ଯାଜପୁର,୫/୬(ସନ୍ଧାନ ନିୟୁଜ୍/ମାନସ ରାଉତ) ରସୁଲପୁର ବ୍ଲକର ୧୬ନଂ ଜାତୀୟ ରାଜପଥର କୁଆଖିଆ ପାଣିକୋଇଲି ମଧ୍ୟସ୍ଥ ବିଲିପଡା ଛକ ନିକଟରେ ଆଜି ଏକ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଗଞ୍ଜେଇ ବୋଝେଇ ହୋଇ କଟକରୁ ଭଦ୍ରକ ଅଭିମୂଖେ ଯାଉଥିବା ବେଳେ ସକାଳ ପ୍ରାୟତଃ ୭ଟା୩୦ ମିନିଟ ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ ଲୁହାବାଡରେ ପିଟି ହୋଇଯାଇଥିଲା । କାର ଚାଳକ ଆହତ ହୋଇଥିଲେ । ଗଞ୍ଜେଇ ବୋଝେଇ କାର ପଛରେ ଅନ୍ୟ ଦୁଇଟି ଗାଡିରେ ଆସୁଥିବା କେତେଜଣ ଅଚିହ୍ନା ବ୍ୟକ୍ତି ଆହତ ଚାଳକକୁ ଗାଡିରୁ ଉଦ୍ଧାର କରି ନେଇ ପଳାଇ ଯାଇଥିବା ଦେଖଣାହାରୀଙ୍କ ଠାରୁ ଜଣାପଡିଛି । ଏ ସଂପର୍କରେ ଖବର ପାଇ କୁଆଖିଆ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଗଞ୍ଜେଇ ବୋଝେଇ କାରକୁ ଜବତ କରିଥିଲେ । ଏ ନେଇ ପୋଲିସ ପକ୍ଷରୁ ଅବକାରୀ ବିଭାଗକୁ ଖବର ଦିଆଯାଇଥିଲା ।
ଘଟଣାରୁ ପ୍ରକାଶ ଏକ ଫଡ କାର ନଂ-ଓଡି-୦୨ଏଇ-୭୪୬୭ ଗଞ୍ଜେଇ ବୋଝେଇ ପାକେଟ ଯାଉଥିଲା । ଗାଡିରେ ୨ କିଲୋ ଓଜନର ୬୦ଟି ଓ କେଜିକିଆ ୫ଟି ପାକେଟ୍ ବୋଝେଇ ହୋଇଥିଲା । ଯାହାର ପରିମାଣ ୧.୨୫ କୁଇଣ୍ଟାଲ ଓ ଆନୁମାନିକ ମୂଲ୍ୟ ୬.୨୫ଲକ୍ଷ ହେବ ବୋଲି ଜଣାପଡିଛି । କୁଆଖିଆ ଥାନା ଅଧିକାରୀ ଆଶିଷ ସାହୁଙ୍କ ସୂଚନା ଓ ସହଯୋଗକ୍ରମେ ଅବକାରୀ ବିଭାଗ ପକ୍ଷରୁ କଟକ ଫ୍ଲାଇଙ୍ଗ୍ ସ୍କ୍ୱାଡର ଅଧିକାରୀ ଶରତ ଚନ୍ଦ୍ର ଭଞ୍ଜ, ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ ଏଏସଆଇ ଚକ୍ରଧର ଦାସ ଓ ଯାଜପୁର ଅବକାରୀର ବିଭାଗର ମୋବାଇ ୟୁନିଟର ଅଧିକାରୀ ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ଦାସ, ସବ-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଁଚି ଥିଲେ । ମାମଲାକୁ ଯାଜପୁର ଅବକାରୀ ବିଭାଗକୁ ପ୍ରଦାନ କରାଯାଇଛି । ଯାଜପୁର ମୋବାଇଲ ବିଭାଗ ପକ୍ଷରୁ ଗଞ୍ଜେଇ ପାକେଟ ଓ କାରକୁ ଜବତ କରିଛି । ଗଞ୍ଜେଇ ପାକେଟ ଗୁଡିକୁ କୋର୍ଟ ସମ୍ମୁଖରେ ଉପସ୍ଥାପନ କରାଯାଇଥିବା ବେଳେ ଗାଡିଟିକୁ ବିଭାଗ ନିଜ ଅକ୍ତିଆରକୁ ନେଇଛି ।
ଯାଜପୁର ଅବକାରୀ ବିଭାଗର କେସ୍ ନଂ- ୫/୧୮ରେ ଏକ ମାମଲା ରୁଜୁ କରାଯାଇଛି । ସବ-ଇନ୍ସପେକ୍ଟର ପ୍ରଶାନ୍ତ ମହାନ୍ତି ମାମଲାର ତଦନ୍ତ କରୁଛନ୍ତି । ପ୍ରକାଶଥାଉ କି ଗଞ୍ଜେଇ ରାକେଟର ଚେର ଓଡିଶାରୁ ପଂଚିମବଙ୍ଗ ରାଜ୍ୟକୁ ଲମ୍ବିଛି । ରାକେଟରେ ସଂପୃକ୍ତ ଚୋରା ଚାଲାଣକାରୀମାନେ ଓଡିଶାର କୋରାପୁଟରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଉକ୍ତ ଗାଡିଟି କୋରାପୁଟ ଅଂଚଳରୁ ଗଞ୍ଜେଇ ବୋଝେଇ କରି ଭାୟା ବାଲେଶ୍ୱର ହୋଇ କଲିକତା ଯାଇଥାଆନ୍ତା ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ଏ ନେଇ ତଦନ୍ତ ଜାରି ରହିଛି । ଖୁବ୍ ଶିଘ୍ର ମାମଲା ଉପରୁ ପରଦା ହଟିଯିବ ବୋଲି ବିଭାଗୀୟ ଅଧିକାରୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।