ଭୁବନେଶ୍ୱର, ୦୭/୧୨/୨୦୨୦ (ସନ୍ଧାନ ନିଉଜ) : ସାଇବର କ୍ରାଇମ୍ ଯୋଗୁଁ 2019ରେ ବିଶ୍ବ ହରାଇଛି 1 ଲକ୍ଷ କୋଟି ଡଲାର । ଏ ସ୍ଥିତି ଆଗକୁ ଆହୁରୁ ଭୟଙ୍କର ହେବାକୁ ଯାଉଛି। ସାଇବର ସିକ୍ୟୁରିଟି ଫାର୍ମ ମାକାଫି ଏହି ବିଷୟରେ ସୂଚନା ଦେଇଛନ୍ତି। ଭାରତ ଓ ବିଶେଷ କରି ଓଡ଼ିଶାରେ ସାଇବର କ୍ରାଇମ୍ ଏକ ବଡ଼ ଆତଙ୍କ ଭାବରେ ମୁଣ୍ଡ ଟେକିଛି । ଗତ ବର୍ଷ ସାଇବର ଅପରାଧ ଯୋଗୁଁ 1 ଲକ୍ଷ କୋଟି ଡଲାର ଚୂନ ଲାଗିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି 73 ଲକ୍ଷ କୋଟି ଟଙ୍କା । ଅର୍ଥାତ ଭାରତୀୟ ଅର୍ଥନୀତିର ପ୍ରାୟ 3 ଭାଗ । ଆଗକୁ ଏହି ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି । ସାଇବର ସିକ୍ୟୁରିଟି ଫାର୍ମ ମାକାଫିର ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି । 2018 ତୁଳନାରେ 2019ରେ ସାଇବର ଅପରାଧ ସଂଖ୍ୟା 50 ପ୍ରତିଶତ ବୃଦ୍ଧି ପାଇଛି । ଯେଉଁ ହାରରେ ସାଇବର ଅପରାଧ ବଢ଼ୁଛି 2025 ବେଳକୁ ସାଇବର ଅପରାଧ ଜନିତ ଆର୍ଥିକ କ୍ଷତି 10 ଲକ୍ଷ କୋଟି ଡଲାର ଟପିଯିବ । ଯାହା ଭାରତର ଅର୍ଥନୀତିଠାରୁ ବି ଅଧିକ। ସାରା ବିଶ୍ବ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହେବାକୁ ଯାଉଛି ଏହି ସାଇବର ଅପରାଧ।ଭାରତରେ ମଧ୍ୟ ସାଇବର ଅପରାଧ ବ୍ୟାପକ ଭାବରେ କାୟା ବିସ୍ତାର କରିଛି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ NRCB ରିପେର୍ଟ ଅନୁଯାୟୀ 2019ରେ ଦେଶରେ ସାଇବର ଠକେଇ ସମ୍ପର୍କିତ 26 ହଜାର 891 ମାମଲା ପଞ୍ଜିକୃତ ହୋଇଥିଲା । ସେହିବର୍ଷ ଓଡ଼ିଶାରେ ସାଇବର ଠକେଇରେ 1000ରୁ ଅଧିକା ମାମଲା ହୋଇଥିଲା । ଦେଶରେ ଏହି ମାମଲାରେ ଷଷ୍ଠ ସ୍ଥାନରେ ଥିଲା ଓଡ଼ିଶା । ସେଥିମଧ୍ୟରୁ 331ଟି ATM ଠକେଇ, 545ଟି ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇ ଓ 55ଟି ଅନ୍ୟାନ୍ୟ ଆର୍ଥିକ ଠକେଇ ମାମଲା ରହିଛି । ଅନଲାଇନ୍ ଠକେଇ ପାଇଁ ଚର୍ଚ୍ଚିତ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ ବି ଓଡ଼ିଶାରେ କାୟା ବିସ୍ତାର କରିଛି । ବହୁ ଯୁବ ଗୋଷ୍ଠୀଙ୍କୁ ସାମଲି କରି ରାଜ୍ୟରେ ଅନଲାଇନ ଠକେଇର ଏକ ବଡ଼ ରାକେଟେ ଚଳାଇଛି ଏହି ଗ୍ୟାଙ୍ଗ । ସାଇବର ଅପରାଧୀ ଅଧିକ ସକ୍ରିୟ ହେଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପାଖରେ ଆବଶ୍ୟକ ଜ୍ଞାନ କୌଶଳ ନାହିଁ । ଏନେଇ ପୋଲିସ କର୍ମାଚାରୀଙ୍କୁ ସ୍ବତନ୍ତ୍ର ତାଲିମର ଅଭାବ ଯୋଗୁଁ ସାଇବର ଠକ ସହଜରେ ଖସିଯାଉଛନ୍ତି । ଯେଉଁମାନ ବି ଧରାପଡୁଛନ୍ତି ପ୍ରମାଣ ଅଭାବରୁ ସେମାନେ ବହୁ ସମୟରେ ଖସି ଯାଉଛନ୍ତି । ତେଣୁ ସାଇବର ଅପରାଧକୁ କାବୁ କରିବା ପାଇଁ ଖାସ ରଣନୀତି ନ ଆପଣାଇଲେ ଏହା ଉଭୟ ଦେଶ ଓ ରାଜ୍ୟ ପାଇଁ ଆଗାମୀ ଦିନରେ ବଡ଼ ଚାଲେଞ୍ଜ ଭାବରେ ଉଭାହେବ। ମାକାଫିର ସର୍ଭେ ରିପୋର୍ଟରେ ବି ଏହି ଚେତାବନୀ ଦିଆଯାଇଛି।
ସାଇବର କ୍ରାଇମ୍ ଯୋଗୁଁ 2019ରେ ବିଶ୍ବ ହରାଇଛି 1 ଲକ୍ଷ କୋଟି ଡଲାର
|
December 7, 2020 |
