କେନ୍ଦ୍ରାପଡା ,୧୯/୭ (ସନ୍ଧାନ ନିୟୁଜ) ଧର୍ମରକ୍ଷା ସେନାର ଜିଲ୍ଲା ସଭାପତି ବିବେକାନନ୍ଦ ମହାରଣା(ବାବୁଲି)କୁ ଗୁଳିମାଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବୁଧବାର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏହି ଅବସରରେ ସକାଳ ପ୍ରାୟ ୬ଟା ଠାରୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକ, ଦଣ୍ଡାମୁଣ୍ଡଛକ, ଗରାପୁରଛକ, ଗୋପଛକ ଓ ଦୁହୁରିଆ ଠାରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମରକ୍ଷା ସେନା ଓ ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ ମିଳିତ ଭାବେ ରାସ୍ତାରେ ବାଉଁଶ ବନ୍ଧାଯାଇ ରାସ୍ତାରୋକ କରାଯାଇଥିଲା। ସେହିସବୁ ରାସ୍ତା ଗୁଡିକର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ଗୁଡିକ ଅଟକି ରହିଥିଲା। କେବଳ ତିନିମୁହାଣି ଛକ ଓ ଗୋପଛକକୁ ଛାଡିଦେଲେ ଅନ୍ୟ ସ୍ଥାନ ଗୁଡିକରେ ରାସ୍ତାରୋକ ଶୀଘ୍ର ହଟିଯାଇଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ତିନିମୁହାଣିଛକ ଓ ଗୋପଛକ ରାସ୍ତା ଦୁଇଟି ଅବରୋଧ ହଟିଥିଲା। କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ରାସ୍ତାରୋକ ହଟାଇବାର ବାଟଫିଟାଇଥିଲେ। ଏହି ଘଟଣାକୁ ନେଇ ରବିବାର କେନ୍ଦ୍ରାପଡା ସହରର ତିନିମୁହାଣିଛକ, ଦଣ୍ଡାମୁଣ୍ଡଛକ, ଗରାପୁର କୋଠିଛକ ଓ ଦୁହୁରିଆରେ ଧର୍ମରକ୍ଷାସେନା, ବଜରଙ୍ଗଦଳ, ବିଶ୍ୱହିନ୍ଦୁପରିଷଦ ଓ ତିନିମୁହାଣି ବଜାର କମିଟି ପକ୍ଷରୁ ଟାୟାରଜାଳି ରାସ୍ତାରୋକ କରାଯାଇଥିଲା। ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପୋଲିସ ଓ ପ୍ରଶାସନର ବୁଝାଶୁଝା ପରେ ରାସ୍ତାରୋକ ହଟିଥିଲା। ଖବରପାଇ ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା)ସଞ୍ଜୀବ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି.ସୈାମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖରଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ। ବାବୁଲି ଉପରକୁ ଗୁଳିଚଳାଇଥିବା ଦୁର୍ବୃତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ଶ୍ରୀ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି. ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଥିଲେ। କିନ୍ତୁ ଏହା ମଧ୍ୟରେ ୪ଦିନ ବିତିଯାଇଥିଲେ ମଧ୍ୟ ବାବୁଲିକୁ ଗୁଳିମାଡ କରିଥିବା ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ତାହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବାନାମ୍ବର ସାହୁ, କାର୍ଯ୍ୟକାରି ସଭାପତି ଗୋପିନାଥ ତ୍ରିପାଠୀ, ରାଜ୍ୟ ବଜରଙ୍ଗଦଳ ସୁରକ୍ଷା ପ୍ରମୁଖ ହିମାଂଶୁ ଭୂଷଣ ଦାସ, ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ସେନାପତି.ଧର୍ମରକ୍ଷାସେନା ରାଜ୍ୟ ପ୍ରମୁଖ ଉମେଶ ଦାସ, ଧର୍ମରକ୍ଷାସେନା ଜିଲ୍ଲା ପ୍ରମୁଖ ଶଶାଙ୍କ ଶେଖର ଜେନା, ସହ ପ୍ରମୁଖ ମାଧବ ପ୍ରଧାନ, ଜିଲ୍ଲା ବଣିକ ସଙ୍ଘ ସଭାପତି ଯୁଗଳ କିଶୋର ଦାସ, ତିନିମୁହାଣି ବଜାର କମିଟି ଉପସଭାପଡତି ମାନସ ରାଉତରାୟ ପ୍ରମୁଖଙ୍କ ନେତୃତ୍ୱରେ ରାସ୍ତାରୋକ ଏବଂ ବନ୍ଦ ପାଳନ କରାଯାଇଥିଲା। ବନ୍ଦକୁ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହି ଜିଲ୍ଲା ବନ୍ଦ ଡାକରା ଯୋଗୁ ଆଜିର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ ଉପରେ କୈାଣସି ପ୍ରଭାବ ପଡିନଥିବା ଦେଖାଯାଇଛି।
ବାବୁଲିକୁ ଗୁଳିମାଡ ଘଟଣା: ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମରକ୍ଷା ସେନା ଓ ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ବନ୍ଦ
|
July 19, 2019 |
![](https://sandhannews.com/wp-content/uploads/2019/07/ANDOLANAKARINKA-SAHA-SDPONKA-ALOCHANA.jpg)