ଭୁବନେଶ୍ବର/ଚନ୍ଦ୍ରଶେଖରପୁର, ୮/୧୨ (ସନ୍ଧାନ ନିୟୁଜ୍/ ପ୍ରଶାନ୍ତ ସାମଲ) : ଲୋକଙ୍କୁ ଗ୍ରହଶାନ୍ତି ନାଁରେ ଭୂଆଁ ବୁଲାଇ ଲୁଟୁଥିବା ୩ ଭଣ୍ଡବାବାକୁ ନିସ୍ତୁକ ମାଡମାରି ପୁଲିସ ଜିମା ଦେଇଛନ୍ତି ଡମଣା ବସ୍ତିବାସିନ୍ଦା । ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ୩ ଭଣ୍ଡବାବା ତାରିଣୀ ବସ୍ତିରେ ପହଞ୍ଚିଥିଲେ । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କହିଥିଲେ ତୁମର ଏବେ ବେଳ ଖରାପ ପଡିଛି । ଆଗକୁ ବଡ ବିପଦ ଆସୁଛି । ଯାହାର ପ୍ରତିକାର ନିହାତି ଦରକାର। ସେ ବ୍ୟକ୍ତି ଜଣଙ୍କ ବିବ୍ରତ ହୋଇ ଏହାର ପ୍ରତିକାର ପାଇଁ କହିଥିଲେ । ୩ ଭଣ୍ଡବାବା କହିଥିଲେ ଏଥିପାଇଁ ତୁମକୁ ଗ୍ରହଶାନ୍ତି ପୂଜା କରିବାକୁ ପଡିବ । ଏଥିପାଇଁ ସମସ୍ତ ଆୟୋଜନ କରିଥିଲେ ବ୍ୟକ୍ତି ଜଣଙ୍କ । ପୂଜା କରିବା ପାଇଁ ଟଙ୍କା ସହିତ କିଛି ଗହଣା ରଖିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସମସ୍ତ ସାମଗ୍ରୀ ରଖିବା ପରେ ତାଙ୍କୁ ବିଭୂତି ଛିଞ୍ଚି ଅଚେତ କରିଦେଇଥିଲେ ୩ ଭଣ୍ଡ ବାବା ।
ବ୍ୟକ୍ତି ଜଣଙ୍କ ଅଚେତ ହେବା ପରେ ୩ ଭଣ୍ଡ ବାବା ଟଙ୍କା ଓ ସୁନା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ବିଷୟରେ ଅନ୍ୟ ଲୋକମାନେ ଜାଣି ପାରି ୩ ଭଣ୍ଡ ବାବାକୁ ପିଛା କରିଥିଲେ । ଡମଣାରେ ଥିବା ଏକ ବସ୍ତିର ସମାନ ଉପାୟରେ ଲୋକଙ୍କୁ ଚୂନ ଲଗାଉଥିବା ବେଳେ ବସ୍ତିବାସିନ୍ଦା ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଡାକି ୩ ଭଣ୍ଡବାବାକୁ ଜିମା ଦେଇଥିଲେ । ପୁଲିସ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି ।
ପ୍ରକାଶ ଥାଉକି ତିନି ମାସ ପୂର୍ବରୁ ହାଉସିଂ ବୋର୍ଡ,ପଟିଆରେ ମଧ୍ୟ ସମାନ୍ ଢଙ୍ଗରେ ଲୁଟି ନେଇଥିଲେ କିଛି ଭଣ୍ଡ ବାବା । ହାଉସିଂବୋର୍ଡରେ ଆଇନଜୀବୀ ସମରେନ୍ଦ୍ର ସାହୁଙ୍କ ଠାରୁ ୩୪୦୦୦ ହଜାର ଟଙ୍କା ଲୁଟି ନେଇଥିବା ବେଳେ ପଟିଆରେ ଏକ ଦୋକାନରୁ ୧୦୦୦ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ ।