ଧାମନଗର, ୦୧/୧୨ (ସନ୍ଧାନ ନିଉଜ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ, ଏଥି ପାଇଁ ଲୋଡ଼ା ନିଷ୍ଠା, ଚେଷ୍ଟା ଓ ଆନ୍ତରିକ ପ୍ରୟାସ । ଏମିତି ଏକ ଘଟଣାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ନିକଟରେ । ଏହି ଯୁବକ ଜଣକ ହେଲେ ସଂଗ୍ରାମ ମଲ୍ଲିକ(୨୧) । ଧାମନଗର ବ୍ଳକ ଅସୁରାଳି ପଞ୍ଚାୟତସ୍ଥିତ ମଲ୍ଲିକପାଟଣା ଗାଁର ଦୈତାରୀ ମଲ୍ଲିକଙ୍କ ପୁଅ ସଂଗ୍ରାମ । ଯିଏ ଆଜି ସବୁକୁ ପଛରେ ପକାଇ ନିଜର ଉଚ୍ଚ ଶିକ୍ଷା ପାଇଁ ରାସ୍ତା କଡ଼ରେ ଆଖୁ ରଶ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ସଂଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସାମ୍ପ୍ରତିକ ଯୁବଛାତ୍ରଙ୍କ ଚାକଚକ୍ୟ ଜୀବନଶୈଳୀ । ବି. ଟେକ୍ ଛାତ୍ର ସଂଗ୍ରାମଙ୍କ ପରିବାରର ଆର୍ଥିକ ଅବସ୍ଥା ଆଦୌ ଭଲ ନୁହଁ । ଘରବାଡ଼ିକୁ ଛାଡ଼ିଲେ ସମ୍ବଳ ବୋଲି କିଛି ନାହିଁ ତାଙ୍କର । ୫୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖି ମ୍ୟାଟ୍ରିକ ପାସ କରିବା ପରେ ଇଂଜିନିୟରିଂ ପାଠ ପଢିବାକୁ ମନ ବଳିଥିଲା ସଂଗ୍ରାମଙ୍କର । ହେଲେ ଆର୍ଥିକ ଅବସ୍ଥା ଏଥିରେ ବାଧକ ସାଜିଥିଲା । କିନ୍ତୁ ସଂଗ୍ରାମଙ୍କ ମନୋବଳ ହାର ମାନିନଥିଲା । ବାପାଙ୍କୁ ମନାଇ ଗାଁ ଲୋକଙ୍କ ଜମି ଭାଗକୁ ନେଇ ଆରମ୍ଭ କରିଥିଲେ ଆଖୁଚାଷ । ପ୍ରାୟ ୧୫ ଗୁଣ୍ଠ ଜମିରେ ଆଖୁ ଚାଷ କରି ଇଂଜିନିୟରିଂ କରିବା ପାଇଁ ନିକଟସ୍ତ ଭଦ୍ରକ ଇଂଜିନିୟରିଂ ସ୍କୁଲ ଆଣ୍ଡ ଟେକ୍ନୋଲୋଜିରେ ଡ଼ିପ୍ଲୋମା ଶ୍ରେଣୀରେ ନାମ ଲେଖାଇଥିଲେ ସେ । ଭାଗ ଚାଷରେ ହେଉଥିବା ଆଖୁକୁ ବିକ୍ରି କରିବା ବଦଳରେ ସଂଗ୍ରାମ ଏହାକୁ ନେଇ କିଛି ଭିନ୍ନ ଚିନ୍ତା କରିଥିଲେ । କିଛି ଟଙ୍କା ଯୋଗାଡ଼ କରି ଏକ ଆଖୁ ରଶ ମେସିନ କିଣି ନିଜେ ବାପାଙ୍କ ସହ ମିଶି ବେପାର କରିବାକୁ ଆରମ୍ଭ କଲେ ସେ । ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ସଡ଼କର ଅସୁରାଳି ବଜାର ନିକଟରେ ଏବେ ଦୈନିକ ଏହି କାମ କରୁଛନ୍ତି ଛାତ୍ର ସଂଗ୍ରାମ । ଆଖୁ ରଶ ବିକ୍ରି କରି ଯେଉଁ ଦି ପଇସା ରୋଜଗାର ହେଉଛି ସେଥିରେ ଘର ପ୍ରତିପୋଷଣ କରିବା ସହ ଉଚ୍ଚ ଶିକ୍ଷା ପାଇଁ ଦରକାର ହେଉଥିବା ଖର୍ଚ୍ଚ ତୁଲାଇ ପାରୁଛନ୍ତି । ଏହା ମଧ୍ୟରେ ଡ଼ିପ୍ଲୋମା ପାସ କରି ସେ ଏବେ ଭଦ୍ରକ ବରପଦାସ୍ଥିତ ଇଂଜିନିୟରିଂ କଲେଜ (ବିଆଇଇଟି) ରେ ବି. ଟେକରେ ନାମ ଲେଖାଇଛନ୍ତି । ପ୍ରତିଦିନ ସକାଳୁ ଜମିରୁ ଆଖୁ କାଟି କାନ୍ଧରେ ବୋହି ନିଜର ଦୋକାନ ପର୍ଯ୍ୟନ୍ତ ଆଣିବା ସହ ବାପାଙ୍କ ସହ ମିଶି ପଥଚାରୀଙ୍କୁ ଆଖୁ ରଶ ବିକ୍ରି କରିଥାନ୍ତି । ଏଭଳି ବ୍ୟସ୍ତତା ମଧ୍ୟରେ କେବେ ନିଜର ମୁଖ୍ୟ ଲକ୍ଷ୍ୟ ପଢାରୁ ବିଚ୍ୟୁତି ହୋଇନାହାନ୍ତି ସଂଗ୍ରାମ । ଘର ଠାରୁ ୨୫ କିଲୋମିଟର ଦୂରରେ ଥିବା ନିଜର ଶିକ୍ଷାନୁଷ୍ଠାନକୁ ସଠିକ ସମୟରେ ଯିବା ସହ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ସଂଗ୍ରହର ମାଧ୍ୟମକୁ ବି ସମ୍ଭାଳିଛନ୍ତି । ଉଚ୍ଚଶିକ୍ଷା ନେଇ ଭବିଷ୍ୟତରେ ଭଲ ମଣିଷ ହୋଇ ଚାକିରୀର ଲକ୍ଷ୍ୟ ରଖିଥିବା ସଂଗ୍ରାମ ଆଖୁରଶ ବିକିବାରେ କେବେ କୁଣ୍ଠା ପ୍ରକାଶ ନକରିବା ଘଟଣା ଆଜିର ଯୁବପିଢି ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।
ପଢିବା ପାଇଁ ଆଖୁରଶ ବିକୁଛନ୍ତି ବି.ଟେକ ଛାତ୍ର ସଂଗ୍ରାମ
|
December 1, 2019 |