ଯାଜପୁର ଅଫିସ, ୨୦/୦୬ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ ହେଇଯାଇଛି । ଏଥିରେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ର,କନ୍ୟାକୁମାରୀ ର ଉପସଭାପତି ତଥା ପଦ୍ମଶ୍ରୀ ସମ୍ମାନିତା ଡ. ନିବେଦିତା ଭିଡେ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ବ୍ୟକ୍ତି ଏବଂ ସମାଜ ପ୍ରତି ଦୃଷ୍ଟିଭଙ୍ଗୀ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ସ୍ୱାମିଜିଙ୍କ ସନ୍ଦେଶକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପରିବେଶିତ କରି ଯୁବ ଗୋଷ୍ଠିକୁ ଉଦ୍ ବୁଦ୍ଧ କରିଥିଲେ । ଚାରି ଯୋଗ, ଇନ୍ଦ୍ରିୟ ନିୟନ୍ତ୍ରଣ, ଆସନ,ପ୍ରାଣାୟମ,ଧ୍ୟେୟ ଏବଂ ଧାରଣା ମାଧ୍ୟମରେ ଅତ୍ମ ପରିଚୟ ସୃଷ୍ଟିକରି ନିଜଭିତରେ ଇଶ୍ୱରୀୟ ସତ୍ତା ସୃଜନ ଯୁବ ପିଢିର ଧ୍ୟେୟ ହେବା ଉଚିତ ବୋଲି ପଦ୍ମଶ୍ରୀ ଭିଡେ ନିଜର ମତ ରଖିଥିଲେ। ପ୍ରକୃତିର ନିୟନ୍ତ୍ରଣ ବାହ୍ୟ ଏବଂ ଆଭ୍ୟନ୍ତରୀଣ କୌଶଳ ମାଧ୍ୟମ କରାଯାଇପାରେ ଯାହା ଆମର ପାଠ୍ୟଖସଡାରେ ସ୍ଥାନ ପାଇନାହିଁ । ସୁଯୋଗ ଏବଂ ସମସ୍ୟା ଏକତ୍ର ଆସେ, ତାହା ଆମଉପରେ ନିର୍ଭରକରେ ଯେ,ଆମେ କିଭଳି ଏହାର ସମାଧାନ କରିବା । ପୁଷ୍ପ ନୁହଁ ବରଂକର୍ମ ପୁଷ୍ପମାଧ୍ୟମରେ ମାନବ ସେବାକରି ନିଜର ଭକ୍ତି ଇଶ୍ୱରଙ୍କନିକଟରେ ସମର୍ପଣ କରିବା ଉଚିତ। ଏହି ସଭାରେ ଓଡିଶା ତଥା ପଡୋଶୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ପିଢିଗଣ ଯୋଗଦାନ କରି ନିଜର ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ। ସଭାଟିକୁ ପ୍ରିୟବ୍ରତ ମିଶ୍ର ସଂଯୋଜନା କରିଥିବା ବେଳେ , ଅରୁଣ କୁମାର ତ୍ରିପାଠି ଶ୍ରୀ ଶିବ ମହିନ୍ମ ସ୍ତୋତ୍ର ର ୭ମ ଶ୍ଲୋକ ଯହା ସ୍ୱାମିଜି ଚିକାଗୋ ଧର୍ମସଭାରେ ଉଦ୍ଧୃତ କରିଥିଲେ ତାହା ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଯୁବ ସଂସଦର ଏଭଳି କାର୍ଯ୍ୟକ୍ରମକୁ ଭ୍ରୁୟସି ପ୍ରଶଂସା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସର୍ବଶ୍ରୀ ବିନାୟକ ଘୋଷ, ପ୍ରିୟବ୍ରତ ଶତପଥି,ଆଶିଷ କୁମାର ପ୍ରଧାନ,ପ୍ରିୟବ୍ରତ ମିଶ୍ର,ଚିନ୍ମୟ ରଂଜନ କୁମାର,ଅରୁଣ କୁମାର ତ୍ରିପାଠୀ, ବିଶ୍ୱେଶର ମହାପାତ୍ର, ଅରୋ କୁମାର ସାହୁ,ଗୌତମ ସାମଲ, କୈବଲ୍ୟପତି ମିଶ୍ର, ଗୁପ୍ତେଶ୍ୱର ପଟେଲ ଙ୍କ ଅତନ୍ଦ୍ର ସାଧନାକୁ ବଧେଇ ଦେବା ସହ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସଭା ଶେଷରେ ସମବେତ ଶାନ୍ତିପାଠ କରାଯାଇ ଜଗତର କଲ୍ୟାଣ କାମନା କରାଯାଇ ଥିଲା ।
ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ
|
June 20, 2020 |