ଯାଜପୁର,୩୦/୪ ଦୁର୍ନିତି ବିରୋଧରେ ସ୍ୱର ଉତୋଳନ ସହ ଫାଇବ ଟି ର ସଫଳ ରୂପାୟନ ପାଇଁ କାର୍ଯ୍ୟ କରି ପୋଲିସ ଓ ପ୍ରଶାସନର ଆକ୍ରୋଶର ଶୀକାର ହୋଇ ଗିରଫ ହୋଇଥିବା ସାମ୍ବାଦିକ ସଂଜୟ ମିଶ୍ରଙ୍କ ପାଇଁ ଜିଲ୍ଲାର ସାମ୍ବାଦିକ ମାନେ ଯାଜପୁର ଏସ.ପି ରାହୁଲ ପି.ଆରଙ୍କୁ ସାକ୍ଷାତ କରିଛନ୍ତି । ମିଥ୍ୟା କେସରେ ସାମ୍ବାଦିକଙ୍କୁ ଗିରଫ ପାଇଁ ପୋଲିସର ଆକ୍ରୋଶ ମୂଳକ କାର୍ଯ୍ୟ ନେଇ ଯାଜପୁର ଏସ.ପି ରାହୁଲ ପି.ଆରଙ୍କ ସହ ଆଲୋଚନା କରିଛନ୍ତି । ସାମ୍ବାଦିକଙ୍କ ଅନୁରୋଧ ଅନୁସାରେ ଏଥିନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଯାଜପୁର ଏସ.ପି ପ୍ରତିଶୃତି ଦେବା ପରେ ସାମ୍ବାଦିକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଅପର ପକ୍ଷରେ ସାମ୍ବାଦିକମାନେ ଏସ.ପିଙ୍କୁ ସାକ୍ଷାତ କରି ଆସିବାର ମାତ୍ର ଅଧ ଘଂଟାଏ ମଧ୍ୟରେ ଧର୍ମଶାଳା ଥାନା ଅଧିକାରୀ ରକେଶ ତ୍ରିପାଠୀଙ୍କୁ ଡକାଇ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ଏହି ଆଲୋଚନାରେ ଧର୍ମଶାଳା ଥାନା ଅଧିକାରୀଙ୍କ ଉପରେ ଯାଜପୁର ଏସ.ପି ଏହି ଘଟଣା ନେଇ ବର୍ଷିଥିଲେ ବୋଲି ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିଛି ।
ସାମ୍ବାଦିକ ମାନେ ଦେଇଥିବା ଦାବିପତ୍ରରେ ଦର୍ଶାଇଥିଲେ ଯେ, ଧର୍ମଶାଳାର କୁମାରୀ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟଧାରା ସର୍ବଦା ବିବାଦୀୟ ହୋଇ ରହିଛି । ଏହି ଅଧିକାରୀଙ୍କ ପାଇଁ ନିକଟ ଅତୀତରେ ମନରେଗା କାର୍ଯ୍ୟରେ ଫଲ୍ସ ବିଲ ନେଇ ମାନ୍ୟବର ଲୋକାୟୁକ୍ତଙ୍କ ତରଫରୁ ଧର୍ମଶାଳା ବ୍ଲକ ତରଫରୁ ନୋଟିସ ହୋଇଛି । ବିଭିନ୍ନ ସମୟରେ ଏହି ଅଧିକାରୀଙ୍କ ଆପତି ଜନକ ଭିଡିଓ ଭାଇରାଲ ହୋଇଛି । କୁମାରୀ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ଦୁରୁପଯୋଗ ନେଇ ବିଭିନ୍ନ ଅଭିଯୋଗ ରହିଛି । ସାମ୍ବାଦିକ ସଂଜୟ ମିଶ୍ରଙ୍କ ଅଭିଯୋଗ କ୍ରମେ ପଂଚାୟତରାଜ ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହି