ସ୍ୱାମୀ ହତ୍ୟା ଅଭିଯୋଗରେ ସ୍ତ୍ରୀ ଅଟକ

Spread the love

କୋରାପୁଟ, ୨୨/୪ (ସନ୍ଧାନ ନିୟୁଜ) ପାରିବାରିକ ଅଶାନ୍ତିରୁ ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ସୁନାବେଡା ପୁଲିସ ମୃତକର ସ୍ତ୍ରୀକୁ ଅଟକ ରକିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି । ମୃତକ ଜଣକ ହେଲେ କୋରାପୁଟ ଜିଲା ବି.ସିଂହପୁର ଥାନା ରାଣୀଗଡ ଗ୍ରାମର ପୂର୍ଣ୍ଣ ହରିଜନ । ପୂର୍ଣ୍ଣହରିଜନକୁ ଭାଉଜ ମୁକ୍ତା ଟାକ୍ରୀ ହତ୍ୟା କରିଥିବା ମୃତ ପୂର୍ଣ୍ଣର ସାନଭାଇ କୃଷ୍ଣ ହରିଜନ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ପୁଲିସ ଏହାକୁ ଅପମୃତ୍ୟୁ ଭାବେ ନେଇ ତଦନ୍ତ କରୁଥିଲାବେଳେ ମୃତକର ପରିବାର ଲୋକେ ବିରୋଦ୍ଧ କରିଥିଲେ । ଏହା ଏକ ହତ୍ୟା ହୋଇଥିଲେ ମଧ୍ୟ ପୁଲିସ ଅପରାଧୀ ମାନଙ୍କୁ ଗିରଫ କରୁନଥିବା ଅଭିଯୋଗ କରି ମୃତ ପୂର୍ଣ୍ଣ ହରିଜନର ସମ୍ପର୍କୀୟ ମାନେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ହୋହାଲ୍ଲା କରିବା ସହ ଗିରଫ ନକରିବା ଯାଏ ଶବ ବ୍ୟବଚ୍ଛେଦ କରାଇ ନଦେବାକୁ ଅଡି ବସିଥିଲେ । ସୁନାବେଡା ଥାନା ଅଧିକାରୀ ସୁମିତ୍ରା ଜେନା,କୋରାପୁଟ ଟାଉନ୍ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ମେଡିକାଲ୍ କଲେଜରେ ଉପସ୍ଥିତ ରହି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଘଟଣାକୁ ହତ୍ୟା ମାମଲା ଭାବେ ପଂଜିକରଣ କରି ଧାରା ୩୦୨/୩୪ ଆଇପିସି(କେଶ୍ ନଂ-୬୦/୧୯)ରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁଲିସ୍ ମୃତ ପୂର୍ଣ ହରିଜନର ସ୍ତ୍ରୀ ମୁକ୍ତା ଟାକ୍ରୀକୁ ଥାନାକୁ ନେଇ ରଖିବା ପରେ ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ,କିଛି ବର୍ଷ ପୂର୍ବେ ରାଣୀଗଡର ପୂର୍ଣ୍ଣ ହରିଜନ କୋରାପୁଟ ସଦର ଥାନା ଥାଟପଦର ଗ୍ରାମର ମଦନ ଟାକ୍ରୀଙ୍କ ଝିଅ ମୁକ୍ତାକୁ ବିବାହ କରିଥିଲେ । ସେମାନଙ୍କର ୪ଜଣ ପୁଅଝିଅ ଅଛନ୍ତି । ତେବେ ମୃତ ପୂର୍ଣ ୩-୪ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିବା ଘଟଣାକୁ ନେଇ ଉଭୟଙ୍କ ଭିତରେ କଳି ଆରମ୍ଭ ହୋଇଥିଲା । ପୂର୍ଣ୍ଣ ଦ୍ୱିତୀୟ ବିବାହ କରିବା ଜାଣିବା ପରେ ପ୍ରଥମ ସ୍ତ୍ରୀ ମୁକ୍ତାର ବାପା,ଭାଇ ଗାଁକୁ ଆସି ଝଗଡା କରିବା ସହ ପୂର୍ଣ୍ଣକୁ ମାଡ ମାରିଥିଲେ । ବାପା ଭାଇଙ୍କ ସହ ସାମିଲ୍ ହୋଇ ମୁକ୍ତା ମଧ୍ୟ ସ୍ୱାମୀ ପୂର୍ଣ୍ଣକୁ ପିଟିବା ସହ ଘର ଛାଡି ଚାଲି ଯାଇଥିଲା । ମୁକ୍ତା ପୂର୍ଣ୍ଣ ବିରୁଦ୍ଧରେ ପୁଲିସ ନିକଟରେ ଅଭିଯୋଗ କରିବା ସହ ଛାଡପତ୍ର ଦେବାକୁ କହିଥିଲା । ମୁକ୍ତା କିଛି ଦିନ ବାପା ଘରେ ରହିବା ପରେ ସୁନାବେଡା କଳାହାଣ୍ଡି କଲୋନୀରେ ରହୁଥିବା ବଡ ଭଉଣୀ ଘରକୁ ଚାଲି ଯାଇଥିଲା । ତେବେ ଏସବୁ ସତ୍ୱେ ପୂର୍ଣ୍ଣ ସ୍ତ୍ରୀକୁ ଘରକୁ ଫେରାଇ ଆଣିବା ନିମନ୍ତେ ୨୦ ତାରିଖରେ ନିଜର ୪ଛୁଆଙ୍କୁ ନେଇ ସୁନାବେଡା ଯାଇଥିଲେ । ବହୁତ ବୁଝାସୁଝା କରି ଘରକୁ ଫେରି ଯିବା ନିମନ୍ତେ ପୂର୍ଣ୍ଣର୍ କହିଥିଲେ ମଧ୍ୟ ମୁକ୍ତା ଉତ୍ୟକ୍ତ ହୋଇ ସ୍ୱାମୀ ସହ ପୁଣି ଝଗଡା କରିବା ସହ ଏକ ଛୁରାରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ମୁକ୍ତାର ପରିବାର ଲୋକେ ପୂର୍ଣ୍ଣର୍କୁ ସୁନାବେଡା ଡାକ୍ତରଖାନାକୁ ନେଇଥିଲେ,ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ଗତକାଲି ମୁକ୍ତା ଥାନାକୁ ଆସି ପୂର୍ଣ୍ଣ ଛୁରୀଭୁଷି ହୋଇ ଆତ୍ମହତ୍ୟା କରିଛି କହିବା ପରେ ଏକ ଅପମୃତୂ ମାମଲା ରୁଜୁ ହୋଇଥିଲା ବୋଲି ସୁନାବେଡା ଥାନା ଅଧିକାରୀ ସୁମିତ୍ରା ଜେନା ପ୍ରକାଶ କରିବା ସହ ପରିବାର ଲୋକେ ଆଜି ଏକ ଏତାଲା ଦେବାପରେ ସ୍ତ୍ରୀ ମୁକ୍ତାକୁ ଅଟକ ରଖାଯାଇଥିବା ସେ ସୂଚନା ଦେଇଥିଲେ ।ସୁନାବେଡା ଥାନାର ସବ-ଇନସପେକ୍ଟର ଇ.ବାର୍ଲା ଘଟଣାର ତଦନ୍ତ କରୁଛନ୍ତି ।

Report- S Lenka

Related Posts

About The Author

Add Comment