ଯାଜପୁର, ୧୨/୧୦/୨୦୨୧ (ସନ୍ଧାନ ନିଉଜ) : ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ଯାଇଥିବା ୫୩ ନଂବର ଜାତୀୟ ରାଜପଥ ଏବେ ମରଣଯନ୍ତାରେ ପରିଣତ ହୋଇଛି । ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ମନୋମୁଖୀ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆଜି ସତୀଶ ବିଶ୍ୱାଳଙ୍କୁ ନେଇ ପ୍ରଶାସନ ତରଫରୁ ରାସ୍ତାର ଦୂରାବସ୍ଥା ନେଇ ଏକ ଅନୁଧ୍ୟାନ କରାଯାଇ ଥିଲା । ଚଣ୍ଡୀଖୋଲର ଗାନ୍ଧୀଛକ ଠାରୁ ଏହି ଅନୁଧ୍ୟାନ ପ୍ରକିୟା ଆରମ୍ବ ହୋଇଥିଲା । ଖୋସାଲିପୁର ବ୍ରିଜ ଉପରେ ଉଭୟ ପଟରେ, ସୁଭଦ୍ରାପୁର, ଚାରବାଟିଆ ଠାରେ ହୋଇଥିବା ବିପଦପୂର୍ଣ୍ଣ ହମ୍ପସ ସହ ହମ୍ପସ ତଳେ ରାସ୍ତା ଅତ୍ୟଧିକ ଖାଲ ହୋଇଥିବା କାରଣରୁ ଛୋଟ ଗାଡିରେ ଯାତାୟତ କରୁଥିବା ଲୋକେ ଗାଡିରୁ ଓହ୍ଲାଇ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳୁଛି । ଚଣ୍ଡୀଖୋଲ କଲେଜ ଛକରେ ଥିବା ଡାଇଭରସନ ରୋଡ ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି । ଭଢଙ୍ଗା, ଆରୁହା, ବରଡା, ଚଢେଇଧରା, ବାଲିସାହି, କବାଟବନ୍ଧ, ପଙ୍କପାଳ ଆଦି ଛକରେ ଏବଂ ଏହି ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବା ନେଇ କମିଟି ଅନୁଧ୍ୟାନ କରିଥିଲା । ବଳରାମପୁର, ଆରୁହା ନିକଟରେ ପାହାଡ ପରି ଗଦା ହୋଇଥିବା ବିଷାକ୍ତ ବର୍ଯ୍ୟ ପାଉଁସ ରାସ୍ତାକୁ ଖସି ରାସ୍ତାରେ ଖେଳେଇ ହୋଇ ଯାଉଛି । ଏହି ବର୍ଯ୍ୟ ପାଉଁସ ରାସ୍ତାରେ ଉଡି ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ରାସ୍ତା ଦେଖା ଯାଉନାହିଁ । ଏଥିପାଇଁ ରାସ୍ତାରେ ଭୟଙ୍କର ଅବସ୍ଥା ସୃଷ୍ଟି ହେଉଛି । ଲୋକମାନେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଛି । ରାସ୍ତାରେ ଫସଲ ଜମିକୁ ଏହି ପାଉଁସ ମାଡିଯାଇ ଚାଷଜମି ତାର ଉତ୍ପାଦିକା ଶକ୍ତି ହରାଉଛି । ସେଥିପାଇଁ ରାସ୍ତାରେ ସଡକ ସୁରକ୍ଷା ବିପନ୍ନ ହେଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ସତୀଶ ବିଶ୍ୱାଳ ଅଭିଯୋଗ କରି ବିଷଦଗାର କରିଥିଲେ । ସତୀଶ ଅଭିଯୋଗ କରିଥିଲେ ଯେ, ରାସ୍ତାରେ ଆଦୌ ପାଣି ଛିଞ୍ଚା ଯାଉ ନଥିବାରୁ ରାସ୍ତାରେ ବିଷାକ୍ତ ପାଉଁସର ଧୂଳିଝଡ ସୃଷ୍ଟି ହେଉଛି । ଅନ୍ୟର ଜୀବନକୁ ଦୁର୍ବିସହ କରି ରାସ୍ତା ନିର୍ମାଣ କରାଯିବା ନେଇ ସତୀଶ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଚଣ୍ଡୀଖୋଲ ଆର.ଟି.ଓ କେଶବ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଇଥିବା ଅନୁଧ୍ୟାନକାରୀ କମିଟିରେ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ଚଢେଇଧରାରେ କମିଟି ନିକଟରେ ସଡକ ନିର୍ମାଣରେ ବ୍ୟାପକ ତ୍ରୁଟି ଏବଂ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏଥିରେ ବସ ଏବଂ ଟ୍ରକ ମାଲିକ ସଂଘର ପ୍ରତିନିଧି ମାନେ ସାମିଲ ହୋଇ ରାସ୍ତାରେ ମନୁଷ୍ୟକୃତ ପ୍ରଦୂଷଣ ବିଷ ବଳୟରେ ଲୋକେ ଅଣନିଶ୍ୱାସୀ ହେବା ନେଇ ଉଦବେଗ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି, ୫୩ ନଂବର ଜାତୀୟ ରାଜପଥର ଦୂରାବସ୍ଥା ନେଇ ସତୀଶ ବିଶ୍ୱାଳ ଦୀର୍ଘଦିନ ହେଲା ସ୍ୱର ଉଠାଉଥିବା ବେଳେ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ପାଇଁ ଦାବି କରି ଆସୁଥିଲେ ।
୫୩ ନଂବର ଜାତୀୟ ରାଜପଥର ନିର୍ମାଣରେ ଚରମ ଦୂରାବସ୍ଥା ନେଇ ତଦନ୍ତରେ ବିଷଦଗାର କଲେ ସତୀଶ ବିଶ୍ୱାଳ
|
October 13, 2021 |