ରାଉରକେଲା, ୧୨/୦୧/୨୦୧୯ (ସନ୍ଧାନ ନିଉଜ/ସୁବୋଧ ନାୟକ): ସିଲଭର ସିଟି କଟକ ପରେ ବହୁ ପୁରାତନ ସହର ଷ୍ଟିଲ ସିଟି ରାଉରକେଲା ପାଇଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା । ମାତ୍ର କେତେକସ୍ଥଳେ ପ୍ରଶାସନର ସ୍ଥାଣୁତା ଓ ବିଭିନ୍ନ ବିଭାଗର ଆନ୍ତରିକତାରେ ଆଗ୍ରହ କମିଯିବା କାରଣରୁ ରାଉରକେଲାରେ ବିଭିନ୍ନ ବିଭାଗରେ ଅବହେଳା ପ୍ରଦର୍ଶନ ପରିଲିକ୍ଷିତ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଏଥିରୁ ରାଉରକେଲା ସହରଯେ, କେତେ ସ୍ମାର୍ଟ ତାହା ବେଶ ଜଣାପଡି ଯାଉଛି । ରେଳ ବିଭାଗ ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ସୁଦ୍ଧା, ରାଉରକେଲା ରେଳ ଷ୍ଟେସନରେ ବର୍ଷସାରା କିଛି ନା କିଛି ଅସୁବିଧା ଲାଗି ରହିବା ଯାତ୍ରୀ ମାନଙ୍କ ମହଲରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା, ଏହାର ସମାଧାନ ପାଇଁ ରେଳବାଇର କୌଣସି ବରିଷ୍ଠ ବିଭାଗୀୟ କର୍ତ୍ତୃୃର୍ପକ୍ଷ କର୍ଣ୍ଣପାତ କରୁନଥିବା ଆଲୋଚନା ହେଉଛି ।
ରାଉରକେଲା ଷ୍ଟେସନ ଚକ୍ରଧରପୁରମଣ୍ଡଳ ଅଧିନରେ ଆସି ରାଉରକେଲାରୁ ବର୍ଷରେ ଅନ୍ୟ ଷ୍ଟେସନଠାରୁ ସର୍ବାଧିକ ରାଜସ୍ୱ ଆଦାୟ କରୁଥିଲେ ସୁଦ୍ଧା ଷ୍ଟେସନର ବିକାଶ ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଭାରତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହେବା ପରେ ରାଉରକେଲା ଷ୍ଟେସନକୁ ସଫାସୁତରା କରିବା ଲାଗି ସେତେବେଳେ ପ୍ରୟାସ ଆରମ୍ଭ କରାଯାଇଥିଲା ଯାହା ଏବେ ଧିରେ ଧିରେ ଢିଲା ହେବା ଦେଖିବାକୁ ମିଳିଛି । କେବଳ ଷ୍ଟେସନର ୧ନଂ ପ୍ଲାଟଫର୍ମକୁ କାଚଖଣ୍ଡ ପରି ସଫା ସୁତରା କରି ଦିଆଯାଉଥିଲେ ସୁଦ୍ଧା ଅନ୍ୟ ପ୍ଲାଟଫର୍ମ ଗୁଡିକୁ ସେଭଳି ସଫା କରାଯାଉନଥିବା ଯାତ୍ରୀ ମହଲରୁ ଅଭିଯୋଗ ହୋଇଛି । ରେଳ ଷ୍ଟେସନର ଶୌଚାଳୟ ଓ ପାଇଖାନା କଥା ନକହିବା ଭଲ । ଶୌଚାଳୟ ଓ ପାଇଖାନା ଦୁର୍ଗନ୍ଧରେ ଫାଟି ପଡୁଛି । ଏଠାରେ ପରିମଳ ବ୍ୟବସ୍ଥା ଠିକ ନଥିବା କାରଣରୁ ଯାତ୍ରୀ ମାନଙ୍କୁ ବିଭିନ୍ନ ସଂକ୍ରାମକ ରୋଗ ହେବାର ଆଶଙ୍କା ପରିପ୍ରକାଶ ପାଇଛି । ସେହିପରି ଯାତ୍ରୀ ମାନେ ଟ୍ରେନ ପାଇଁ ଅପେକ୍ଷା କରୁଥିବା ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷାଳୟର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିିଛି । ଏଠାରେ ପଡିଥିବା କେତେକ ଚେୟାର ଭାଙ୍ଗିରୁଜି ଯାଇଥିବା ଯୋଗୁୁଁ ଯାତ୍ରୀଙ୍କୁ ବସିବା ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମୂଷା ମାନଙ୍କର ଉପଦ୍ରବ ପ୍ରତୀକ୍ଷାଳୟରେ ବଢିବା ସଙ୍ଗେସଙ୍ଗେ,ସମୟ ସମୟରେ ଆରପିଏଫ ଯବାନମାନଙ୍କର ପାଟ୍ରୋଲିଂ ଠିକ ଭାବରେ କରାଯାଉନଥିବାରୁ ପ୍ରତୀକ୍ଷାଳୟ ଓ ଷ୍ଟେସନ ପ୍ଲାଟଫର୍ମରେ ଚୋରି ଘଟଣା ବଢିବାରେ ଲାଗିଛି । ଷ୍ଟେସନ ପରିସରରେ ଲାଗିଥିବା କିଛି ସିସି ଟିଭି କ୍ୟାମେରା ମଧ୍ୟ ଠିକ ଭାବରେ କାର୍ଯ୍ୟ କରୁନାହିଁ । ଏହା ଷ୍ଟେସନ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ବିଭିନ୍ନ ପ୍ଲାଟଫର୍ମରେ ଥିବା ସମସ୍ତ ପାଣି ଟ୍ୟାପରୁ ପାଣି ବାହାରୁନାହିଁ । ଫଳରେ ଯାତ୍ରୀଙ୍କୁ ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେବାକୁ ପଡୁଛି । ଷ୍ଟେସନର ଟିକଟ କାଉଣ୍ଟର ନିକଟରେ ଅସାମାଜିକଙ୍କ ଅନେକ ସମୟରେ ଜମି ରହିବା କାରଣରୁ ଯାତ୍ରୀଙ୍କ ମୋବାଇଲ, ପର୍ସ ଆଦି ଲୁଟ୍ ହେଉଥିବା ଅଭିଯୋଗ ହେଉଛି । ସରକାରୀ ରେଳବାଇ ପୁଲିସ୍ ଏଦିଗରେ ଧ୍ୟାନ ଦେଉନଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ରେଳଷ୍ଟେସନ ଭିତରେ ଓ ବାହାରେ ବହୁ ଅସହାୟ ଯାତ୍ରୀ ରାତ୍ରି ଯାପନ କରଥିବାବେଳେ, ସେମାନଙ୍କ ଜିନିଷ ଚୋରି ହୋଇଯାଉଥିବା ଦେଖିବାକୁ ମିଳୁଛି । ଏନେଇ ରେଳବାଇ ପୁଲିସ୍ ନିକଟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଯାତ୍ରୀଙ୍କ ଭିଡକୁ ନିୟନ୍ତ୍ରଣ କରିବା ଲାଗି ରାଉରକେଲା ରେଳଷ୍ଟେସନରେ ଦ୍ୱିତୀୟ ପ୍ରବେଶପଥର ର୍ନିମାଣ କରାଯାଇଥିଲା । ସେଠାରେ ଯାତ୍ରୀ ମାନଙ୍କ ପାଇଁ ଟିକେଟର ସୁବିଧା ସହ ଅନ୍ୟାନ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଧୀରେ ଧୀରେ ଏହି ସବୁ ସୁବିଧା ଅପସରି ଯାଉଥିବା ଲକ୍ଷ୍ୟ କରାଯାଇଛି । ଯେଉଁ ଦିନ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ କରିବାକୁ ଉପରମହଲରୁ କୌଣସି ସାହେବ ଆସନ୍ତି, ଏହା ପୂର୍ବରୁ ରାଉରକେଲା ରେଳଷ୍ଟେସନକୁ ଚକାଚକ କରାଯାଇ ସଫାସୁତରା କରାଯାଏ । ତାହା ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା ଦେଖିବାକୁ ମିଳେ । ସମସ୍ତ ବ୍ୟବସ୍ଥାକୁ ଅବଲୋକନ କଲେ ସ୍ମାର୍ଟ ସିଟି ରାଉରକେଲାରେ ରେଳ ଷ୍ଟେସନ କେତେ ସ୍ମାର୍ଟ? ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।



