ମୋଦୀଙ୍କ ରୋଡ୍‌ ‌ସୋ’ ଘଣ୍ଟାଏ ୧୫ ମିନିଟ୍‌

Spread the love

ଭୁବନେଶ୍ବର, ୧୭/୪ (ସନ୍ଧାନ ନିୟୁଜ) : ଆ‌ଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାକୁ ଆସି ଭୁବନେଶ୍ବରରେ ରୋଡ୍‌ ସୋ’ କରିଛନ୍ତି। ସନ୍ଧ୍ୟା‌ ପ୍ରାୟ ୫ଟା ୪୫‌ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା‌ ପରେ ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ିରେ ରୋଡ୍‌ ସୋ’ କରି ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ପ୍ରାୟ ୫କିମିର ରାସ୍ତାରେ ପ୍ରଧାନମନ୍ତ୍ରୀ ୧ଘଣ୍ଟା ୧୫ ମିନିଟ୍‌ର ରୋଡ୍‌ ସୋ’ କରିଥିଲେ। ମୋଦୀ ବିମାନବନ୍ଦରରୁ ବାହାରି ନୂଆ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ସିରିପୁର ଛକ, ସିଟି ଓମେନ୍ସ ଛକ, ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର, ଓୟୁଏଟି ଫାର୍ମ ହାଉସ୍‌ ରାସ୍ତା ଦେଇ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। ସେଠାରୁ ରଙ୍ଗରୁଟ୍‌ରେ ଆସି ବରମୁଣ୍ଡା ପଡ଼ିଆରେ ପ୍ରବେଶ କରିଥିଲେ। ରୋଡ୍‌ ସୋ’ ସମୟରେ ମୋଦୀ ଗାଡ଼ିରୁ ଓହ୍ଲାଇନଥିଲେ ହେଁ ହାତ ହଲାଇ ତାଙ୍କ ସମର୍ଥକଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ। ମୋଦୀଙ୍କ ଗାଡ଼ି ଆଗରେ ଓଡ଼ିଶାର ପାରମ୍ପାରିକ ଘୋଡ଼ା ନାଚ, ଆଦିବାସୀ ନୃତ୍ୟ ସହ ଘଣ୍ଟ, ଢୋଲ ବଜାଇ ତାଙ୍କୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା। ମୋଦୀ ପ୍ରଶଂସକମାନେ ବି ମୋଦୀ ମୁଖା ପିନ୍ଧି ତାଙ୍କ ସହ ରାସ୍ତା କଡ଼କଡ଼େ ଚାଲି ଚାଲି ଯାଇଥିଲେ। ଅପରପକ୍ଷେ କେତେକ ବିଜେପି କର୍ମୀ ଭିଭିଆଇପି ପାସ୍‌ ବେକରେ ଝୁଲାଇ ବାରିକେଡ୍‌ ଡେଇଁ ମୋଦୀଙ୍କ କାର୍‌କେଡ୍‌ ଆଡ଼କୁ ମାଡ଼ି ଆସୁଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇଥିଲା। ସିଟି ମହିଳା ମହାବିଦ୍ୟାଳୟ ଛକରେ କିଛି ସମୟ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ମୋଦୀଙ୍କ ରୋଡ୍‌ ସୋ’ରେ ଶୃଙ୍ଖଳା ପାଇଁ କମିସନରେଟ୍‌ ପୁଲିସ ପୂରା ଦମ୍‌ରେ ଲାଗି ପଡ଼ିଥିଲା। ଗଙ୍ଗନଗରଠାରୁ ସିଟି ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ୫ଟାରୁ ସିଲ୍‌ କରି ଦିଆଯାଇଥିଲା। ସେହିଭଳି ସିଟି ମହିଳା ମହାବିଦ୍ୟାଳୟରୁ ଖଣ୍ଡଗିରି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ସିଲ୍‌ ଥିଲା। ୫ଟାରୁ ୭ଟା ପର୍ଯ୍ୟନ୍ତ ପ୍ରାୟ ୨ଘଣ୍ଟା ଧରି ଏହି ରାସ୍ତା ବନ୍ଦ ରହିବାରୁ ଏହାକୁ ସଂ‌ଯୋଗ କରୁଥିବା ସହରର ଅନ୍ୟ ସମସ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା।

Related Posts

About The Author

Add Comment