ଭଦ୍ରକ, ୧/୪/୨୦ (ସନ୍ଧାନ ନିଉଜ) : ଗତ ଦୁଇଦିନ ତଳେ ଏକ ଟ୍ରଲର ଯୋଗେ ଖୋର୍ଦ୍ଧାରୁ ଝାଡଖଣ୍ଡ ଯାଉଥିବା ୪୫ ଜଣ ଯୁବକଙ୍କୁ ଅଟକ ରଖିବା ପରଠାରୁ ସେମାନଙ୍କୁ କେଉଁଠି ରଖାଯିବା ନେଇ ପ୍ରଶାସନର ଏବେ ନିଦ ହଜିଯାଇଛି । ଗତ ୩୦ ତାରିଖ ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥର ଆଖଣ୍ଡଳମଣି ଛକରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଅଟକ ଏହି ଯୁବକମାନଙ୍କୁ ନେଇ ପ୍ରଶାସନକୁ ବେଶ୍ ନାକେଦମ୍ ହେବାକୁ ପଡିଥିଲା । ପ୍ରଥମେ ଗେଲପୁର ହାଇସ୍କୁଲରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବଙ୍କସ୍କୁଲରେ ରଖାଯିବାର ସ୍ଥିର କରାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଫଳରେ ବାଧ୍ୟହୋଇ ତାଙ୍କୁ ବାଗୁରାଇ ଆଦିବାସୀ କଲୋନୀରେ ଥିବା ସ୍କୁଲରେ ରାତିରେ ରହିବାର ବନ୍ଦୋବସ୍ତ କରାଯାଇଥିଲା । ମାତ୍ର ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକଙ୍କ ବିରୋଧ ଆରମ୍ଭ ହୋଇଥିଲା । ଫଳରେ ସେମାନଙ୍କୁ ଭଦ୍ରକ କଲେଜ ପରିସରରେ ଥିବା ଏକ ହଷ୍ଟେଲ୍ରେ ରଖାଯାଇଥିଲେ ବି ଅଟକ ଯୁବକମାନେ ‘ଆମକୁ ଛାଡିଦିଅ, ଆମେ ଚାଲି ଚାଲି ଝାଡଖଣ୍ଡ ଚାଲିଯିବୁ, ଆମର କାହାରି ବେମାର ନାହିଁ, କାହାରି ଦେହ ବି ଖରାପ ନାହିଁ, ପାରିବ ଯଦି ଆମର ଟେଷ୍ଟ କରାଇ ଆମକୁ ଛାଡିଦିଅ, ଆମ ଘର ଲୋକେ ଆମକୁ ଚାହିଁଛନ୍ତି, ଏଠି ଆମେ କାହିଁକି ରହିବୁ’? ଏଭଳି ପ୍ରଶ୍ନ କରୁଛନ୍ତି ଝାଡଖଣ୍ଡର ୪୫ ଯୁବକ ।
ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ସେମାନେ ଆନ୍ଧ୍ରପ୍ରଦେଶରେ ଜିଆର କଂପାନୀ ମାଧ୍ୟମରେ ଜାତୀୟ ରାଜପଥ କାମ କରୁଥିଲେ । କରୋନା ପାଇଁ କାମ ବନ୍ଦ ହୋଇଗଲା । ଲକ୍ଡାଉନ୍ବେଳେ ସେମାନେ ଘରକୁ ଯିବାକୁ ବାହାରିଥିଲେ ବି ଟ୍ରେନ, ବସ୍ ବନ୍ଦ ଯୋଗୁଁ ଚାଲି ଚାଲି ଘରକୁ ବାହାରିଲେ । ଦିନକ ପରେ ଝାଡଖଣ୍ଡ ଯାଉଥିବା ଟ୍ରଲର ଚାଳକଙ୍କୁ ବହୁ କଷ୍ଟରେ ମନାଇଥିଲେ । ବିନା ପଇସାରେ ଏହି ଟ୍ରଲର ଚାଳକ ସେମାନଙ୍କୁ ବହୁ ରାଜପଥ ପାଶ୍ୱର୍ ଥାନା ଅତିକ୍ରମ କରି ଆଣିଥିଲେ । ସେମାନଙ୍କ ଦୁଃଖ ଶୁଣି କୌଣସି ପୁଲିସ୍ ବାବୁ ତାଙ୍କୁ ଅଟକାଇନଥିଲେ । ମାତ୍ର ଏଠାରେ ସେମାନେ ଫଶିଗଲେ । ବିଚରା ଚାଳକ ବି ୧୦ ହଜାର ଜରିମାନା ଦେଲା ବୋଲି ସେମାନଙ୍କ ମନ ବି ବହୁତ କଷ୍ଟ । ଯାହା ଜଣାଯାଏ ଏହି ୪୫ ଜଣ ଯୁବକ ଆଦିବାସୀ କଲୋନୀ ସ୍କୁଲରେ ଥିବାବେଳେ ଘରକୁ ଯିବା ଜିଦ୍ରେ ପ୍ରଶାସନର ରନ୍ଧା ଖାଦ୍ୟ ଖାଇନଥିଲେ । ତେବେ ଟାଉନ୍ ଥାନାଧିକାରୀ ଚନ୍ଦନ ଘଡେଇ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ସେମାନଙ୍କ ନିକଟରେ ପହଞ୍ôଚ ବୁଝାସୁଝା କରିଥିଲେ ବି ସେମାନେ ନିଜ ଜିଦ୍ରେ ଅଟଳ ଥିଲେ । ଏହି ଯୁବକମାନଙ୍କର ଘର ଝାଡଖଣ୍ଡର ଲାଟେରା ଜିଲାର ମୋନିକା ଥାନା ଅଂଚଳର ବୋଲି ଜଣାପଡିଛି ।