ଚଣ୍ଡିଖୋଲ,(ସନ୍ଧାନ ନିୟୁଜ): ୨୦୧୬ ମସିହାରେ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ୩୦ରୁ ଉର୍ଦ୍ଧ୍ୱ ତେଲବାହୀ ଟ୍ୟାଙ୍କର ଗାଡ଼ିର ନକଲି ରେଜିଷ୍ଟ୍ରେସନ୍ ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ପକାଇଥିଲା । ଏହା ମଧ୍ୟରେ ୫ବର୍ଷ ବିତି ଯାଇଥିଲେବି ଚର୍ଚ୍ଚିତ ଘଟଣା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଯାହାକି ସାଧାରଣ ଲୋକଙ୍କ ମନରୁ ଭୁଲିଯାଇଥିଲେ । ଏବେ ପୁନର୍ବାର ଏହି ଘଟଣାର ପୁନଃ ତଦନ୍ତ କରିବାପାଇଁ ଯାଜପୁର ଏସ୍ପି ରାହୁଲ ପିଆର ବଡ଼ଚଣା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ପିଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ଥାନାଅଧିକାରୀ ପ୍ରିୟବ୍ରତ ରାଉତ ଭୁବନେଶ୍ୱର ସ୍ଥିତ ଏକ୍ସାଇଜି ବିଭାଗର ମୁଖ୍ୟ କଂଟ୍ରୋଲରଙ୍କୁ ସାକ୍ଷାତ କରି ଏହି ପୁରୁଣା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟଯେ ଗତ ୨୦୧୬ ମସିହାରେ ଜାଲ ନମ୍ବରରେ ରେଜିଷ୍ଟ୍ରେସନ କରି ବହୁ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ପେଟ୍ରୋଲ, ଡ଼ିଜେଲ ଓ କିରୋସିନ୍ ପରିବହନ କରୁଥିଲା । ସେଥିମଧ୍ୟରୁ ଅନେକ ଟ୍ୟାଙ୍କର ଚଣ୍ଡିଖୋଲ ଆର୍ଟିଓରେ ରେଜିଷ୍ଟ୍ରେସନ୍ ଦର୍ଶାଇ ଜାଲ ନମ୍ବର ପ୍ଲେଟ ଲଗାଇ ଟ୍ୟାଙ୍କର ଗୁଡ଼ିକ ଏହି କାରବାର କରୁଥିଲେ । ଚୋରା କାରବାର ଧରପଗଡ଼ ବେଳେ ବହୁ ବେଆଇନ ଟ୍ୟାଙ୍କରକୁ ସେତେବେଳେ ଜବତ୍ କରାଯାଇ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ତତ୍କାଳୀନ ଆଂଚଳିକ ପରିବହନ ଅଧିକାରୀଙ୍କୁ ବଦଳି କରାଯାଇଥିବାବେଳେ ଚଣ୍ଡିଖୋଲ ପରିବହନ କାର୍ଯ୍ୟାଳୟର କନିଷ୍ଠ ଏମ୍ଭିଆଇ ଓ ଜଣେ କିରାଣୀଙ୍କୁ ସେତେବେଳେ ଗିରଫ କରାଯାଇଥିଲା । ସେହିପରି ଅନେକ ଟ୍ୟାଙ୍କର ମାଲିକ ମଧ୍ୟ ଗିରଫ ହୋଇ ଜାମିନ୍ ରେ ଆସିଥିଲେ । ତେବେ ଦୀର୍ଘ ୫ବର୍ଷ ପରେ ପୁନଶ୍ଚ ଏହି ବେଆଇନ୍ ଘଟଣାର ଖୋଳତାଡ଼ କରାଯାଉଥିବା ନେଇ ବଡ଼ଚଣା ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
୫ବର୍ଷ ତଳର ଭୁତ ଟ୍ୟାଙ୍କର ଘଟଣା, ପୁନଃ ତଦନ୍ତ ଆରମ୍ଭ
|
April 9, 2021 |