ଅଭିମନ୍ୟୁ ବେହେରା,
ସାରନଗରୀ, ରାଉରକେଲା
ସମୟ ଥିଲା ଏ ମାନବ ସମାଜ ସତ୍ୟ ଶାନ୍ତି, ଦୟା, କ୍ଷମା, ଗୁଣରେ ପରିଚାଳିତ ହେଉଥିଲା । ସମୟାନୁସାରେ ମନୁଷ୍ୟ ରିପୁ ଗୁଡ଼ିକ ବିଭିନ୍ନ ପ୍ରକାରର ଖରାପ ଗୁଣରେ ପରିପୂର୍ଣ୍ଣ ହୋଇଗଲା । ଯାହାକି ଆଜିର ସମାଜରେ ଦିନ ପ୍ରତିଦିନ ଦେଖିବାକୁ ମିଳୁଛି । ମନୁଷ୍ୟ ଇଶ୍ୱାରାନୁବର୍ତୀ ହୋଇ ଇଶ୍ୱରଙ୍କ ପ୍ରତି ସମପର୍ଣ ମନୋଭାବ ପ୍ରଦର୍ଶନ କରିପାରିଲେ ଖରାପ ଗୁଣଗୁଡ଼ିକ ପରିବର୍ତନ ହୋଇ ସତଗୁଣରେ ରୁପାନ୍ତରିତ ହୋଇ ପାରନ୍ତା । କିନ୍ତୁ ଆଧୁନିକ ସଭ୍ୟତାର ଦ୍ୱାହୀ ଦେଇ ନିଜକୁ ସଦଗୁଣୀ ହେବାରୁ ବଂଚିତ କରାଇବା ତାହା କେତେଦୂର ସମଚୀନ ସେ ସବୁ ଚିନ୍ତା କରିବାର ସମୟ ବର୍ତମାନ ଉପନୀତ । ପ୍ରକୃତି ବର୍ତମାନ ଯେଉଁ କରାଳରୂପ ଧାରଣ କରି ବର୍ତମାନ ସମାଜକୁ ଯେଉଁ ଧ୍ୱସ୍ତବିଧ୍ୱସ୍ତ କରୁଛି ଏହାର ଜ୍ୱଳନ୍ତ ଉଦାହରଣ । ଶାସ୍ତ୍ର କହେ, ପୂର୍ବରୁ ଯେଉଁମାନେ ଶାସନ ଗାଦିରେ ଅଧିଷ୍ଠିତ ରହୁଥିଲେ ସେମାନେ ସମୂର୍ଣ୍ଣ ସତ୍ୟ ଉପରେ ଆଧାରିତ ଥିଲେ । ତେଣୁ ସେମାନଙ୍କୁ ପ୍ରଜାବତ୍ସଳ କୁହାଯାଉଥିଲା । ଏବେ କିନ୍ତୁ ସେ ସବୁ ଦେଖିବାକୁ ମିଳୁନାହିଁ । ସମାଜର ପ୍ରତ୍ୟେକ ସ୍ତରରେ ପାପର ଭାର ବଢି ବଢି ଚାଲିଛି । ଯାହାଦ୍ୱାରା ପରମାତ୍ମାଙ୍କ ଦ୍ୱାରା ସୃଷ୍ଟି ପ୍ରକୃତି ତା’ର କରାଳ ଛାୟା ମେଲାଇ ଚାଲିଛି ଓ ଚାଲିଥିବ ମଧ୍ୟ । ପୂର୍ବରୁ ସମୟାନୁସାରେ ରୁତୁ ପରିବର୍ତନ ହେଉଥିଲା । ମାତ୍ର ବର୍ତମାନ କେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତ, ପୁଣି କେତେବେଳେ ଘନଘନ ବର୍ଷା ଓ ହାଡଭଙ୍ଗା ଶୀତ । ମହାପୁରୁଷ ମାନଙ୍କ ଲିଖିତବାଣୀ ସତରେ କ’ଣ ସତ୍ୟରେ ପରିଣତ ହେବ? ଏହା କିଛି ଗୁଣୀ ସମାଜର ମନକୁ ଆନ୍ଦୋଳିତ କରୁଛି । ଏଣୁ ସାଧୁ ସାବଧାନ! ଭବିଷ୍ୟତର କର୍ମଫଳକୁ ଆଖିଆଗରେ ରଖି ବିଚାର କରିବାର ସମୟ ଆସି ଯାଇଛି । ହେଳା କଲେ ଭେଳା ନିଶ୍ଚୟ ବୁଡିବ । ଲୋକ ଦେଖାଣିଆ ଭଗବତ ଚିନ୍ତନ ପରିତ୍ୟାଗ କରି ଆତ୍ମଚିନ୍ତନ ପୂର୍ବକ ସତ୍ୟକୁ ସମାଜରେ ପ୍ରତିଷ୍ଠିତ କରାଯାଇପାରିଲେ ସମାଜରୁ ପାପରୂପକ ଅମା ଅନ୍ଧକାର ଦୂରିଭୂତ ହୋଇପାରିବ । ନଚେତ ମହାପ୍ରଳୟର ଦାବନଳରେ ଦାହ ହେବା ସାର ହେବ । ଏଣୁ ଆସନ୍ତୁ ଏଥିପାଇଁ ସମସ୍ତେ ସଜାଗ ହେବା ଏବଂ ଇଶ୍ୱର ଅର୍ନ୍ତଭୁକ୍ତ ହୋଇ ପୃଥିବୀରୁ ପାପରୂପକ ଅମାଅନ୍ଧକାରକୁ ଦୂରିଭୂତ କରିବାକୁ ସମୂହ ପ୍ରୟାସ କରିବା । ଜୟ ଜଗନ୍ନାଥ ।