ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ସରକାରୀ ବିଦ୍ୟାଳୟ ମାନଙ୍କରେ ଅବିଭାବକମାନେ ଓତଃପ୍ରତଭାବେ ଜଡିତ ରହିବା ଆବଶ୍ୟକ-ଗଣଶିକ୍ଷା ମନ୍ତ୍ରୀ

Spread the love

ଧର୍ମଶାଳା,୮ା୧୨ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଆୟୋଜିତ ସଭାରେ ଶିକ୍ଷକ ଓ ଅବିଭାବକମାନଙ୍କ ଉଦେ୍ଦଶ୍ୟରେ ଉଦବୋଧନ ଦେଇ କହିଥିଲେ ଯେ, ଆଜି ବିଦ୍ୟାଳୟ ଗୁଡିକ ଏଭଳି ବାଟରେ ଯାଇଛି ଆମେ ସମସ୍ତେ ସ୍ୱୀକାର କରିବା କେଉଁଠି ନାଁ କେଉଁଠି ସରକାରୀ ବିଦ୍ୟାଳୟ ପ୍ରତି ଆମ ଭିତରେ ଭ୍ରୃକୁଞ୍ଚନ ସୃଷ୍ଟି ହେଉଛି । ସରକାରୀ ସ୍କୁଲ ପ୍ରତି ଆଜି ଅବିଭାବକମାନଙ୍କ ମନ ଉଣା ହୋଇଯାଇଛି, ବେସରକାରୀ ପ୍ରତି ଆଗ୍ରହ ବଢିଛି । କାରଣ ଯେଉଁଦିନ ମାଟ୍ରିକ ଫଳାଫଳ ବାହାରେ ଆମକୁ ବହୁ ସମାଲୋଚନା ଶୁଣିବାକୁ ପଡିଥାଏ । ଏହା ସତ୍ତ୍ୱେ ସରକାରୀ ବିଦ୍ୟାଳୟର ଉପସ୍ଥାନ କମି ନାହିଁ । ଆଜିବି ସରକାରୀ ସ୍କୁଲରେ ୯୨ ପ୍ରତିଶତ ପିଲା ରହିଥିବା ବେଳେ ବେସରକାରୀ ସ୍କୁଲରେ ୮ ପ୍ରତିଶତ ପିଲା ପଢୁଛନ୍ତି । ବେସରକାରୀ ସ୍କୁଲରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି ସେମାନେ କଣ ଆମ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଠାରୁ ଯୋଗ୍ୟତାରେ ଅଧିକ ବୋଲି ପ୍ରଶ୍ନ କରିଥିଲେ । ବେସରକାରୀ ସ୍କୁଲରେ ପିଲାମାନଙ୍କ ପାଠପଢା ପ୍ରତି ଯେମିତି ଅବିଭାବକମାନଙ୍କ ସମ୍ପୃକ୍ତି ରହୁଛି ତାହା ସରକାରୀ ସ୍କୁଲ କ୍ଷେତ୍ରରେ ଦେଖାଯାଉ ନାହିଁ । ରାଜ୍ୟରେ ୫୩ ହଜାର ସ୍କୁଲ, ୪୨ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି । ଖାଲି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ପ୍ରତି ବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଦୋଷ ଦେଲେ ହେବ ନାହିଁ, ଅବିଭାବକମାନେ ସଚେତନ ହେଲେ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇପାରିବ । ସାମଗ୍ରିକ ମିଳିତ ଉଦ୍ୟମରେ ସରକାରୀ ଶିକ୍ଷା ବ୍ୟବସ୍ଥା ଆଗକୁ ଯାଇ ପାରିବ । ଯୁବକ ଓ ପୁରାତନଛାତ୍ରମାନଙ୍କ ସମ୍ପୃକ୍ତି ରହୁ ନାହିଁ ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଶିକ୍ଷା ବିଭାଗ ପାଇଁ ବଜେଟରେ ୬ ପ୍ରତିଶତ ରଖିଥିବା ବେଳେ ରାଜ୍ୟ ସରକାର ୧୮ ପ୍ରତିଶତ ବଜେଟ୍ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଗୋଟିଏ ଦିନରେ ସାରା ଓଡିଶାରେ ସମସ୍ତ ଅବିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଶିକ୍ଷାଧିକାରୀମାନଙ୍କୁ ନେଇ ଏକ ବୈଠକ ହେବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ କାର୍ଡ ଅବିଭାବକମାନଙ୍କ ନିକଟକୁ ପଠାଯିବ । ଏହାର ଉଦେ୍ଦଶ୍ୟ ହେଉଛି ଅବିଭାବକମାନଙ୍କୁ ସମ୍ପୃକ୍ତି କରାଇବା ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ । ଶତବାର୍ଷିକୀ ପାଳନ କମିଟିର ସଭାପତି ବେଣୁଧର ଶରଣ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟବକ୍ତା ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗ ଦେଇ ବିଦ୍ୟାଳୟଟି ୧୦୦ ବର୍ଷର ଅନୁଷ୍ଠାନ । ବହୁ ଭବିଷ୍ୟତ ଗଠନ କରିଛି । ଦୀର୍ଘ ବର୍ଷ ଯାତ୍ରା ଭିତରେ କେତେ ଘାତ ପ୍ରତିଘାତ ଏବଂ ଉତଥାନପତନ ଦେଇ ଗତି କରିଥିବ । ତଥାପି ସେ ଆଜିବି ସେ ଗର୍ବ ଏବଂ ଗୌରବ ପରି ଛିଡା ହୋଇଛି । ନିଜ ଗାଁକୁ ସାର୍ଥକ କରିଛି, ନୀଳକଣ୍ଠପରି ନିଶ୍ଚୟ ସେ ଗରଳ ପାନ କରିଥିବ କିନ୍ତୁ ଅମୃତର ସନ୍ତାନଟିଏ ସୃଷ୍ଟି କରିଛି । ସ୍ର୍ରଷ୍ଟା ଓ ପାଳନ କର୍ତ୍ତାର ଦାୟିତ୍ୱ ଅନୁଷ୍ଠାନ ନେଇଥାଏ ଯେଉଁଥି ପାଇଁ ଆଜିବି ୧୦୦ ବର୍ଷରେ ଅନୁଷ୍ଠାନ ପହଞ୍ଚି ଚଳଚଞ୍ଚଳ ରହିଛି । ଶିକ୍ଷକମାନେ ପିଲାମାନଙ୍କ ହୃଦୟ ଭିତରେ ରହିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ଅତୀତର ସ୍କୁଲର ଶିକ୍ଷକ ଓ ପ୍ରତିଷ୍ଠାତାମାନଙ୍କୁ ସ୍ମରଣ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ସହିତ କଳା, ସଂସ୍କୃତି ଓ ପରମ୍ପରା ଆଦି ସ୍କୁଲ ଜୀବନରୁ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସମିତିସଭ୍ୟ ଜଳଧର ସାହୁ ବିଦ୍ୟାଳୟର ଗୌରବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କମିଟିର ସମ୍ପାଦକ ତଥା ପ୍ରଧାନଶିକ୍ଷୟିତ୍ରୀ ନୀଳିମା ମହାନ୍ତି ବିବରଣୀ ପାଠ କରିଥିଲେ । ସୁଧାଂଶୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ପ୍ରକାଶିତ ‘ନୀଳଶତଦଳ’ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ପୁରାତନ ଶିକ୍ଷକ ଓ ଶୁଭେଚ୍ଛୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ସତ୍ୟସାଇ ସେବା ସମିତି ପକ୍ଷରୁ ବେଦପାଠ, ଛାତ୍ରଛାତ୍ରୀମାନେ ନୃତ୍ୟ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପୁରାତନଛାତ୍ର ବିରୁପାକ୍ଷ ଶରଣ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ମମତା ଦଣ୍ଡପାଟ, ସରପଞ୍ଚ ସସ୍ମିତା ବେହେରା ଓ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ପ୍ରବୋଧ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପୁରାତନ ଛାତ୍ର, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସଭାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ ଓ ପୂର୍ବାହ୍ନରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଏହା ଉଦଯାପିତ ହେବ ।##Report- Manas Rout

Related Posts

About The Author

Add Comment