ରାଉରକେଲା, ୭/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ସହରର ଅନ୍ୟତମ ଅଗ୍ରଣୀ ମହିଳା ଅନୁଷ୍ଠାନ ଯାଜ୍ଞସେନୀ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ଡଃ ପ୍ରମିଳା ପଣ୍ଡାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ନିନାରାଣୀ ଜେନାଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଭାପତି ଡଃ ପଣ୍ଡା ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସାଧାରଣ ସମ୍ପାଦିକା ଶ୍ରୀମତୀ ଜେନା ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରୀୟ ତର୍କ ପାଇଁ ଆଲୋଚ୍ୟ ବିଷୟ ସ୍ୱାଧୀନ ଭାରତରେ ସାମ୍ପ୍ରତିକ ପ୍ରଗତିର ରୂପରେଖ ଓ ମହାବିଦ୍ୟାଳୟ ସ୍ତରୀୟ ତର୍କ ପାଇଁ ଆଲୋଚ୍ୟ ବିଷୟ ମଦମୁକ୍ତ ଭାରତ ସମ୍ଭଭ କି ର୍ଶୀର୍ଷକ ଉପରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଦ୍ୟାଳୟ ପାଇଁ ଶିକ୍ଷାବିତ ବ୍ରଜେନ୍ଦ୍ର କୁମାର ଦାଶ ଓ ଚନ୍ଦ୍ରଶେଖର ପାଇକରାୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ପାଇଁ ପଶୁପତିନାଥ ଚାଟାର୍ଜୀ ଓ ଡଃ ନଗେନ ଦାସ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । ପୂର୍ବରୁ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିବା ବେଳେ ଉଭୟ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୧୫ ତାରିଖ ଦିନ ସନ୍ଧ୍ୟାରେ ଯାଜ୍ଞସେନୀ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ଅଶୋକ ଜେନ,ା ସାଗରିକା ଜେନା, ମଞ୍ଜୁଳା ପଣ୍ଡା, ସଙ୍ଗୀତା ବେହେରା, କୁନୁସ୍ମିତା ସ୍ୱାଇଁ, ରୋଜାଲିନ ଏକ୍କା, ଲିଲି ସୁଜାତା କେର୍କେଟା ଓ ସବିନା ମାହାତୋ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।