ଧାରା ୩୭୦ ଉଚ୍ଛେଦର ପ୍ରଭାବ, ସେନ୍‌ସେକ୍ସ, ଟଙ୍କା ଖସିଲା

Spread the love

ନୂଆଦିଲ୍ଲୀ, ୬/୮ (ସନ୍ଧାନ ନିଉଜ) : ଜମ୍ମୁ ଓ କଶ୍ମୀରକୁ ନେଇ ରହିଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବାର ପ୍ରଭାବ ଆଜି ଷ୍ଟକ ବଜାର, ମୁଦ୍ରା ବଜାର ଓ ମୂଲ୍ୟବାନ ଧାତୁ ବଜାର ଉପରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଏହି ତିନି ବଜାରରେ କାରବାର ଆରମ୍ଭ ହେବା ପୂର୍ବରୁ ଦୁର୍ବଳ ସ୍ଥିତି ରହିଥିଲା। ଚୀନ୍ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁ ଷ୍ଟକ ବଜାର ଆଜି ହ୍ରାସ ସହିତ ଏହାର ଯାତ୍ରା ଆରମ୍ଭ କରିଥିଲା। କିଛି ଘଣ୍ଟାର କାରବାର ପରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ବିଷୟରେ ଘୋଷଣା କରିଥିଲେ। ଏହା ପରେ ନିବେଶକମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକିବା ଆରମ୍ଭ କରିଦେଇଥିଲେ। ଫଳରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୪୧୮ ପଏଣ୍ଟ୍ ହ୍ରାସ ସହ ୩୬,୬୭୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୩୫ ପଏଣ୍ଟ୍‌ ହ୍ରାସ ପାଇ ୧୦,୮୬୨ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆଜି ପୁଞ୍ଜି ବଜାରରେ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ୬୦୦ କଂପାନିର ସେୟାର ମୂଲ୍ୟ ଏକ ବର୍ଷର ନିମ୍ନ ସ୍ତରକୁ ଖସିଯାଇଥିଲା। ବେଦାନ୍ତ, ଟାଟା ଷ୍ଟିଲ୍, ହିଣ୍ଡାଲ୍‌କୋ, ଗେଲ୍, ଟାଟା ମୋଟର୍ସ୍ ଓ କୋଲ୍ ଇଣ୍ଡିଆ ଭଳି ବଡ଼ ବଡ଼ କଂପାନିର ସେୟାର୍ ଦାମ୍ କମିଯାଇଥିଲା। କେବଳ ସେୟାର ବଜାର ନୁହେଁ, ମୁଦ୍ରା ବିନିମୟ ବଜାରରେ ମଧ୍ୟ ଧାରା ୩୭୦ ଉଚ୍ଛେଦର ପ୍ରଭାବ ଦେଖିବାକୁ ମିଳିଥିଲା। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଆଜି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ଗୋଟିଏ ଦିନ ଭିତରେ ଏକ ଡଲାର କିଣିବା ଲାଗି ଅଧିକ ୧ ଟଙ୍କା ୧୩ ପଇସା ଗଣିବାକୁ ପଡ଼ିଛି। ଫଳରେ ବହୁ ଦିନ ପରେ ପ୍ରଥମ ଥର ପାଇଁ ଆଜି ଏକ ଡଲାର ମୂଲ୍ୟ ୭୦ ଟଙ୍କା ୭୩ ପଇସା ହୋଇଯାଇଛି। ଗତକାଲି ଗୋଟିଏ ଡଲାର କିଣିବା ଲାଗି ୬୯ ଟଙ୍କା ୬୦ ପଇସା ଦେବାକୁ ପଡ଼ୁଥିଲା। ଟଙ୍କା ଦୁର୍ବଳ ହେବା ପରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଓ ଚୀନ୍‌ର ବିନିମୟ ମୁଦ୍ରା ୟୁଆନ୍‌ରେ‌ ହୋଇଥିବା ଅବମୂଲ୍ୟାୟନ ଦାୟୀ ବୋଲି କୁହାଯାଉଛି। ବିଗତ ଛଅ ବର୍ଷ ଭିତରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ କେବେ ଦେଖିବାକୁ ମିଳିନଥିଲା।

Related Posts

About The Author

Add Comment