କାର୍ଯ୍ୟାଦେଶ ଆବଣ୍ଟନରେ ସରପଞ୍ଚଙ୍କୁ ଅଣଦେଖା, ବୈଠକ ଛାଡି ଧାରଣାରେ ବସିଲେ ୧୮ ସରପଞ୍ଚ
କାର୍ଯ୍ୟାଦେଶ ଆବଣ୍ଟନରେ ସରପଞ୍ଚଙ୍କୁ ଅଣଦେଖା, ବୈଠକ ଛାଡି ଧାରଣାରେ ବସିଲେ ୧୮ ସରପଞ୍ଚ
Manas Kumar Rout |
June 29, 2019 |

ବଡ଼ବିଲ, ୨୯/ ୬ (ସନ୍ଧାନ ନିୟୁଜ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ଶନିବାର ପୂର୍ବାହ୍ନରେ ଗ୍ରାମାଞ୍ଚଳ ଗୃହ କାର୍ଯ୍ୟାଦେଶ ଆବଣ୍ଟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବିଡିଓ ଶୁଭ୍ରବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଜିଆର୍ଏସ୍ମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଉପସ୍ଥିତ ସରପଞ୍ଚମାନେ ସଙ୍ଗିନ୍ ଅଭିଯୋଗ ଆଣିଥିଲେ। ପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀମାନଙ୍କୁ ଗୃହ କାର୍ଯ୍ୟାଦେଶ ଆବଣ୍ଟନ ବେଳେ ଚୟନ ପ୍ରକ୍ରିୟାରେ ସରପଞ୍ଚଙ୍କ ସହ ଆଲୋଚନା କରୁନଥିବାର ସରପଞ୍ଚମାନେ ଅଭିଯୋଗ କରିଥିଲେ।ଏହି ଅଭିଯୋଗକୁ ବିଡିଓ ଖଣ୍ଡନ କରିବା ସହ ସରକାରୀ ନିୟମ ଅନୁସାରେ ଗୃହ ଗୁଡିକର କାର୍ଯ୍ୟାଦେଶ ଦିଆଯାଉଛି ବୋଲି କହିଥିଲେ। ଏଥିସହ ଏହି ବୈଠକର ଆଲୋଚନାରେ ଯେଉଁ ସରପଞ୍ଚମାନେ ଅଂଶ ଗ୍ରହଣ କରିବାକୁ ଚାହୁଁନାହାନ୍ତି ସେମାନେ ସଭା ବାହାରକୁ ପଳାଇଯାଆନ୍ତୁ ବୋଲି ବିଡିଓ କହିଥିଲେ। ଏଣୁ ତରତରା ସରପଞ୍ଚ ଜିତେନ୍ଦ୍ର ସାମଲଙ୍କ ସହିତ ଅନ୍ୟ ୧୭ଟି ପଞ୍ଚାୟତର ସରପଞ୍ଚମାନେ ବୈଠକ ଛାଡି ବାହାରକୁ ଚାଲିଯାଇଥିଲେ। ଏଥିସହ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସେମାନଙ୍କ ସହ ଆଲୋଚନା କରି ତାଲିକା ପ୍ରସ୍ତୁତ କରିବା ଦାବିରେ ସଭାକକ୍ଷ ସମ୍ମୁଖରେ ଧାରଣାରେ ବସିଥିଲେ।

Related Posts
About The Author