ପଂଚାୟତରେ ହୋଇଥିବା ଅନ୍ୟ ଏକ ଦୁର୍ନିତି ପ୍ରମାଣିତ ହୋଇଛି ଏବଂ ସୂଚନା ଫଳକ ପରିବର୍ତ୍ତନ ହେବା ଏହାର ଜ୍ଜ୍ୱଳନ୍ତ ପ୍ରମାଣ । ଏହିସବୁ ଘଟଣାକୁ ସଂଜୟ ଗଣମାଧ୍ୟମରେ ପ୍ରକାଶ କରିବା ନେଇ ପ୍ରଶାସନର ଆକ୍ରୋଶ ଥିଲା । ଶେଷକୁ ଗତ ୨୬ ତାରିଖ ଦିନ ପୋଲିସ ଠାରୁ ମାଡ ଖାଇଥିବା କେତେକ ବ୍ୟକ୍ତି ଥାନା ଅଧିକାରୀଙ୍କ ବିରୋଧରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ଯଦିଓ ଏହି ଘଟଣା ନେଇ ପରେ ଏକ ଆପୋଷ ବୁଝାବଣାରେ ଏତଲା ରୁଜୁ ହୋଇନାହିଁ । ହେଲେ ଏହି ଘଟଣାରେ ସଂଜୟ ଖବର ସଂଗ୍ରହ ଉଦ୍ୟମରେ ଥିବା ବେଳେ ସଂଜୟ ପ୍ରରୋଚନାରେ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ବିରୋଧରେ ଏତଲା କରାଯିବାକୁ ଉଦ୍ୟମ ହେଉଛି ବୋଲି ଖୋଦ ଥାନା ଅଧିକାରୀ ସନ୍ଦେହ କରିଥିଲେ । ସେଥିପାଇଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅସ୍ତ୍ର କରାଯାଇ ସଂଜୟଙ୍କ ନାମରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲାରେ ଗତ ମାର୍ଚ୍ଚ ୨୪ ଏବଂ ୨୯ ତାରିଖରେ କୁଆଡେ ସଂଜୟଙ୍କ ସହ ପଂଚାୟତ କାର୍ଯ୍ୟନିର୍ବାହୀଙ୍କ ସହ ଝଗଡା ହେବା , ବନ୍ଧକ ଦେଖାଇବା , ଚାନ୍ଦା ମାଗିବା ଆଦି ଅଭିଯୋଗ ହୋଇଥିଲା । ହେଲେ ଦୀର୍ଘଦିନ ପରେ ଏତଲା ଦିଆଯିବା ଘଟଣା ସଂପୂର୍ଣ୍ଣ ଉଦ୍ଦେଶ୍ୟ ମୂଳକ ଏବଂ କପୋଳକଳ୍ପିତ ବୋଲି ସାମ୍ବାଦିକ ମାନେ ଅଭିଯୋଗ କରିଥିଲେ । ସଂଜୟଙ୍କୁ ଗିରଫ ପୂର୍ବରୁ ଘଟଣା ନେଇ କୌଣସି ତଦନ୍ତ କରା ନଯାଇ ସେହିଦିନ ପୋଲିସ ସିଧାସଳଖ ସଂଜୟଙ୍କୁ ଭାରତୀୟ ପିଙ୍ଗଳକୋର୍ଡ ଧାରା ୪୫୨, ୨୯୪, ୩୨୩, ୩୫୩, ୧୮୬, ୫୦୬, ୫୦୭, ୪୨୦,୩୮୫,୩୯୨,୧୦୯, ୩୪,୨୫ ଏବଂ ୨୭ ଆର୍ମସ ଆକ୍ଟରେ କେସ ନଂବର-୨୨୧ ରୁଜୁ କରି ଗିରଫ ସହ କୋର୍ଟ ଚାଲାଣ କଲେ । ସଂଜୟଙ୍କୁ ଜଣେ ଅପରାଧୀ ପରି ଗିରଫ କରାଯିବା ସହ ଥାନାରେ ଦଃୁବ୍ୟବହାର ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାଧାରଣରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁହଁ ଖୋଲିଲେ କିମ୍ବା ସତ କହିଲେ ଏଠାରେ ଗିରଫ ହେବାକୁ ପଡୁଛି । ନିଜର ମତ ଉପସ୍ଥାପନ କରିବାର ସମ୍ବିଧାନର ମୌଳିକ ଅଧିକାରରୁ ଲୋକଙ୍କୁ ବଂଚିତ କରାଯିବା ନେଇ ସାଧାରଣରେ ମଧ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ବାପା ନଥିବା ଜଣେ ବ୍ରାହ୍ମଣ ପରିବାରର ସଂଜୟ ମିଶ୍ର କେବଳ ସାମ୍ବାଦିକ ନୁହନ୍ତି ବରଂ ଜଣେ ପରୋପକାରୀ ସମାଜସେବୀ ଏବଂ ଧର୍ମପରାୟଣ ଯୁବକ । କଲମ ଧରୁଥିବା ଜଣେ ସାମ୍ବାଦିକଙ୍କୁ ବନ୍ଧୁକ ଧରିଥିବାର ମିଛ କେସ ରୁଜୁ କରିବାକୁ ପୋଲିସକୁ ଆଇନ ବ୍ୟବସ୍ଥା କିମ୍ବା ବିବେକ ବାଧା ଦେଇ ନଥିଲା ବୋଲି ସାମ୍ବାଦିକ ମାନେ ଏସ.ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ସର୍ବଶ୍ରୀ ପ୍ରବୋଧ ମିଶ୍ର, ମାନସ ବିଶ୍ୱାଳ, ସୁବ୍ରତ ମଲିକ, ପ୍ରଦୀପ ମହାନ୍ତି, ନାରାୟଣ ରଥ, ସାଗର ସ୍ୱାଇଁ, ବାବୁ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସାମ୍ବାଦିକଙ୍କ ଗୋଟିଏ ପ୍ରତିନିଧି ଦଳ ଏସ.ପିଙ୍କୁ ସାକ୍ଷାତ କରିଥିଲା । ଅପର ପକ୍ଷରେ ଘଟଣାରେ ପୋଲିସର ଅଭିସନ୍ଧିକୁ ଦୃଷ୍ଟିରେ ରଖି ୨୯ ତାରିଖ ଦିନ କେସର ସି.ଡି ଦାଖଲ ପାଇଁ ଚଣ୍ଡୀଖୋଲ ଜେ.ଏମ.ଏଫ.ସି ନିର୍ଦ୍ଦେଶ ଦେଇଥିଲେ । ହେଲେ ଧର୍ମଶାଳା ଥାନା ଅଧିକାରୀ ସି.ଡି ଦାଖଲ କରି ନପାରି ଅଧିକ ସମୟ ମାଗିଛନ୍ତି ଏବଂ ସଂଜୟଙ୍କ ଯାନିନ ଆବେଦନ ମଧ୍ୟ ଖାରଜ ହୋଇଛି । ସଂଜୟ ଗିରଫ ପରଦିନ ଧର୍ମଶାଳା ଥାନା ଅଧିକାରୀଙ୍କ ସଡୁ ତଥା ଜନୈକ ପୋଲିସ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହେବା ଘଟଣା ନେଇ ମଧ୍ୟ ସାଧାରଣରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ସଂଜୟ ଘଟଣାରେ ସତ୍ୟର ଜୟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇ ବେଳକୁ ବେଳ ପୋଲିସ ବିରୋଧରେ ଜନମତ ଅଧିକ ତିବ୍ର ହେଉଛି ।
ସାମ୍ବାଦିକ ସଂଜୟ ମିଶ୍ର ଗିରଫ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ- ଯାଜପୁର ଏସ.ପି
|
May 1, 2022 |