ବାରିପଦା, ୦୪.୦୨.୨୦୨୧(ସନ୍ଧାନ ନିଉଜ୍ ):- ଭାରତ ସରକାର ୨୦୨୨ ମସିହା ପୂର୍ବରୁ କେନ୍ଦ୍ର ପ୍ରାୟୋଜିତ ୧୩୧ଟି ଯୋଜନାରୁ ୪୧ଟିକୁ ବନ୍ଦ କରିବେ। ବୁଧବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ବ୍ୟୟ ସଚିବ ଟି.ଭି.ସୋମନାଥନ। ରାଜ୍ୟମାନଙ୍କ ଲାଗି କେନ୍ଦ୍ର ଯୋଜନା ଚୟନ ସରଳିକରଣ ପ୍ରକ୍ରିୟାରେ ଏହି ପଦକ୍ଷେପ ନିଆଯିବାକୁ ଥିବା ବେଳେ ଉପଯୋଗିତା ହରାଇସାରିଥିବା ଯୋଜନା ଏଥିରେ ବନ୍ଦ ହେବ ବୋଲି ତାଙ୍କ ସୂଚନାରୁ ଜଣାପଡିଛି। ତେବେ କେଉଁ ଯୋଜନାଗୁଡିକ ବନ୍ଦ ହେବ ସେ ନେଇ ସଚିବ ବିସ୍ତୃତ ସୂଚନା ଦେଇନାହାନ୍ତି। ହେଲେ ସରକାରୀ ସୂତ୍ରରୁ ମିଳୁଥିବା ସୂଚନାରୁ ଶିକ୍ଷା ଓ କୃଷିମନ୍ତ୍ରାଳୟ ସବୁଠୁ ଅଧିକ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏଏସ୍) କାର୍ଯ୍ୟକାରୀ କରିଥାନ୍ତି। ଏଥିରେ ଏମିତି ବି ଯୋଜନା ସବୁ ଅଛି ଯେଉଁଗୁଡିକ ପ୍ରାୟତଃ ପ୍ରଭାବହୀନ । ଏଣୁ ଏଭଳି ଯୋଜନାଗୁଡିକ ଏବେ ସରକାରଙ୍କ ରାଡାରରେ ଥିବା ଜଣାପଡିଛି। ବ୍ୟୟ ସଚିବଙ୍କ ଅନୁସାରେ ବର୍ଷବର୍ଷ ଧରି ଏହି ସବୁ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରୁ ଅନେକର ଏବେ ପ୍ରାସଙ୍ଗିକତା ମଧ୍ୟ ନାହିଁ। ଏଥିରେ ଅନେକ ଯୋଜନା ଅଛି ଯେଉଁଗୁଡିକ ବହୁତ କ୍ଷୁଦ୍ର। ଏଥିରୁ ସେପରି କୌଣସି ଲାଭ ମଧ୍ୟ ମିଳୁନି। ଏଣୁ ଗୁରୁତ୍ୱ ରଖୁନଥିବା ଏପରି ଛୋଟଛୋଟ ଯୋଜନାଗୁଡିକୁ ସମାପ୍ତ କରି କେନ୍ଦ୍ର ପ୍ରାୟୋଜିତ ଯୋଜନା ସଂଖ୍ୟା ହ୍ରାସ କରିବା ଏବେ ସରକାରଙ୍କ ମୁଖ୍ୟ ଲକ୍ଷ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯୋଜନା ଲାଗି ବଜେଟ୍ କାଟ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ହେଲେ ଏହି ସବୁ ଯୋଜନାର ଧନ ସେହି ସବୁ ଯୋଜନାରେ ଉପଯୋଗ ହୋଇପାରିବ ଯେଉଁ ଯୋଜନା ଲାଗି ଧନର ଅଧିକ ଆବଶ୍ୟକତା ରହୁଛି ବୋଲି ବ୍ୟୟ ସଚିବ କହିଛନ୍ତି। ଏବେ ସରକାର ବିକଳ୍ପ ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ଧନ ଅଭାବ ଯୋଗୁ ସରକାର ଏଭଳି ପଦକ୍ଷେପ ନେଉଥିବାରୁ ଏପରି ଯୋଜନା ସମାପ୍ତ କରିବାକୁ ବିଚାର କରାଯାଉଥିବା ବ୍ୟୟସଚିବ କହିଛନ୍ତି।
୧୩୧ଟି ଯୋଜନାରୁ ୪୧ଟିକୁ ବନ୍ଦ କରିବେ ଭାରତ ସରକାର
|
February 4, 2021 |