱାନ୍ ଏବଂ ଆର୍ଟ ଅଫ୍ ଲିଭିଂ ସହାୟତାରେ ପରିବହନ ବିଭାଗ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି।
ସୂଚନା ଅନୁସାରେ, ଗୋଟିଏ ଦିନରେ ଦୁଇଟି ବେସରକାରୀ ସଂସ୍ଥା ମିଳିତ ଭାବେ ୨ଟି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ରମ କରିବେ। ଫଳରେ ଗୋଟିଏ ଦିନରେ ୪ଟି ବିଦ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ। ଭୁବନେଶ୍ୱର ମହାନଗର ନିଗମ ତଥା ଜଟଣୀ ଅଞ୍ଚଳର ସମସ୍ତ ୧୦୪ଟି ସ୍କୁଲ୍ରେ ଗୋଟିଏ ମାସ ମଧ୍ୟରେ ହିଁ ଏହି ପ୍ରଶୀକ୍ଷଣ କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦ୍ଦେଶ ମିଳିଛି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ କର୍ମକର୍ତ୍ତାମାନେ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରୁଥିବା ସୂଚନା ମିଳିଛି। ବିଶେଷ କରି ଏହି ସଚେତନା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।



