ବାଲେଶ୍ୱର, ୦୬/୧୦/୨୦ (ସନ୍ଧାନ ନିଉଜ) – ବାଲେଶ୍ୱରର ସେରଗଡ଼ ଟୋଲ ଗେଟ୍ ନିକଟରୁ ୨ ଜଣ ନକଲି ଏସ୍ଟିଏଫ୍ ଅଧିକାରୀଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି ବୋଲି ଖନ୍ତାପଡ଼ା ପୁଲିସ ମଙ୍ଗଳବାର କହିଛି । ଅଭିଯୁକ୍ତଙ୍କଠାରୁ ହଳଦିଆ ବତୀ ଥିବା ସ୍କର୍ପିଓ ଏବଂ ଏକ ବନ୍ଧୁକ ଜବତ ହୋଇଛି । ଏମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି ।ପୁଲିସ ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ ଗତକାଲି ରାତିରେ ହଳଦିଆ ବତୀ ସ୍କର୍ପିଓରେ ଆସୁଥିବା ବେଳେ ସେମାନଙ୍କୁ ସେରଗଡ଼ ଟୋଲଗେଟ୍ରେ ଅଟକା ଯାଇଥିଲା । ଟୋଲଗେଟ୍ ଅଧିକାରୀମାନେ ଟୁଲ ଆଦାୟ ପାଇଁ ଟଙ୍କା ମାଗିଥିଲେ । ହେଲେ ସେମାନେ ଟଙ୍କା ଦେବା ପାଇଁ ମନା କରିବା ସହ ଏସ୍ଟିଏଫ୍ ଅଧିକାରୀ ବୋଲି କହିଥିଲେ ।ଏନେଇ ଅଧିକ ଯୁକ୍ତିତର୍କ ହେବାରୁ ନକଲି ଏସ୍ଟିଏଫ୍ ଅଧିକାରୀ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନ କରିଥିଲେ । ଟୋଲଗେଟର ଅଧିକାରୀମାନେ ସେମାନଙ୍କ ଉପରେ ସନ୍ଦେହ କରି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ଜଣାପଡ଼ିଥିଲା ସେମାନେ ନକଲି ଏସ୍ଟିଏଫ ଅଧିକାରୀ । ପୁଲିସ ବର୍ତ୍ତମାନ ଉଭୟଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସେରଗଡ଼ ଟୋଲ ଗେଟ୍ରୁ ଦୁଇ ନକଲି ଏସ୍ଟିଏଫ୍ ଅଧିକାରୀ ଗିରଫ
|
October 6, 2020 |


