ଭଦ୍ରକରେ ମଦ ବିଭୀଷିକା: ମୃତ୍ୟୁ ସଂଖ୍ୟା ୭ ଛୁଇଁଲା, ୨୦ ଜଣଙ୍କ ଚିକିତ୍ସା ଜାରି

Spread the love

ଭଦ୍ରକ, ୩୦/୪ (ସନ୍ଧାନ ନିୟୁଜ) : ତିହିଡି ବ୍ଳକ ଅନ୍ତର୍ଗତ ପୀରହାଟରେ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ସନ୍ଧ୍ୟାରେ ୭କୁ ଛୁଇଁଛି। ରିପୋର୍ଟ ଲେଖାଯିବା ବେଳକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେବି ୨୦ ଜଣଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ହସ୍‌ପିଟାଲରେ ଆବଶ୍ୟକ ପରିମାଣରେ କର୍ମଚାରୀ ନଥିବାରୁ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଆଲୋଚନା ହେଉଛି। ଇତି ମଧ୍ୟରେ ଆଜି ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା ଘଟଣାର ତଦନ୍ତ ପାଇଁ ପୀରହାଟ ଗାଁକୁ ଯାଇ ଲୋକଙ୍କର ସହିତ କଥାବାର୍ତ୍ତା କରିଛନ୍ତି।

ଆଜି ଅପରାହ୍ଣରେ ଶଙ୍କର୍ଷଣ ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ବାବୁଲି ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ବାବୁଲିଙ୍କ ଶବ ସଂସ୍କାର ହୋଇସାରିଛି ବୋଲି ଗାଁ ଲୋକେ ଅଭିଯୋଗ ଆଣିଛନ୍ତି।

ମଦ ମୃତ୍ୟୁ ନେଇ ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଭଦ୍ରକ ବାନ୍ଦବାଲି ରାସ୍ତା ଅବରୋଧ କରାଯାଇଥିଲା। କେବଳ ବାଇକ୍‌କୁ ଛାଡ଼ି ଅନ୍ୟ ଗାଡ଼ି ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଫଳରେ ହଜାର ହଜାର ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଯେଉଁ ରାଜନେତାମାନେ ଏହି ଘଟଣା ପାଇଁ ଦାୟୀ, ସେମାନଙ୍କର ଗିରଫ ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଆଜି ସନ୍ଧ୍ୟାରେ ପୀରହାଟ ଫାଣ୍ଡି ଘେରାଉ କରିଛନ୍ତି।

ସୂଚନାଯୋଗ୍ୟ ପୀରହାଟରେ ମଦ ପିଇ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ଜିଲ୍ଲାର ଚାନ୍ଦବାଲିରେ ଅନ୍ୟ ଏକ ଘଟଣାରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କ ସଂପର୍କୀୟ ମୃତ୍ୟୁ ଘଟିଛି।

ଦେଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ୍‌ ଗ୍ରହଣ ସରିବା ପରେ କେତେକ ଲୋକ ମଦ୍ୟପାନ କରିଥିଲେ। ଏହି ମଦ ବିଷାକ୍ତ ହୋଇଥିବା ହେତୁ ୩ ଜଣ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ବିଳମ୍ବିତ ରାତ୍ରିରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅତ୍ୟାଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏହି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ରାମଚନ୍ଦ୍ର ପିଆରି, ସାଧୁଚରଣ ନାୟକ, ବାଇଧର ନାୟକ ଏବଂ ସର୍ବେଶ୍ୱର ଦାସ।

Related Posts

About The Author

Add Comment