ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ନବୀନ ଯୁଗର ଅନ୍ତ ଘଟିଛି । ଦୀର୍ଘ ୨୪ ବର୍ଷ ପରେ କ୍ଷମତାଚ୍ୟୁତ ହୋଇଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି ନବୀନ ପଟ୍ଟନାୟକ । ଆଉ ଏବେ ହୋଇ ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବିଜେପି ୭୮ ସିଟ୍ ଜିତି ପ୍ରଥମ ଥର ରାଜ୍ୟରେ ସରକାର ଗଢିବାକୁ ଯାଉଛି । ଆଉ ବିରୋଧୀ ଦଳ ଆସନରେ ବସିବ ବିଜେଡି । କାହାର ଭାଗ୍ୟ ଚମକିଛି ତ ଆଉ କାହାର ରାଜନୈତିକ କ୍ୟାରିୟର ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥର ନିର୍ବାଚନର ଫଳାଫଳ ସଭିଙ୍କ ଚକିତ କରିଦେବା ଭଳି ରହିଛି । ମାଟି କାମୁଡିଛନ୍ତି ବିଜେଡିର ୧୨ ମନ୍ତ୍ରୀଙ୍କ ସହିତ ଅନେକ ହେଭିୱେଟ ନେତା । ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ଭୋଟ୍ ବ୍ୟବଧାନ କମ ରହିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟରେ ବିଜୟୀ ହୋଇଥିଲେ । ଅନ୍ୟପଟେ କଣ୍ଟାବାଞ୍ଜି ସିଟରେ ସେ ୧୬ ହଜାରରୁ ଅଧିକ ଭୋଟରେ ହାରିଛନ୍ତି । ତେବେ ଏଥର ନିର୍ବାଚନରେ ଏମିତି ୨୪ ସିଟ୍ ରହିଛି, ଯେଉଁଠି ବହୁ କମ ଭୋଟ ବ୍ୟବଧାନରେ ପ୍ରାର୍ଥୀ ବିଜୟ ହୋଇଛନ୍ତି ଏବଂ ହାରିଛନ୍ତି । ଆଉ ଏସବୁ ଭୋଟ୍ ବ୍ୟବଧାନକୁ ମିଶାଇଲେ ଭୋଟ୍ ସଂଖ୍ୟା ହେଉଛି ୯୯ ହଜାର ଭୋଟ୍ । ଅର୍ଥାତ ଏହି ୯୯ ହଜାର ଭୋଟ୍ ପାଇଥିଲେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥାନ୍ତେ । କହିବାକୁ ଗଲେ ୯୯ ହଜାର ଭୋଟ୍ ମିଳିଲେ ଜଣେ ବିଧାୟକ ସହଜରେ ବିଜୟ ହାସଲ କରିଥାନ୍ତି । ଗୋଟିଏ ବିଧାୟକ ପାଇଁ ନବୀନ ପଟ୍ଟନାୟକ ନିର୍ବାଚନ ହାରି ଯାଇଛନ୍ତି । କମ ବ୍ୟବଧାନରେ ବିଜେଡିର ୨୧ ଜଣ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଏଥିରେ ଝାରସୁଗୁଡାରୁ ଦୀପାଳି ଦାସ ୧୩୩୩ ଭୋଟରେ, ପାଟଣାଗଡରୁ ସରୋଜ କୁମାର ମେହେର ୧୩୫୭ ଭୋଟରେ, ନିଆଳିରୁ ପ୍ରମୋଦ ମଲ୍ଲିକ ୧୪୫୨ ଭୋଟରେ, କୋରାପୁଟରୁ ରଘୁରାମ ରାମ ପାଡଲ ୨୫୨୪ ଭୋଟରେ, ବୌଦ୍ଧରୁ ପ୍ରଦୀପ କୁମାର ଅମାତ ୨୭୬୫ ଭୋଟରେ, ଫୁଲବାଣୀରୁ ଜୟଶ୍ରୀ କହଁର ୨୮୫୮ ଭୋଟରେ, ଝରିଗାଓଁରୁ ରମେଶ ଚନ୍ଦ୍ର ମାଝୀ ୩୨୭୮ ଭୋଟରେ, କଟକ ସଦରରୁ ଚନ୍ଦ୍ର ସାରଥୀ ବେହେରା ୩୮୦୯ ଭୋଟରେ, ସମ୍ବଲପୁରରୁ ରୋହିତ ପୂଜାରୀ ୪୧୦୫ ଭୋଟରେ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ୪୧୫୦ ଭୋଟରେ ପରାସ୍ତ ହୋଇଛନ୍ତି । ସେହିପରି ଚିଲିକାରୁ ରଘୁନାଥ ସାହୁ ୪୫୬୬ ଭୋଟରେ, ନିମାପଡାରୁ ଦିଲୀପ କୁମାର ନାୟକ ୪୫୮୮ ଭୋଟରେ, କାମାକ୍ଷାନଗରରୁ ପ୍ରଫୁଲ କୁମାର ମଲ୍ଲିକ ୪୬୬୨ ଭୋଟରେ, ବରଗଡରୁ ଦେବେଶ ଆଚାର୍ଯ୍ୟ ୪୭୭୨ ଭୋଟରେ, ଭୁବନେଶ୍ୱର ଏକାମ୍ରରୁ ଅଶୋକ ଚନ୍ଦ୍ର ପଣ୍ଡା ୫୦୨୩ ଭୋଟରେ, କୋରେଇରୁ ସନ୍ଧ୍ୟାରାଣୀ ଦାସ ୫୬୪୬ ଭୋଟରେ, ରଘୁନାଥପାଲ୍ଲୀରୁ ଅର୍ଚ୍ଚନା ରେଖା ବେହେରା ୫୭୭୪ ଭୋଟରେ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ ୬୩୧୦ ଭୋଟରେ, ଉଦଳାରୁ ଶ୍ରୀନାଥ ସୋରେନ ୬୫୧୭ ଭୋଟରେ, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ୬୫୨୨ ଭୋଟରେ, କଣ୍ଟାମାଳରୁ ମହୀଧର ରଣା ୭୧୪୯ ଭୋଟରେ ଓ ଖଣ୍ଡପଡାରୁ ସାବିତ୍ର ପ୍ରଧାନ ୭୩୪୩ ଭୋଟରେ ପରାଜିତ ହୋଇଛନ୍ତି । ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା । ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଦୃଢ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିଛି ।
୨୪ ବର୍ଷର ବିଜେଡି ସରକାର ମାତ୍ର ୯୯ ହଜାର ଭୋଟ୍ ପାଇଁ ଭୁଶୁଡିଗଲା
|
June 7, 2024 |
